Unknown

 

 

 

 

 

 

 

 

 

 

ଭାରତ ଗୌରବ

(ସପ୍ତମ ଭାଗ)

ବାବା ବୈଦ୍ୟନାଥ ପାଢ଼ୀ

 

ସୂଚୀପତ୍ର

 

୧.

ମିରାବାଈ

୨.

ଶ୍ରୀକୃଷ୍ଣ

୩.

ଜାମସେଦ୍‌ଜୀ ଟାଟା

୪.

ପଲ୍ଲୀକବି ନନ୍ଦକିଶୋର

୫.

ଡକ୍ଟର ରାଜେନ୍ଦ୍ରପ୍ରସାଦ

Image

 

ମୀରାବାଈ

 

ଆମର ଏହି ଭାରତଭୂମି ଭକ୍ତ ଓ ସାଧୁସନ୍ନ୍ୟାସୀର ଦେଶରୂପେ ସବୁଯୁଗରେ ଖ୍ୟାତି ଲାଭ କରିଆସିଅଛି । କଳିଯୁଗରେ ବହୁ ସାଧୁ, ସନ୍ନ୍ୟାସୀ, ଭକ୍ତ ଜନ୍ମଲାଭ କରି ଭାରତବାସୀଙ୍କୁ ଧର୍ମପଥରେ ଅନୁପ୍ରାଣିତ କରିଯାଇଛନ୍ତି । ଜୟଦେବ, ତୁଳସୀଦାସ, କବୀର, ଚୈତନ୍ୟ ପ୍ରଭୃତି ଭକ୍ତମାନଙ୍କ ପରି ନାରୀମାନଙ୍କ ମଧ୍ୟରେ ମୀରାବାଈ ଜଣେ ଶ୍ରେଷ୍ଠ କୃଷ୍ଣ ଭକ୍ତରୂପେ ପରିଚିତ । ମୀରାବାଈଙ୍କ ଭଜନ ଆଜି ଭାରତର ଆକୁମାରୀହିମାଚଳ ଘରେ ଘରେ ଭକ୍ତିର ଅନାବିଳ ପ୍ରେମ ସୃଷ୍ଟି କରିପାରିଛି । ମୀରାବାଈ ଦେଖାଇ ଦେଇ ଯାଇଛନ୍ତି ରାଜପୁତ ଜାତି ନାସ୍ତିକ ନୁହେଁ, ଆସ୍ତିକ ମଧ୍ୟ । ତା ହାତରେ ଥିବା ଖଣ୍ଡାଦ୍ୱାରା ସେ ଯେପରି ଦୁଷ୍ଟ, ଅତ୍ୟଚାରୀମାନଙ୍କୁ ନିପାତ କରିପାରେ; ଭକ୍ତି ଭାବରେ ସମସ୍ତ ମାନବଜାତିକୁ ଅନୁପ୍ରାଣିତ କରି ହିଂସା, ଦ୍ୱେଷ ପ୍ରଭୃତି ମନ୍ଦଗୁଣଗୁଡ଼ିକୁ ଦୂର କରିଦେଇପାରେ ।

 

ଏହି ମହୀୟସୀ ରମଣୀ ରାଜପୁତାନାର ମାରବାଡ଼ ରାଜ୍ୟରେ ରାଠୋର ବଂଶରେ ଜନ୍ମ ଗ୍ରହଣ କରିଥିଲେ। ରାଠୋର ରାଜବଂଶର ବୀରତ୍ୱ ଆଜିଯାଏ ଭାରତର ଗୌରବ ହୋଇରହିଅଛି-। ମୀରାବାଈ ସେହି ବଂଶରେ ଜନ୍ମଲାଭକରି ଭକ୍ତିର ଯେଉଁ ସ୍ରୋତ ଛୁଟାଇ ଦେଇଯାଇଛନ୍ତି ତଦ୍ଦ୍ୱାରା ବଂଶର ଗୌରବ ଆହୁରି ପ୍ରତିଷ୍ଠିତ ହୋଇପାରିଛି ।

 

ମୀରାବାଈଙ୍କ ପିତା ରତନ ସିଂ ଜଣେ ଖ୍ୟାତନାମା ବୀର ଥିଲେ । ରତନ ସିଂଙ୍କର ଆଉ ଗୋଟିଏ ସାନ ଭାଇ ଥିଲେ । ତାଙ୍କ ନାମ ରାଓଦୁଦାଜୀ । ସେ ରତନ ସିଂହଙ୍କ ପରି ଯୁଦ୍ଧଖୋର ନ ଥିଲେ । ଶାନ୍ତ ପରିବେଶରେ ରହି ଭଗବାନଙ୍କୁ ଭଜନ କରିବା, ଧର୍ମ କର୍ମ କରିବାକୁ ସେ ଭଲ ପାଉଥିଲେ ଓ ତାହା ହିଁ ସେ କରୁଥିଲେ । ତାଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ । ରତନ ସିଂହ ଓ ଦୁଦାଜୀ ଦୁଇ ଭାଇଙ୍କର ମୀରା ଏକମାତ୍ର କନ୍ୟା ଥଲେ । ରତନ ସିଂହଙ୍କ ଅପେକ୍ଷା ଦୁଦାଜୀ ଦୁଇ ଭାଇଙ୍କର ମୀରା ଏକମାତ୍ର କନ୍ୟା ଥିଲେ । ରତନ ସିଂହଙ୍କ ଅପେକ୍ଷା ଦୁଦାଜୀ ମୀରାକୁ ଅତ୍ୟଧିକ ସ୍ନେହ କରୁଥିଲେ । ତେଣୁ ମୀରା ଦୁଦାଜୀଙ୍କୁ ଭାରି ମାନୁଥିଲେ । ସେ ଅଧିକାଂଶ ସମୟ ଦୁଦାଜୀଙ୍କ ପାଖେ କଟାଉଥିଲେ । ଦୁଦାଜୀ କନ୍ୟାକୁ କୋଳରେ ବସାଇ ଭଜନ, ଗୀତ ବୋଲୁଥିଲେ । ମୀରା ସେହି ଭଜନ ଓ ଗୀତ ଶୁଣି ଆନନ୍ଦ ପାଉଥିଲେ । ପିଲାଦିନରୁ ତାଙ୍କ ହୃଦୟରେ ଭକ୍ତିର ଏକ ଛାପ ପଡ଼ିଥିଲା ପିତୃବ୍ୟ ଦୁଦାଜୀଙ୍କ ଯୋଗୁଁ ।

 

ମୀରାବାଈଙ୍କ ଜନ୍ମ ସମୟ ବିଷୟରେ ଐତିହାସିକମାନେ ସ୍ଥିରମତ ପ୍ରକାଶ କରିପାରି ନାହାନ୍ତି । ସେମାନେ ଭିନ୍ନ ଭିନ୍ନ ସମୟର ଅବତାରଣା କରିଯାଇଛନ୍ତି । ତେବେ ଏତିକି ଜଣାଜାଏ ଯେ ବାବର ଯେତେବେଳେ ଭାରତ ଅଧିକାର କରିଥିଲେ ସେହି ସମୟରେ ମୀରାବାଇଙ୍କର ଜନ୍ମ ହୋଇଥିଲା ।

 

ରାଣା ପରିବାରରେ ମୀରା ଖୁବ୍‌ ଅଲିଅଳ ଭାବରେ ବଢ଼ିବାକୁ ଲାଗିଲେ । ରାଜପରିବାରରେ ସେ ଏକମାତ୍ର ସନ୍ତାନ । ବାଲ୍ୟକାଳରୁ ମୀରାଙ୍କର ଦିଅଁ ଦେବତାଙ୍କ ପ୍ରତି ଭକ୍ତିଭାବ ଥିଲା । ମୀରା ଜନ୍ମ ହେବାର ଅଳ୍ପଦିନ ମଧ୍ୟରେ ତାଙ୍କର ପିତା ରତନ ସିଂହ ରାଣା ସଂଗ୍ରାମଙ୍କ ସହିତ ମିଶି ବାବରଙ୍କ ସହିତ ଯୁଦ୍ଧ କରୁଥିଲା-ବେଳେ ପ୍ରାଣତ୍ୟାଗ କରିଥିଲେ । ତେଣୁ ଦୁଦାଜୀ ତାଙ୍କୁ ଅତି ସ୍ନେହରେ ପାଳିବାକୁ ଲାଗିଲେ । ମୀରାଙ୍କର ବିଧବା ମାଙ୍କର ଯତ୍ନ ମଧ୍ୟ କମ୍‌ ନ ଥିଲା ।

 

ପ୍ରାତଃକାଳରୁ ଶଯ୍ୟାତ୍ୟାଗ କରିବା ମୀରାଙ୍କର ବାଲ୍ୟକାଳରୁ ଅଭ୍ୟାସ ଥିଲା । ଶଯ୍ୟାତ୍ୟାଗ କରି ସେ ସଙ୍ଗେ ସଙ୍ଗେ ସ୍ନାନ କରି ବଗିଚାରୁ ଫୁଲ ସଂଗ୍ରହ କରୁଥିଲେ । ତତ୍ପରେ ପୂଜା ମନ୍ଦିରକୁ ଯାଇ ପୂଜା ଆରାଧନାରେ ଲାଗୁଥିଲେ । ସେ ରାଜଦମ୍ପତି । ତାଙ୍କର ଅନେକ ଦାସଦାସୀ ଥିଲେ ମଧ୍ୟ ଦେବପୂଜାର ଉପକରଣ ସେ ନିଜ ହାତରେ ସଂଗ୍ରହ କରୁଥିଲେ । ପିଲା ସେ । ବୟସ ୪ ବର୍ଷ କି ୫ ବର୍ଷ ହେବ । ଦେବପୂଜାର ନୀତି ନିୟମ, ମନ୍ତ୍ର ଆଦି ବିଷୟରେ ଅନଭିଜ୍ଞ । ତଥାପି ହୃଦୟରେ ଭକ୍ତିର ପ୍ରବଳ ଉନ୍ମାଦନାରେ ସେ ଠାକୁର ପୂଜାରେ ନିବିଷ୍ଟ ରହୁଥିଲେ । ଯେତେବେଳେ ତାରି ବୟସର ପିଲା ଖେଳରେ ସମୟ କଟାଉଥିଲେ, ନାନାପ୍ରକାର କଣ୍ଢେଇ ଧରି ଖେଳୁଥିଲେ, ମିରା ସେତେବେଳେ ଠାକୁର ଘରେ ବସି ଠାକୁରଙ୍କୁ ଡାକିବାରେ ସମୟ କଟାଇ ଆନନ୍ଦ ଉପଲବ୍‌ଧି କରୁଥିଲେ । ମୀରାର ଭକ୍ତିଭାବ ଦେଖି ମାଆ ଏବଂ ଦୁଦାଜୀ ଆନନ୍ଦିତ ହେଉଥିଲେ ।

 

ଥରକର ଘଟଣା । ତାଙ୍କ ରାଜପ୍ରାସାଦର ସମ୍ମୁଖରେ ରାଜଦାଣ୍ଡ । ସେଇ ରାଜଦାଣ୍ଡରେ ଗୋଟିଏ ବିବାହଉତ୍ସବ ଯାଉଥିଲା । ସେତେବେଳକୁ ମୀରାର ବୟସ ମାତ୍ର ପାଞ୍ଚବର୍ଷ । ବିବାହ ଉତ୍ସବର ଆଲୋକ, ସାଜସଜ୍ଜା, ଗାଡ଼ି ଘୋଡ଼ା ଦେଖି ମୀରା ଅବାକ୍‌ ହୋଇଗଲା । ସେ ତାର ମାଆଙ୍କୁ ପଚାରିଲା–‘‘ଏ କ’ଣ ହେଉଛି । ମାଆ ?’’ କହିଲେ–‘‘ଏହି ଘୋଡ଼ା ଉପରେ ଝଲମଲ ପୋଷାକ ପିନ୍ଧି ଯିଏ ବସିଛନ୍ତି ସେ ହେଉଛନ୍ତି ବର । ବିବାହ ନିମନ୍ତେ ସେ ଯାଉଛନ୍ତି ।’’ ତୋର ବି ଦିନେ ଏହିପରି ବିବାହ ଉତ୍ସବ ହେବ-। ବର ଆସିବ । କେତେ ଆଲୁଅ ଜଳିବ, କେତେ ବାଜା ବାଜିବ, କେତେ ହାତୀ ଘୋଡ଼ା, ଲୋକ ଆସିବେ ।’’ ଏହା କହି ମାଆ ତାର ମୁହଁରେ ଚୁମ୍ବନ ଦେବାକୁ ଲାଗିଲେ ।

 

ମାଆଙ୍କର କଥା ଶୁଣି ମୀରା ମନରେ କି ଭାବ ଜାଗ୍ରତ ହେଲା କେଜାଣି ସେ ତତ୍‌କ୍ଷଣାତ୍‌ ଜିଦ୍‌ ଧରି ବସିଲା ତା ପାଇଁ ସେହିପରି ବରଟିଏ ବର୍ତ୍ତମାନ ଦରକାର । ମହାବିପଦ ! ଗୋଟାଏ ବର ନିତାନ୍ତ ଆବଶ୍ୟକ, ତାହା ନ ଦେଲେ ନିସ୍ତାର ନାହିଁ । ମୀରାର ଏକା ଜିଦ୍‌ ଗୋଟାଏ ବର ।

 

ମାଆ ଓ ଦୁଦାଜୀ ଯେତ ବୁଝାଇଲେ ମୀରା ବୁଝୁନି । ମୀରାର ମୁହଁରେ ସେଇ ଏକକଥା, ସବୁ ଝିଅଙ୍କର ଯଦି ବର ଅଛି ମୋର ବର କେଉଁଠି ?

 

ମାଆ ତାକୁ ବୁଝାଇ କହିଲେ–‘‘ତୋର ଯିଏ ବର ହେବ, ସେ ବର୍ତ୍ତମାନ ତୋରି ପରି ଛୋଟ, ପାଠ ପଢ଼ୁଛି । ଯେତେବେଳେ ବଡ଼ ହେବ ସେତେବେଳେ ସେ ଏହିପରି ବାଜା ବଜାଇ, ଘୋଡ଼ାରେ ବସି ତୋର ବର ହୋଇ ଆସିବ।’’

 

ମୀରା କୌଣସି କଥା ଶୁଣିଲା ନାହିଁ, ତାର ବରକୁ ସେ ଏହିକ୍ଷଣି ଦେଖିବ । ସେ ଯେଉଁଠି ଥାଉ, ଯେପରି ଅବସ୍ଥାରେ ଥଉ ସେ ଏହିକ୍ଷଣି ତାଙ୍କୁ ଦେଖିବ ।

 

ଦାଦୁଜୀ ଥିଲେ ପରମ ବୈଷ୍ଣବ, ଭକ୍ତ । ହଠାତ ତାଙ୍କୁ ଏକ ବୁଦ୍ଧି ଦେଖାଗଲା । ଶ୍ରୀ କୃଷ୍ଣଙ୍କର ଗୋଟିଏ ପଥର ନିର୍ମିତ ଛୋଟ ମୂର୍ତ୍ତି ଆଣି ମୀରାକୁ ଦେଇ କହିଲେ–‘‘ଏଇ ନେ ମା ‘‘ଗିରିଧାରୀ କୃଷ୍ଣ’’ । ଏଇ ତୋର ବର । ଏହାକୁ ଭକ୍ତି ସହକାରେ ପୂଜାକର; ତା ହେଲେ ସେ ତୋତେ ଭାରି ଭଲ ପାଇବେ ।

 

ମୀରାର ଏଥର ଆନନ୍ଦ । ସେ ପାଇଛି ତାର ବରକୁ । ଏଥର ସେ ତାଙ୍କୁ ପୂଜା କରିବ । ଫୁଲରେ ମଣ୍ଡିଦେବ । ଜୀବନର ପ୍ରଥମ ସୋପାନରୁ ସେ ଶ୍ରୀକୃଷ୍ଣଙ୍କୁ ନିଜର ପତି ବୋଲି ଜାଣିଗଲା-। ସେହି ‘ଗିରିଧାରୀ କୃଷ୍ଣ’ ଛୋଟ ପଥର ମୂର୍ତ୍ତିଟି ସମସ୍ତଙ୍କ ଚକ୍ଷୁରେ କଣ୍ଢେଇଟିଏ, କିନ୍ତୁ ମୀରାର ସେ ପୂଜ୍ୟ ଦେବତା । ମୀରା ଜୀବନ୍ତ ମନୁଷ୍ୟରୂପେ ଭାବି ସେହି ପ୍ରତିମୂର୍ତ୍ତିଟି ପାଖରେ ସମସ୍ତ ମନପ୍ରାଣ ଢାଳିଦେଲେ । ଜଗତ ତାକୁ ଦେଖାଗଲା କୃଷ୍ଣମୟ।

 

କ୍ରମଶଃ ମୀରାର ବୟସ ବଢ଼ିବାକୁ ଲାଗିଲା । ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ତାର ମନର ଭକ୍ତିଭାବ ଏବଂ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବାକୁ ଲାଗିଲା ।

 

ମୀରାର କଣ୍ଠସ୍ୱର ଥିଲା ଅତି ମଧୁର । ଯେତେବେଳେ ସେ ମନ୍ଦିର ଭିତରେ ଶ୍ରୀକୃଷ୍ଣଙ୍କ ଭଜନ ଗାନ କରନ୍ତି ତାହା ଶୁଣିଲେ ମନରେ ଅପୂର୍ବ ପୁଲକ ଜାତହୁଏ ।

 

ମୀରାର ରୂପ ଗୁଣ କଥା ସମଗ୍ର ରାଜପୁତନାରେ ଶୁଣାଗଲା । ଅନେକ ରାଜା ତାକୁ ନିଜର ପୁତ୍ରବଧୁ କରି ନେବାଲାଗି ଇଚ୍ଛା ପ୍ରକାଶ କରି ପ୍ରସ୍ତାବମାନ ପଠାଇବାକୁ ଲାଗିଲେ ।

 

ଚିତୋରର ରାଣା ମୁକୁଳଦେବେ ମୀରାରା ରୂପ ଓ ଗୁଣ କଥା ଶୁଣିପାରିଲେ । ତାଙ୍କ ପୁତ୍ରର ନାମ ଭୋଜରାଜ । ମୁକୁଳଦେବଙ୍କ ପରେ ସେ ହେବେ ଚିତୋର ରାଣା ଭୋଜରାଜଙ୍କ ଉଦ୍ଦେଶ୍ୟରେ ଗୋଟିଏ ସୁନ୍ଦରୀ ଓ ଗୁଣବତୀ ପାତ୍ରୀ ରାଣା ପଠାଇଲେ ମାରୱାଡ଼କୁ ।

 

ବୃଦ୍ଧମନ୍ତ୍ରୀ ମୀରାର ଲକ୍ଷ୍ମୀପରି ରୂପ ଏବଂ ସରସ୍ୱତୀଙ୍କ ପରି ଗୁଣର ପରିଚୟ ପାଇ ଏକବାରେ ସମ୍ବନ୍ଧ ସ୍ଥିର କରିଦେଇ ଚିତୋର ଫେରି ଆସିଲେ ।

 

ଯୁବରାଜ ଭୋଜଙ୍କର ବିବାହର ଆୟୋଜନ ଚାଲିଲା । ସମସ୍ତ ଚିତୋର ରାଜ୍ୟ ଆନନ୍ଦ ଉଲ୍ଲାସରେ ଉଚ୍ଛ୍ୱସିତ ହୋଇ ଉଠିଲା । ଶୁଭଦିନ, ଶୁଭଲଗ୍ନରେ ଭୋଜଙ୍କ ସହିତ ମୀରାର ବିବାହ ସମ୍ପନ୍ନ ହେଲା । ଭୋଜ ନବ ବଧୂଙ୍କୁ ଧରି ଚିତୋର ଆସିଲେ ।

 

କିଛିଦିନ ପରେ ରାଣା ମୁକୁଳ ଦେବଙ୍କର ମୃତ୍ୟୁ ହେଲା । ଭୋଜ ଚିତୋରର ରାଣା ହେଲେ । ମୀରା ହେଲେ ଚିତୋରର ରାଣୀ । ଭୋଜରାଜଙ୍କ ସଙ୍ଗେ ମୀରାଙ୍କ ବିବାହ ସୁଖକର ହେଲା ନାହିଁ । କାରଣ ପତି ଓ ପତ୍ନୀ ଉଭୟ ଏକ ମତାବଲମ୍ବୀ ନ ଥିଲେ । ଭୋଜ ଥଲେ ଶାକ୍ତ । ସେ ଭଗବତୀଙ୍କର ଭକ୍ତ ଆଉ ମିରାବାଈ ଥିଲେ ବୈଷ୍ଣବ, ବିଷ୍ଣୁଭକ୍ତ । ଶାକ୍ତ ଓ ବୈଷ୍ଣବ ମଧ୍ୟରେ ଚିରକାଳ ବିବାଦ ଲାଗି ରହି ଆସିଛି ସବୁଠାରେ । ସେମାନେ ନିଜ ନିଜ ମତର ପ୍ରାଧାନ୍ୟ ପ୍ରତିଷ୍ଠା କରନ୍ତି । ମୀରା ଶ୍ୱଶୁର ଘରେ ଶ୍ରୀକୃଷ୍ଣଙ୍କ ପୂଜାପାଠରେ ସମୟ କଟାଇବାକୁ ଲାଗିଲେ । ଶାକ୍ତର ଘରେ ଶ୍ରୀକୃଷ୍ଣଙ୍କର ପୂଜା–ଏହାଦେଖି ମୀରାବାଇଙ୍କ ଶାଶୁ ଦିନେ ମୀରାଙ୍କୁ ଡାକି କହିଲେ–‘‘ତୋର ଏ ଶ୍ରୀକୃଷ୍ଣ ପୂଜା ଏଠାରେ ଚଳିବ ନାହିଁ । ଏ ହେଉଛି ବୈଷ୍ଣବ ପୂଜା । ଆମର ଏହି ବଂଶ ଶାକ୍ତ ଅଟନ୍ତି-। ତେଣୁ ତୋତେ ଏଣିକି ଶ୍ରୀକୃଷ୍ଣଙ୍କ ପୂଜା ଆରଧନା ପରିବର୍ତ୍ତେ ଦେବୀ ଭଗବତୀଙ୍କ ପୂଜା କରିବାକୁ ପଡ଼ିବ ।

 

ମୀରା ଶାଶୁଙ୍କ କଥା ଶୁଣି ଅବାକ୍‌ । କ’ଣ ତାଙ୍କୁ ଉତ୍ତର ଦେବେ ? ବାଲ୍ୟକାଳରୁ ଯାହାଙ୍କୁ ପୂଜା କରି ଆସିଛି, ପିତା, ମାତା, ପିତୃବ୍ୟ ଯେଉଁ ପୂଜା କରିବାକୁ ଶିକ୍ଷା ଦେଇଛନ୍ତି, ଆଜି ଏଠାରେ ତାକୁ କିପରି ପରିତ୍ୟାଗ କରିବେ ? ଯେଉଁ ଶ୍ରୀକୃଷ୍ଣ ତାଙ୍କ ପ୍ରାଣର ଈଶ୍ୱର, ତାଙ୍କୁ ସେ ପୂଜା କରିପାରିବେ ନାହିଁ ? ମୀରାର ମନରେ ଦାରୁଣ ଦୁଃଖ ହେଲା ।

 

ମୀରା ତାର ପ୍ରାଣର ଦେବତା ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ବୁକୁରେ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ । ଅଶ୍ରୁସିକ୍ତ ନୟନରେ କହିଲେ, ‘‘ପ୍ରଭୁ ! ଏ କି ନିଷ୍ଠୁର ଆଦେଶ ? ମୁଁ ତ ସେହି ଆଦେଶ ପାଳନ କରିପାରିବି ନାହିଁ । ତୁମ୍ଭେ ପ୍ରଭୁ ଏହାର ପଥ ମୋତେ ଦେଖାଅ ।’’

 

ମୀରା ଶ୍ରୀକୃଷ୍ଣଙ୍କ ପୂଜା କୀର୍ତ୍ତନ ଆଦୌ ପରିତ୍ୟାଗ କରି ପାରିଲେନି । ଯେପରି କରୁଥିଲେ ସେହିପରି କରିଚାଲିଲେ । ଶାଶୁଙ୍କର ଏକାଜିଦ୍‌ ଶ୍ରୀକୃଷ୍ଣଙ୍କ ପୂଜା ଛାଡ଼ିବାକୁ ହେବ, ତା ନ ହେଲେ ରାଜଅନ୍ତପୁର ପରିତ୍ୟାଗ କରିବାକୁ ପଡ଼ିବ ।

 

ଏକଥା ମୀରାର ପ୍ରାଣରେ ଘୋର ଆଘାତ ଦେଲା । ସେ ସ୍ଥିର କଲେ ରାଜ୍ୟ, ଅନ୍ତଃପୁର ଛାଡ଼ି ଚାଲିଯିବେ ପଛେ, ତାର ପ୍ରାଣର ଦେବତା ଶ୍ରୀକୃଷ୍ଣଙ୍କ ପୂଜା ଛାଡ଼ି ପାରିବେ ନାହିଁ । ଯେତେ ଦୁଃଖ ଭୋଗ କରିବାକୁ ପଡ଼ିଲେ ମଧ୍ୟ ସେ ହସି ହସି ତାହା ସହିଯିବେ ।

 

ମୀରା ଅଶ୍ରୁପୂର୍ଣ୍ଣ ନୟରେ ଶାଶୁଙ୍କର ପାଦତଳେ ପଡ଼ି କହିଲେ–‘‘ଆପଣଙ୍କ ଚରଣାଶ୍ରିତ ମୁଁ । ଯଦି ମୋତେ ତଡ଼ିଦେବେ ଏ ପୃଥିବୀରେ ମୋର ସ୍ଥାନ କେଉଁଠି ? ମୋତେ କ୍ଷମା ଦିଅନ୍ତୁ ଏବଂ ଆପଣଙ୍କ ଚରଣ ସେବାରୁ ମୋତେ ନିବୃତ୍ତ କରନ୍ତୁ ନାହିଁ ।’’

 

ଶାଶୁ କହିଲେ–‘‘ତୋତେ ତଡ଼ିଦେବାପାଇଁ କ’ଣ ମୁଁ ବୋହୂକରି ଆଣିଥିଲି ? ମୁଁ ଚାହେଁ ଶ୍ରୀକୃଷ୍ଣଙ୍କ ପୂଜା ଏହି ଅନ୍ତଃପୁରରେ ହୋଇପାରିବ ନାହିଁ । ତାହା ପରିତ୍ୟାଗ କରି ଅନ୍ତଃପୁରରେ ରହିବାକୁ ମୁଁ ତ ମନା କରୁ ନାହିଁ । ମୋ କଥା ନ ରହିଲେ ଏ ଅନ୍ତଃପୁରରେ ତୋର ସ୍ଥାନ ନାହିଁ ।’’

 

ରାଜପୁର ପରିତ୍ୟାଗ କରିବେ ପଛେ ଶ୍ରୀକୃଷ୍ଣଙ୍କ ପୂଜା ଆରାଧନା ସେ ତ୍ୟାଗ କରିବେ ନାହିଁ । ଏହା ସ୍ଥିର କରି ସେ ନୀରବ ରହିଲେ ।

 

ଶେଷରେ ଦିନେ ତାଙ୍କୁ ରାଜପୁରୀରୁ ବାହାରି ଯିବାକୁ ପଡ଼ିଲା । ରାଜଅନ୍ତଃପୁରଠାରୁ ଦୂରରେ ଏକ ନିର୍ଜନ ଅଟ୍ଟାଳିକାରେ ସେ ଯାଇ ରହିଲେ । ମାଙ୍କ ଆଦେଶରେ ଭୋଜ ମୀରା ସହିତ ମଧ୍ୟ ଦେଖା ସାକ୍ଷାତ କଲେ ନାହିଁ, ଶାଶୁଙ୍କର ଏହି ନିଷ୍ଠୁରତାରେ ମୀରାବାଈ ପ୍ରାଣରେ ଯଦିଓ ଖୁବ୍‌ ଦୁଃଖ ଅନୁଭବ କଲେ ତଥାପି ସେ ଦୁଃଖକୁ ଚାପିରଖି ଶ୍ରୀକୃଷ୍ଣଙ୍କ ପୂଜା ଭଜନରେ ସେ କଥା ଏକବାରେ ଭୁଲିଗଲେ ।

 

ସେହି ନିର୍ଜନ ପ୍ରାସାଦ ମଧ୍ୟରେ ତାଙ୍କର ଆନନ୍ଦରେ ଦିନ କଟିବାକୁ ଲାଗିଲା । ସମସ୍ତ ନିର୍ଯ୍ୟାତନା ଯନ୍ତ୍ରଣାରୁ ସେ ମୁକ୍ତ ହୋଇ ସ୍ୱର୍ଗୀୟ ଆନନ୍ଦ ଅନୁଭବ କଲେ । ସଂସାର ଭିତରେ ରହିଲେ ନାନାକାର୍ଯ୍ୟରେ ବ୍ୟସ୍ତ ରହିବାକୁ ପଡ଼ିବ ଫଳରେ ଶ୍ରୀକୃଷ୍ଣଙ୍କୁ ଡାକିବାରେ ସମୟ ପାଇବେ ନାହିଁ । ବର୍ତ୍ତମାନ ସେ ସାଂସାରିକ ମାୟା ବନ୍ଧନରୁ ମୁକ୍ତ । ମନରେ କୌଣସି ଭାବନା ନାହିଁ । ସେ ଯେପରି ଅନୁଭବ କଲେ ସେ ବୃନ୍ଦାବନରେ ଅଛନ୍ତି । ଆନନ୍ଦ ଆବେଶରେ ମୀରାବାଈଙ୍କର ମନ ଭରିଉଠେ । ଏହିପରି ଦିନ ପରେ ଦିନ ଗଡ଼ିଚାଲିଲା ମୀରାବାଈଙ୍କର ।

 

ଏ ସଂସାରରେ ଦୁଷ୍ଟ ହିଂସୁକ ଲୋକଙ୍କର ଅଭାବ ନାହିଁ । ସେମାନେ କେବଳ ଲୋକଙ୍କର ନାନା ଅନିଷ୍ଟ କଥା ଚିନ୍ତା କରନ୍ତି । ଏହିଭଳି କେତେକ ବ୍ୟକ୍ତି ମୀରାବାଈଙ୍କର ଜୀବନକୁ କଳୁଷିତ କରିବା ଉଦ୍ଦେଶ୍ୟରେ ନାନା ଅନୀତି କଥା ରଚନା କଲେ । ରାଣା ଭୋଜଙ୍କୁ ଯାଇ କହିଲେ-। ରାଣା ମଧ୍ୟ ସେମାନଙ୍କ କଥାକୁ ସତ୍ୟ ବୋଲି ବିଶ୍ୱାସ କଲେ । ମୀରା ଉପରେ ତାଙ୍କର କ୍ରୋଧ ହେଲା । ଦିନେ ଜଣେ ଗୁପ୍ତଚର ଆସି ସମ୍ବାଦ ଦେଲା, ‘‘ସେ ନିଜେ ଶୁଣିଛି ମୀରାବାଇ ସେହି ନିର୍ଜନ ପ୍ରାସାଦରେ କାହା ସଙ୍ଗେ ହସ ଖୁସି, ଗୀତବାଦ୍ୟ, ଆଳାପ କରୁଥିଲେ ।

 

ଗୁପ୍ତଚରର କଥାରେ ରାଣାଙ୍କର ଭୟଙ୍କର କ୍ରୋଧ ଜାତ ହେଲା । ସେ ଏହାର ସତ୍ୟାସତ୍ୟ ଜାଣିବା ନିମନ୍ତେ ଦିନେ ଗୋପନରେ ଯାଇ ପ୍ରାସାଦର ଦ୍ୱାରଦେଶରେ ଲୁଚି ରହିଲେ । ସେ ଶୁଣିବାକୁ ପାଇଲେ ମୀରା କାହା ସହିତ କଥାବାର୍ତ୍ତା କରୁଛି, ଗୀତ ଗାଉଛି । ଗୁପ୍ତଚର ଦେଇଥିବା ସମ୍ବାଦ ସତ୍ୟବୋଲି ସେ ଭାବିଲେ

 

ଦରଜା ଭିତରପଟୁ ବନ୍ଦ ଥିଲା । ରାଣା ଭୋଜ ଦରଜା ଭାଙ୍ଗି ଭିତରେ ପ୍ରବେଶ କରି ଦେଖିଲେ କେହି ନାହିଁ । କେବଳ ମୀରା ଓ ତାଙ୍କର ସେହି ଗିରିଧାରି କୃଷ୍ଣ ମୂର୍ତ୍ତିଟି ଅଛନ୍ତି । ମୂର୍ତ୍ତି ନିକଟରେ ଦୀପାଲୋକଟି ମିଞ୍ଜି ମିଞ୍ଜି ହୋଇ ଜଳୁଅଛି । ମୀରା ଚକ୍ଷୁମୁଦ୍ରିତ କରି ଭଜନରେ ନିବିଷ୍ଟ-।

 

ମୀରା ଏପରି ତନ୍ମୟ ହୋଇ ଠାକୁରଙ୍କ ଧ୍ୟ୍ୟାନ କରୁଥିଲେ ଯେ ଦରଜା ଭାଙ୍ଗି ରାଣାଙ୍କର ଗୃହ ମଧ୍ୟରେ ପ୍ରବେଶ–ଏ ସବୁ ସେ କିଛି ଜାଣି ପାରିଲେ ନାହିଁ ।

 

ମୀରାର ଶାନ୍ତମୂର୍ତ୍ତି ଦେଖି ରାଣା ଅବାକ୍‌ ହେଲେ । ସେ ମୀରାବାଈଙ୍କ ପାଖକୁ ଯିବାଲାଗି ଯେତେ ଚେଷ୍ଟାକଲେ ସେ ଯାଇ ପାରିଲେ ନାହିଁ । ସେ ଅନୁଭବ କଲେ କୌଣସି ଅଦୃଶ୍ୟ ଶକ୍ତି ତାଙ୍କୁ ପଛରୁ ଟାଣି ଧରୁଛି ।

 

ମୀରାବାଈ କଥା କହୁଥିବାର ହଠାତ୍‌ ରାଣା ଶୁଣି ପାରିଲେ, ରାଣା ଚମକି ଉଠିଲେ; କିନ୍ତୁ ବୁଝିପାରିଲେ ମୀରାବାଈ ତାଙ୍କ ସଙ୍ଗେ କଥା ହେଉ ନାହିଁ କି ମୀରାବାଈ ରାଣାଙ୍କୁ ଦେଖି ପାରୁନାହାନ୍ତି କାରଣ ସେ ଆଖି ବୁଝି ଧ୍ୟ୍ୟାନମଗ୍ନ ।

 

ରାଣା ଏହି ଦୃଶ୍ୟ ଦେଖି ପାଷାଣବତ୍‌ ସେହିଠାରେ ଠିଆହୋଇ ରହିଲେ । ମୀରାବାଈ ହଠାତ୍‌ ଆବେଗରେ ଏକ ଭଜନ ଗାଇ ଉଠିଲେ, ତତ୍ପରେ ଭଜନ ଗାନ ପରେ ଖିଲି ଖିଲି ହୋଇ ହସିଉଠିଲେ । ରାଣା ଏହି ଦୃଶ୍ୟ ଦେଖି କିଛି ବୁଝିପାରିଲେ ନାହିଁ । ତେବେ ମୀରା କ’ଣ ପାଗଳ ହୋଇ ଯାଇଛି ?

 

ରାଣା ମୀରାଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, ‘‘କାହା ସହିତ ଏତେ ସମୟ ଧରି କଥାବାର୍ତ୍ତା କରୁଛ ? ସେ କେଉଁଠି ଓ କିଏ ?

 

ରାଣାଙ୍କର ଡାକରେ ମୀରାଙ୍କର ଚମକ ଭାଙ୍ଗିଲା । ସେ ଆଖି ଖୋଲି ଦେଖିଲେ ସ୍ୱୟଂ ରାଣାଭୋଜ ସମ୍ମୁଖରେ ଠିଆ ହୋଇଛନ୍ତି । କିନ୍ତୁ କିଛି କଥା କହିଲେନି । ରାଣା ପୁନର୍ବାର ସେହି କଥା ପଚାରିଲେ–କିଏ ସେହି, କେଉଁଠାରେ ଅଛି ? ଯାହା ସଙ୍ଗେ ଏତେ ସମୟ ଧରି କଥା ହେଉଥିଲେ ?

 

ମୀରା ଉତ୍ତରରେ କହିଲେ, ‘‘ମୁଁ ମୋର ସ୍ୱାମୀ ଦେବତାଙ୍କ ସହିତ କଥା ହେଉଥିଲି । ରାଣା ଏଥର କ୍ରୋଧରେ କହିଲେ–କିଏ ତୁମ୍ଭର ସ୍ୱାମୀ ? ମୁଁ ତ ତୁମ୍ଭକୁ ବିବାହ କରି ଅଛି । ଆର ସ୍ୱାମୀ କିଏ ଅଛି ?

 

ମୀରାବାଇ ତହୁଁ ସହଜ ସରଳଭାବରେ କହିଲେ, ଆପଣ ମୋର ଏହି ବାହ୍ୟଶରୀରର ସ୍ୱାମୀ କିନ୍ତୁ ମୋ ହୃଦୟର ଯେ ସ୍ୱାମୀ ସେ ମିବାରର ରାଜା ନୁହଁନ୍ତି, ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଅଧିପତି ଅଟନ୍ତି । ତାଙ୍କର ଅଶେଷ ଗୁଣ ଓ ଅଦ୍ଭୁତ କ୍ଷମତା, ସେ ମୋତେ ଭାରି ଭଲ ପାଆନ୍ତି । ମୋ ମନର ସବୁ ଦୁଃଖ ସେ ହରଣ କରି ନିଅନ୍ତି । ତାଙ୍କର ସୁମଧୁର କଥା ମୋ ଅନ୍ତରରେ ଆନନ୍ଦ ଦିଏ, ସେହି ଶ୍ରୀକୃଷ୍ଣଙ୍କ ଚରଣ ତଳେ ମୁଁ ଆଶ୍ରିତା–ସେହି ମୋର ସ୍ୱାମୀ ।

 

ମୀରାର ଆବେଗପୂର୍ଣ୍ଣ କଥା ଶୁଣି ରାଣାଙ୍କର ମୋହଭଙ୍ଗ ହେଲା । ଲୋକଙ୍କ କଥାରେ ବିଶ୍ୱାସ କରି ସେ କେତେ ବଡ଼ ଭୁଲ କରିଛନ୍ତି ବୋଲି ଅନୁତାପ କଲେ । ମୀରାର ଭକ୍ତି ଦେଖି ସେ ମୁଗଧ୍‌ ହୋଇଗଲେ । ଅନୁତପ୍ତ ହୃଦୟରେ ସେ ମୀରାକୁ କହିଲେ, ‘‘ମୀରା ! ମୋତେ ତୁମେ କ୍ଷମାକର । ତୁମକୁ ଭୁଲ ବୁଝି ଅନେକ କଷ୍ଟ ଦେଇଛି ।’’

 

ମୀରା ହସି କହିଲେ, ‘‘ଆପଣ ବୃଥାରେ ଅନୁତାପ କରୁଛନ୍ତି ମୁଁ ତ କୌଣସି କଷ୍ଟ ପାଇନାହିଁ । ଏହି ନିର୍ଜନ ପ୍ରାସାଦରେ ମୋତେ ଏକାକୀ ରଖିବାଦ୍ୱାରା ମୋର ସାଧନାର ସୁବିଧା କରି ଦେଇଛନ୍ତି ।’’

 

କାତରଭାବେ ରାଣା କହିଲେ, ‘‘ମୀରା, ଏଥର ପ୍ରାସାଦକୁ ଫେରିଚାଲ । ମୁଁ ଶପଥ କରୁଛି-ଏଣିକି ଅନ୍ତଃପୁରରେ ତୁମ୍ଭର କାର୍ଯ୍ୟରେ କେହି ବାଧା ଦେବେ ନାହିଁ ।’’

 

ମୀରା କହିଲେ, ‘‘ପ୍ରଭୁ, ଯେଉଁଠାରେ ମୋର ଗିରିଧାରୀ କୃଷ୍ଣ, ମୋର ପ୍ରାଣର ଦେବତା ରହିଅଛନ୍ତି ସେଠାରେ ହିଁ ମୋର ଘର, ତାହା ହିଁ ମୋର ରାଜପ୍ରସାଦ; ତେଣୁ ମୋର ମିନତି, ମୋତେ ରାଜପ୍ରାସାଦକୁ ଫେରିଯିବା ଲାଗି ଆଉ ବଳାନ୍ତୁ ନାହିଁ ।’’

 

ରାଣା ଭୋଜ ସେହି ପ୍ରାସାଦରେ ମୀରାଙ୍କର ପୂଜା ଆୟୋଜନର ସମସ୍ତ ବ୍ୟବସ୍ତା କରିଦେଲେ । ପୂଜା, ଅର୍ଚ୍ଚନା ଏବଂ ଦାନଦୁଃଖୀମାନଙ୍କ ସେବାରେ ମୀରା ଦିନ କଟାଇବାକୁ ଲାଗିଲେ ।

 

ଦିନେ ମୀରାବାଈ ବସି ଆବେଗଭରା ହୃଦୟରେ ଶ୍ରୀକୃଷ୍ଣଙ୍କ ଭଜନ ଗାନ କରୁଥିଲେ । ସେହି ସମୟରେ ମୀରାବାଈ ଦେଖିଲେ ତାଙ୍କର ସମ୍ମୁଖରେ ଜଣେ ସାଧୁ ବୈଷ୍ଣବ ଦଣ୍ଡାୟମାନ । ମୀରାର ଭଜନ ଶ୍ରବଣରେ ସେ ଯେପରି ତନ୍ମୟ ହୋଇ ପଡ଼ିଛନ୍ତି । କିଛିକ୍ଷଣ ପରେ ସାଧୁ ଗୋଟିଏ ମୂଲ୍ୟବାନ ସୁନ୍ଦର ମୁକ୍ତାର ମାଳା ମୀରାର ସମ୍ମୁଖରେ ରଖି କହିଲେ, ‘‘ମା, ଏହି ମାଳାଟି ମୁଁ ତୁମ୍ଭର ଶ୍ରୀକୃଷ୍ଣଙ୍କୁ ପ୍ରଦାନ କରୁଛି । ମୁଁ ଜଣେ ଧନୀ ସୌଦାଗର ଥିଲି । ଏ ସଂସାର ମୋତେ ଖରାପ ବୋଧ ହେବାରୁ ମୁଁ ସନ୍ନ୍ୟାସ ଜୀବନ ଯାପନ କରୁଅଛି । ସନ୍ନ୍ୟାସୀର ଏ ମାଳା କ’ଣ ହେବ ? ତେଣୁ ମୁଁ ଠାକୁରଙ୍କୁ ଏହି ମାଳାଟି ଉପହାର ଦେଉଅଛି ।’’

 

ମୀରା ମାଳାଟି ନେଇ ତାଙ୍କର ପ୍ରାଣର ଦେବତା ଶ୍ରୀକୃଷ୍ଣଙ୍କ ଗଳାରେ ଲମ୍ବାଇ ଦେଲେ । ଦେଖିଲେ ଭାରି ସୁନ୍ଦର ଦେଖାଯାଉଅଛି । ସନ୍ନ୍ୟାସୀ କିଛିକ୍ଷଣ ସେଠାରେ ରହି ଚାଲିଗଲେ ।

 

ଏହି ସନ୍ନ୍ୟାସୀ ଆଉ କେହି ନୁହଁନ୍ତି । ସ୍ୱୟଂ ମୋଗଲ ସମ୍ରାଟ ଆକବର । ମୀରାବାଈଙ୍କର ରୂପ, ଗୁଣ ଶ୍ରବଣ କରି ସମ୍ରାଟ ତାଙ୍କୁ ଦେଖିବାକୁ ଇଚ୍ଛା କରିଥିଲେ; କିନ୍ତୁ ମୀରାବାଈ ମିବାର ରାଣା ଭୋଜଙ୍କର ପତ୍ନୀ । ମୁସଲମାନ ସମ୍ରାଟଙ୍କ ପକ୍ଷେ ତାଙ୍କୁ ଦେଖିବା ଅସମ୍ଭବ । ତେଣୁ ଚତୁର ଆକବର ସନ୍ନ୍ୟାସୀର ବେଶରେ ମୀରାଙ୍କୁ ଦେଖିବାର ଇଚ୍ଛାକରି ଆସିଥିଲେ । ତାଙ୍କର ମନକାମନା ପୂର୍ଣ୍ଣ ହେଲା ।

 

ଏହା କିନ୍ତୁ ଗୋପନ ରହିଲା ନାହିଁ । ଚାରିଆଡ଼େ ଶୁଣାଗଲା ଆକବର ମୀରାବାଈଙ୍କୁ ଦେଖାକରି ତାଙ୍କର ଭଜନରେ ପ୍ରୀତ ହୋଇ ଗୋଟିଏ ମୁକ୍ତମାଳ ଉପହାର ଦେଇଛନ୍ତି । ଏହା ତ ଯିଏ ଶୁଣିଲେ ସେମାନେ ତାକୁ ଖରାପ ଢଙ୍ଗରେ ପ୍ରଚାର କରି ମୀରାବାଈଙ୍କୁ କଳଙ୍କିତ କରିବାକୁ ଚେଷ୍ଟାକଲେ ।

 

ରାଣାଭୋଜ ଏହା ଅପମାନିତ କଲା । ସେ ଏହାର ସତ୍ୟାସତ୍ୟ ଜାଣିବା ଉଦ୍ଦେଶ୍ୟରେ ମୀରାବାଈଙ୍କ ପ୍ରାସାଦକୁ ଗମନ କଲେ । ଦେଖିଲେ ମୁକ୍ତାମାଳଟି ଶ୍ରୀକୃଷ୍ଣ ମୂର୍ତ୍ତିର ଗଳାରେ ଝୁଲୁଛି । ଭୋଜ ପଚାରିଲେ, ‘‘ମୀରା, ଏ ମୁକ୍ତାର ମାଳା ତୁମ୍ଭେ ପାଇଲ କେଉଁଠୁ ?’’

 

ମୀରା, ‘‘ମୁଁ ପାଇବି କେଉଁଠୁ ? ଠାକୁର ତାଙ୍କ ଇଚ୍ଛାରେ ପାଇଛନ୍ତି ତାଙ୍କରି ପାଇଁ ।’’

 

ରାଣାଭୋଜ କ୍ରୋଧଜର୍ଜରିତ ହୋଇ କହିଲେ, ‘‘ମୀରା, ତୁମ୍ଭେ କଳଙ୍କିନୀ । ତୁମ ଯୋଗୁଁ ମୁଁ ଜନସମ୍ମୁଖରେ ଲଜ୍ଜିତ । ତୁମକୁ ନ ମାରିଲେ ମୋର ଶାନ୍ତ ନାହିଁ । ତୁମକୁ ଏହି ବିଷପାନ କରି ମୃତ୍ୟୁ ବରଣ କରିବାକୁ ପଡ଼ିବ ।’’

 

ମୀରାବାଈଙ୍କ ମୁଖରେ ଭାଷା ନାହିଁ । ଏ କି ଭୀଷଣ ପରୀକ୍ଷା ଠାକୁରଙ୍କର । ମନେ ମନେ ସେ ତାଙ୍କର ପ୍ରାଣର ଦେବତା ଗିରିଧାରୀ କୃଷ୍ଣଙ୍କୁ ସ୍ମରଣ କରି ରାଣାଙ୍କ ହସ୍ତରୁ ବିଷପାତ୍ରଟି ନେଇ ଆନନ୍ଦମନରେ ପାନ କରିଦେଲେ ସେହି ହଳାହଳ ବିଷ; କିନ୍ତୁ ସେହି ଅମୃତ ପରି ବୋଧହେଲା ମୀରାଙ୍କୁ ।

 

ରାଣା ସତୃଷ୍ଣ ନୟନରେ ଚାହିଁ ରହିଥାନ୍ତି, ‘‘ମୀରାଙ୍କର ମୃତ୍ୟୁକୁ । କିନ୍ତୁ କାହିଁ ? ମୀରା ସେହିପରି ଶ୍ରୀକୃଷ୍ଣଙ୍କ ଭଜନରେ ନିବିଷ୍ଟ ହୋଇରହିଲେ । ଏହି ଅଦ୍ଭୁତ ଦୃଶ୍ୟ ଦେଖି ରାଣା ସ୍ତମ୍ଭିତ ହୋଇଗଲେ । ଯେଉଁ ବିଷରୁ ଗୋଟିଏ ବିନ୍ଦୁ ପେଟକୁ ଗଲେ ଜୀବନର ସତ୍ତା ରହିବ ନାହିଁ ସେହି ହଳାହଳ ବିଷକୁ ମୀରା ହଜମ କରିଦେଲେ ! ଏହା କେବଳ ସେହି ଗିରିଧାରୀ ଶ୍ରୀକୃଷ୍ଣଙ୍କ ମହିମା । ଏହା ହୃଦୟଙ୍ଗମ କଲେ ସିନା କିନ୍ତୁ ମୀରାବାଈଙ୍କ ଉପରେ ଥିବା କ୍ରୋଧ ଉପଶମ ହେଲା ନାହିଁ ସେ ମୀରାଙ୍କ ପ୍ରାଣନାଶର ଉଦ୍ୟମରୁ ବିରତ ହେଲେ ନାହିଁ ସେ ଗୋଟିଏ ପେଡ଼ିରେ ବିଷଧର ସାପଟିଏ ପୂରାଇ ମୀରାଙ୍କ ପାଖକୁ ଉପହାରସ୍ୱରୂପ ପଠାଇଲେ ।

 

ମୀରାବାଈ ଗିରିଧାରୀଙ୍କ ଭଜନ ଗାଇ ଗାଇ ପେଡ଼ିଟି ଖୋଲିଲେ । ଓଃ ! କି ଭୀଷଣ ସାପ ! ଫଣା ଟେକି ପେଡ଼ି ଭିତରେ ରହିଲା । ମୀରାଙ୍କ ଭଜନ ଣୁଣିବାକୁ ଲାଗିଲା । କିନ୍ତୁ ମୀରାଙ୍କର କୌଣସି କ୍ଷତି କରିପାରିଲା ନାହିଁ । କିଛି ସମୟପରେ ସାପଟି ପେଡ଼ିରୁ ବାହାରି ଚାଲିଗଲା ।

 

ଏହି ଖବର ପାଇ ରାଣାଭୋଜ ବିଚଳିତ ହୋଇ ଉଠିଲେ । କୌଣସି ଉପାୟରେ ସେ ମୀରାଙ୍କ ପ୍ରାଣନାଶ କରିପାରିଲେ ନାହିଁ । କ’ଣ କରିବେ ବୋଲି ସେ ବଡ଼ ଚିନ୍ତିତ ହେଇଉଠିଲେ; ଶେଷରେ ସ୍ଥିର କଲେ ତାଙ୍କୁ ରାଜ୍ୟରୁ ବାହାର କରିଦେବେ ।

 

ଏଣେ ମଧ୍ୟ ମୀରାଙ୍କୁ ରାଣାଙ୍କର ବ୍ୟବହାର ଭଲ ଲାଗିଲା ନାହିଁ । ଗୋଟିକ ପରେ ଗୋଟୀଏ ବିପଦ ତାଙ୍କ ଉପରେ ଆସି ପଡ଼ୁଛି । ସେ ମଧ୍ୟ ମିବାର ପରିତ୍ୟାଗ କରି ଚାଲିଯିବାକୁ ସ୍ଥିର କଲେ । ଏଣେ ରାଣାଙ୍କ ଆଦେଶ ସାଙ୍ଗକୁ ତାଙ୍କର ଇଚ୍ଛା ମେଳ ଖାଇଗଲା । ସେ ଯାହା ଚାହୁଁଥିଲେ ରାଣା ସେହି ଆଦେଶ ଦେଲେ । ଦିନେ ରାତିରେ ମୀରା ତାଙ୍କର ପ୍ରାଣର ଦେବତା ଗିରିଧାରୀ ଶ୍ରୀକୃଷ୍ଣଙ୍କୁ ଧରି ପିତୃରାଜ୍ୟକୁ ଚାଲିଗଲେ ମିବାର ପରିତ୍ୟାଗ କରି ।

 

କିଛିଦିନ ସେ ତାଙ୍କର ପ୍ରିୟ ଜନ୍ମଭୂମିରେ କଟାଇ ସନ୍ନ୍ୟାସିନୀ ହୋଇ ତୀର୍ଥଭ୍ରମଣରେ ବାହାରିଲେ । ପ୍ରଥମେ ସେ ଶ୍ରୀକୃଷ୍ଣଙ୍କ ନିତ୍ୟବିହାରସ୍ଥଳୀ ବୃନ୍ଦାବନ ଅଭିମୁଖେ ଯାତ୍ରା କଲେ । ବହୁ ବାଧାବିଘ୍ନ ଅତିକ୍ରମ କରି ସେ ବୃନ୍ଦାବନରେ ପହଞ୍ଚିଲେ । ସେତେବେଳକୁ ମୀରାବାଈ ଜଣେ ଶ୍ରେଷ୍ଠ ସାଧକରୂପେ ଖ୍ୟାତି ଲାଭକରି ସାରିଥିଲେ । ତାଙ୍କର ଦର୍ଶନ ଲାଭ ଉଦ୍ଦେଶ୍ୟରେ ଅନେକ ଭକ୍ତ ଆସି ପହଞ୍ଚିଲେ ।

 

ସେତେବେଳେ ପ୍ରଭୁ ଶ୍ରୀରାମଙ୍କ ମହାନ୍‌ ଭକ୍ତ ଗୋସ୍ୱାମୀ ତୁଳସୀଦାସ ବୃନ୍ଦାବନରେ ରହିଥିଲେ । ମୀରା ସେଠାରେ ତୁଳସୀଦାସଙ୍କୁ ଦିନେ ଦେଖା କରିବାକୁ ଗଲେ । ଦୁଇଭକ୍ତ ପରସ୍ପରକୁ ଦେଖି ଆନନ୍ଦିତ ହେଲେ ।

 

କିଛିକାଳ ବୃନ୍ଦାବନରେ କଟାଇ ମୀରାବାଈ ଦ୍ୱାରକା ଗଲେ ଯେଉଁଠାରେ ଶ୍ରୀକୃଷ୍ଣ ତାଙ୍କର ଶେଷ ଜୀବନ କଟାଇଥିଲେ ଦ୍ୱାରକାରେ ମୀରାବାଈ ଗୋଟିଏ ମନ୍ଦିର ପ୍ରତିଷ୍ଠା କରି ଶ୍ରୀକୃଷ୍ଣଙ୍କ ପୂଜା ଆରାଧନାରେ ମଜ୍ଜି ରହିଲେ । କ୍ରମେ ଦ୍ୱାରକା ଗୋଟିଏ ମହାନ୍‌ ତୀର୍ଥରେ ପରିଣତ ହେଲା । ନାନା ଦୂରଦେଶରୁ ସାଧୁ, ସନ୍ନ୍ୟାସୀମାନେ ସେଠାକୁ ତୀର୍ଥ ଉଦ୍ଦେଶ୍ୟରେ ଆସିବାକୁ ଲାଗିଲେ । ଦେଖୁ ଦେଖୁ ମୀରାବାଈ ଏବଂ ସେହି ମନ୍ଦିର ବୈଷ୍ଣବମାନଙ୍କର ଏକ ମହାନ୍‌ ତୀର୍ଥସ୍ଥଳରେ ପରିଣତ ହେଲା ।

 

ଭାଦ୍ରବ ମାସ । ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ତିଥି । ମୀରାବାଈଙ୍କ ମନ୍ଦିରରେ ମହୋତ୍ସବ ଲାଗିଛି । ବହୁ ଦୂରଦୂରାନ୍ତରୁ ଭକ୍ତ, ସାଧୁ, ବୈଷ୍ଣବମାନେ ଉତ୍ସବ ଦେଖିବାକୁ ଦ୍ୱାରକାରେ ଆସି ପହଞ୍ଚିଛନ୍ତି । ମୀରାବାଈଙ୍କ ମନରେ ଆନନ୍ଦର ସୀମା ନାହିଁ । ମହାଆଡ଼ମ୍ବରରେ ସେ ପାଳନ କରୁଛନ୍ତି ତାଙ୍କର ଗିରିଧାରି ଗୋପାଳଙ୍କ ଜନ୍ମତିଥି । ଏହି ସମୟରେ ଗୋଟିଏ ପାଲିଙ୍କି ଆସି ମନ୍ଦିର ସମ୍ମୁଖରେ ରହିଲା । ପାଲିଙ୍କି ଭିତରୁ ବାହାରି ଆସିଲେ ରାଣାଭୋଜ-ମୀରାବାଈଙ୍କ ସ୍ୱାମୀ । ଏତେଦିନେ ସେ ନିଜର ଭୁଲ ବୁଝିପାରିଛନ୍ତି । ଲୋକମାନଙ୍କ ମିଥ୍ୟା; କଥାରେ ଭୁଲି ସେ ମୀରାବାଈଙ୍କୁ ନାନା ନିର୍ଯ୍ୟାତନା ଦେଇଛନ୍ତି; କିନ୍ତୁ ମୀରାବାଈ ପବିତ୍ର, ଧାର୍ମିକ ଏହା ସେ ହୃଦୟଙ୍ଗମ କରି ତାଙ୍କୁ ଫେରାଇ ନେବାଲାଗି ଆସିଛନ୍ତି ।

 

ରାଣା ମନ୍ଦିର ଭିତରେ ପ୍ରବେଶ କରି ମୀରାବାଈଙ୍କୁ ସାକ୍ଷାତ କଲେ ଏବଂ ତାଙ୍କର ଅତୀତର ସମସ୍ତ ଦୋଷତ୍ରୁଟିକୁ ମନରୁ ପାସୋରି ଦେଇ ମିବାର ଫେରିଯିବାଲାଗି ଅନୁରୋଧ କଲେ । ମୀରାବାଈ କହିଲେ, ‘‘ଶ୍ରୀକୃଷ୍ଣଙ୍କ ସଙ୍ଗେ ଦେଖା ନ କରି ସେ ତ ଯାଇପାରିବେନି । ସେ ଠାକୁରଙ୍କୁ ଦର୍ଶନ ନିମନ୍ତେ ମନ୍ଦିର ଭିତରେ ପ୍ରବେଶ କଲେ ଏବଂ ମନ୍ଦିରର ଦରଜା ବନ୍ଦକରି ଦେଲେ ।

 

ଅନେକ ସମୟ ବିତିଗଲା । ମୀରା ମନ୍ଦିର ଭିତରୁ ବାହାରିଲେ ନାହିଁ । ରାଣା ଆପେକ୍ଷମାଣ ଅବସ୍ଥାରେ ଧୈର୍ଯ୍ୟ ହରାଇଲେ । ସେ ମୀରାଙ୍କୁ ମନ୍ଦିର ଭିତରୁ ବାହାରକରି ଆଣିବା ଉଦ୍ଦେଶ୍ୟରେ ମନ୍ଦିରର ଦରଜା ଭାଙ୍ଗିବାକୁ ଆଦେଶ ଦେଲେ । ରାଣାଙ୍କ ଆଦେଶରେ ଦରଜା ଭାଙ୍ଗି ଦିଆଗଲା । ରାଣା ମନ୍ଦିର ମଧ୍ୟରେ ପ୍ରବେଶକରି ଦେଖିଲେ ସେଠାରେ ମୀରା ନାହାନ୍ତି । ଶ୍ରୀକୃଷ୍ଣ ମୂର୍ତ୍ତି ସ୍ୱର୍ଣ୍ଣ ସିଂହାସନରେ ବିଦ୍ୟମାନ ।

 

ରାଣା ମନ୍ଦିର ମଧ୍ୟରେ ମୀରାବାଈଙ୍କୁ ତନ୍ନ ତନ୍ନ କରି ଖୋଜିଲେ କିନ୍ତୁ ପାଇଲେ ନାହିଁ ।

 

ମୀରା ତାଙ୍କର ଅନ୍ତରର ସ୍ୱାମୀ ଶ୍ରୀକୃଷ୍ଣଙ୍କ ଦେହରେ ଲୀନ ହୋଇ ଯାଇଥିଲେ । ଏ ପୃଥିବୀରେ ତାଙ୍କୁ ଖୋଜିଲେ ବି ଆଉ ତାଙ୍କୁ କେହି ପାଇପାରିବେ ନାହିଁ ।

 

ଆଜି ମିରାବାଈ ନାହାନ୍ତି । କିନ୍ତୁ ଯୁଗ ଯୁଗକୁ ତାଙ୍କର ଅମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଅଛି । ମୀରାବାଈଙ୍କ ଭଜନ ସମସ୍ତଙ୍କ ପ୍ରାଣରେ ଅପୂର୍ବ ଭକ୍ତିର ଭାବଧାରା ବୁହାଉଅଛି ।

Image

 

ଶ୍ରୀକୃଷ୍ଣ

 

ଶ୍ରୀକୃଷ୍ଣ ଭଗବାନଙ୍କ ଅବତାର ଏବଂ ପୂର୍ଣ୍ଣ ଅବତାର ମଧ୍ୟ । ଅନ୍ୟାନ୍ୟ ଅବତାରଙ୍କ ଭଳି କେବଳ ଭୂଭାର ହରଣ କରି କିମ୍ବା ଧର୍ମ ସଂସ୍ଥାପନ କରି ସେ କ୍ଷାନ୍ତ ହୋଇ ନାହାନ୍ତି । ବହୁମୁଖୀ ପ୍ରତିଭା ବଳରେ ସେ କ୍ଷାନ୍ତ ହୋଇ ନାହାନ୍ତି । ବହୁମୁଖୀ ପ୍ରତିଭା ବଳରେ ସେ ଯେପରି ତପସ୍ୱୀ, ସେହିପରି ଆଦର୍ଶ ସଂସାରୀ, ରାଷ୍ଟ୍ରନୀତିଜ୍ଞ, ଯୋଦ୍ଧା, କୂଟନୀତିଜ୍ଞ ଅଟନ୍ତି ଶ୍ରୀକୃଷ୍ଣଙ୍କ ଜୀବନବ୍ୟାପୀ ସାଧନା ଭାରତୀୟ ରାଷ୍ଟ୍ରନୈତିକ, ଐକ୍ୟ ପ୍ରତିଷ୍ଠାର ଏକ ବିରାଟ ଇତିହାସ ମାତ୍ର । ଶ୍ରୀକୃଷ୍ଣଙ୍କ ପୂଜା ଆମ ଦେଶର ଘରେ ଘରେ ପ୍ରଚଳିତ; କିନ୍ତୁ ତାଙ୍କର ଆଦର୍ଶକୁ ଭୁଲିଯାଇ ମନୁଷ୍ୟ କେବଳ ଭକ୍ତିର ଆଳସ୍ୟପରାୟଣତାରେ ତାଙ୍କୁ ପୂଜା କରୁଅଛି ।

 

ସୋମବଂଶ ପ୍ରତିଷ୍ଠାତା ବୁଧଙ୍କ ବଂଶୋଦ୍ଭବ ଶ୍ରୀକୃଷ୍ଣ ଓ ବଳରାମ । ତାଙ୍କର ପିତା ବସୁଦେବ । ଭୋଜଙ୍କ ପୁତ୍ର ଦେବକଙ୍କ କନ୍ୟା ଦେବକୀଙ୍କୁ ବସୁଦେବ ବିବାହ କରିଥିଲେ, ଦେବକୀ ହେଉଛନ୍ତି ତାଙ୍କର ୨ୟା ପତ୍ନୀ । ପ୍ରଥମ ପତ୍ନୀ ହେଉଛନ୍ତି ରୋହିଣୀ । ରୋହିଣୀଙ୍କଠାରୁ ବଳରାମ ଓ କନ୍ୟା ସୁଭଦ୍ରା ଏବଂ ଦେବକୀଙ୍କଠାରୁ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ।

 

ବୁଧଙ୍କର ଅନ୍ୟ ଶାଖାରେ ପୁତ୍ର ଭୋଜଙ୍କର ଦୁଇପୁତ୍ର ଦେବକ ଓ ଉଗ୍ରସେନ । ଦେବକଙ୍କ କନ୍ୟା ଦେବକୀ । ଉଗ୍ରସେନ୍‌ଙ୍କର ପୁତ୍ର କଂସ ଓ ସୁନାମ । ଦେବକଙ୍କ ମୃତ୍ୟୁପରେ ଉଗ୍ରସେନ ଶୂରସେନର ରାଜା ହେଲେ । ଉଗ୍ରସେନଙ୍କର ପୁତ୍ର କଂସ ବଡ଼ ଦୁର୍ଦ୍ଦାନ୍ତ ଓ ଦୁଷ୍ଟ ପ୍ରକୃତିର ଥିଲା; କିନ୍ତୁ ଦେବକୀକୁ ଭଲ ପାଉଥିଲା ।

 

ଯେଉଁ ଦିନ ବସୁଦେବ ଓ ଦେବକୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେଲା କଂସ ମନରେ ଅପାର ଆନନ୍ଦ, ଭଗ୍ନୀ ଓ ଭଗ୍ନୀପତିଙ୍କ ପ୍ରତି ତାର ତିଳେହେଲେ ଅସମ୍ମାନ ନ ଥିଲା । ବିବାହ ଶେଷରେ କଂସ ନିଜେ ଭଗ୍ନୀ ଓ ଭଗ୍ନୀପତିଙ୍କୁ ରଥରେ ବସାଇ ଆଣିଥିଲା ।

 

ଯେତେବେଳେ କଂସ ଜାଣିବାକୁ ପାଇଲା ଦେବକୀର ଅଷ୍ଟମଗର୍ଭ ସନ୍ତାନ ତାର ହେବ ହନ୍ତା, ସେତେବେଳେ ଭଗ୍ନୀ ଦେବକୀଠାରୁ ତାର ମାୟାମମତା ତୁଟିଗଲା । ତାର ସମସ୍ତ ସନ୍ତାନଙ୍କୁ ଭୂମିଷ୍ଟ ହେବା ମାତ୍ରେ ନିହତ କରିବାର ସଂକଳ୍ପ କରି ଦେବକୀ ଓ ବସୁଦେବଙ୍କୁ କାରାରୁଦ୍ଧ କରି ରଖିଲା । କେବଳ ସେତିକି ନୁହେଁ ନିଜର ପିତା ଉଗ୍ରସେନଙ୍କୁ ମଧ୍ୟ ବନ୍ଦୀ କରି ରଖିଲା ।

 

ସେହି କାରାବାସରେ ଦେବକୀଙ୍କ ୬ଟି ସନ୍ତାନଙ୍କୁ କଂସ ନିହତ କଲା । ପୁତ୍ରଶୋକାତୁରା ଦେବକୀ ତାର ଆଖି ଆଗରେ ଏହି ନୃଶଂସ ହତ୍ୟାକାଣ୍ଡର ବିରୁଦ୍ଧରେ କୌଣସି ପ୍ରତିକାର କରିବାର ଉପାୟ ନ ଥିଲା ସତ କିନ୍ତୁ ପ୍ରତିକାରର ଉପାୟ ବାହାର କଲେ ବିଷ୍ଣୁ ।

 

ଦୈବଶକ୍ତି ଆଗରେ ମନୁଷ୍ୟର ଶକ୍ତି କେତେ ? ଦେବକୀଙ୍କ ୭ମ ଗର୍ଭ ସନ୍ତାନ ଅପହୃତା ହୋଇ ରୋହିଣୀଙ୍କ ଗର୍ଭରେ ରହିଲେ ବିଷ୍ଣୁଙ୍କ ମାୟାରେ, ସେ ବଳରାମ ହୋଇ ଜନ୍ମ ହେଲେ ଶ୍ରାବଣ ପୂର୍ଣ୍ଣିମାତିଥିରେ ।

 

ଦେବକୀଙ୍କର ଅଷ୍ଟମ ଗର୍ଭ । ଏହି ଗର୍ଭସ୍ଥ ସନ୍ତାନ ହେବ ମାମୁଁ କଂସର ହନ୍ତା । କଂସ ଅସ୍ଥିର ହୋଇ ଉଠିଲା । ଯେ କୌଣସି ପ୍ରକାରେ ଏହାକୁ ନିହତ କରିବାକୁ ପଡ଼ିବ । କଡ଼ା ପ୍ରହରର ବନ୍ଦୋବସ୍ତ କରି ପ୍ରହରୀମାନଙ୍କୁ ପୂର୍ଣ୍ଣ ସତର୍କ ରହିବାକୁ ଆଦେଶ ଦେଲା । ଦେବକୀ ମଧ୍ୟ ମନୋବେଦନାରେ ସନ୍ତପ ।

 

ଭାଦ୍ରବ ମାସର କୃଷ୍ଣାଷ୍ଟମୀ । କୃଷ୍ଣପକ୍ଷର ତିମିରାବୃତ ନିଶୀଥ ସମୟରେ କାରାଗାର କ୍ରୋଡ଼ରେ ରୋହିଣୀ ନକ୍ଷତ୍ରରେ ଦେବକୀଙ୍କ ଅଷ୍ଟମ ଗର୍ଭସ୍ଥ ପୁତ୍ର ସନ୍ତାନ ଧରା ସ୍ପର୍ଶ କଲା । ବନ୍ଦୀ ଗୃହରେ ଦିବ୍ୟାଲୋକ ପ୍ରତିଭାତ ହେଲା । ଦେବକୀ ଓ ବସୁଦେବ ଜାଣିପାରିଲେ ନାରାୟଣଙ୍କ ଆବିର୍ଭାବ ହେଲା । ହଠାତ୍‌ କାରାଗାରରଦ୍ୱାର ଉନ୍ମୁକ୍ତ ହୋଇଗଲା । ପ୍ରହରୀମାନେ ଗାଢ଼ ନିଦ୍ରାରେ ନିଦ୍ରାଭିଭୁତ ହେଲେ । ବସୁଦେବ ସଦ୍ୟଜାତ ଶିଶୁ ସନ୍ତାନଟିକୁ ଧରି ମୁହୂର୍ତ୍ତକ ମଧ୍ୟରେ ଅନ୍ଧକାର ପ୍ରକୃତି ଗର୍ଭରେ ନନ୍ଦ ଭୁବନକୁ ଚାଲିଲେ । ପୂର୍ଣ୍ଣକଳେବର ଯମୁନା ନଦୀ ପାରହୋଇ, ପ୍ରଳୟ ଝଡ଼ବର୍ଷା କବଳରୁ ଶିଶୁପୁତ୍ରକୁ ରକ୍ଷାକରି ବସୁଦେବ ବ୍ରଜ ନଗରୀରେ ଉପସ୍ଥିତ ହେଲେ । ସେତେବେଳକୁ ଘଟଣାସ୍ରୋତ ତାଙ୍କର ଅନୁକୂଳ ହୋଇଥିଲା । ନନ୍ଦପତ୍ନୀ ଯଶୋଦାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ହେବାକ୍ଷଣି ସେ ମୂର୍ଚ୍ଛିତା ହୋଇଥିଲେ । ଧୀର ପଦକ୍ଷେପରେ ବସୁଦେବ ନନ୍ଦାଳୟରେ ପ୍ରବେଶ କରି ସଙ୍ଗେ ସଙ୍ଗେ ଶିଶୁ କନ୍ୟାକୁ ସ୍ଥାନଚ୍ୟୁତ କରି ଯଶୋଦାଙ୍କ କ୍ରୋଡ଼ରେ ପୁତ୍ରଟିକୁ ଶୁଆଇ ଦେଇ ଶିଶୁ କନ୍ୟା ସହ ସ୍ଥାନ ତ୍ୟାଗ କଲେ ।

 

ବସୁଦେବ ଫେରିବା ପରେ କାରାଦ୍ୱାର ପୁଣି ଅବରୁଦ୍ଧ ହେଲା । କୁଆଁ କୁଆଁ ଶବ୍ଦରେ କାରାଗାର ପ୍ରତିଧ୍ୱନିତ ହେଲା । ପ୍ରହରୀମାନେ ସଙ୍ଗେ ସଙ୍ଗେ ଦେବକୀଙ୍କର ସନ୍ତାନ ଜନ୍ମ ଖବର କଂସକୁ ଜଣାଇଲେ । କଂସ ଅସ୍ଥିର ହୃଦୟରେ ଆସି କାରାଗାରରେ ପ୍ରବେଶ କରି ଦେବକୀର କ୍ରୋଡ଼ରୁ କନ୍ୟାଟିକୁ ନେଇଆସି ମାରିଦେବା ଲାଗି ଉଦ୍ୟତ ହୁଅନ୍ତେ ତାହା ହଠାତ୍‌ କଂସ ହସ୍ତଚ୍ୟୁତ ହୋଇ ଶୁନ୍ୟମାର୍ଗରେ ଅନ୍ତର୍ହିତ ହୋଇଗଲେ । କଂସ ନିର୍ବାକ୍‌ ଅବସ୍ଥାରେ ଚାହିଁ ରହିଲା ଶୂନ୍ୟପଥକୁ କି ବିଡ଼ମ୍ବନା ଏ ?

 

ଏଣେ ବ୍ରଜନଗରୀ ଆନନ୍ଦ ଉତ୍ସବରେ ନିମଗ୍ନ । ନନ୍ଦଙ୍କର ପୁତ୍ରସନ୍ତାନ ଲାଭରେ ସମଗ୍ର ବ୍ରଜଭୂମି ଆନନ୍ଦମୁଖରିତ ହୋଇ ଉଠିଥିଲା ବେଳେ କଂସ ମନରେ ଯୁଗପତ୍‌ ଭୟର ଘନ ଅନ୍ଧକାର ଜମାଟ ବାନକଧି ତାକୁ ଅସ୍ଥିର କରିପକାଇଲା ।

 

ନନ୍ଦ ପୁତ୍ରର ନାମକରଣ ଉତ୍ସବର ଆୟୋଜନ କରି କୁଳାଚାର୍ଯ୍ୟ ଗର୍ଗଙ୍କୁ ନିମନ୍ତ୍ରଣ କରି ଆଣିଲେ । ମହାମହୋତ୍ସବ ଭିତରେ ନାମକରଣ ଉତ୍ସବ ସମାହିତ ହେଲା । ମହର୍ଷି ଗର୍ଗ ପୁତ୍ରର ନାମ ରଖିଲେ କୃଷ୍ଣ । ଗର୍ଗ ଯୋଶାଦାଙ୍କୁ ପୁତ୍ରର ପରିଚୟ ପ୍ରଦାନ କରି ପ୍ରସ୍ଥାନ କଲେ ।

 

ଶଶିକଳା ପରି ଶ୍ରୀକୃଷ୍ଣ ନନ୍ଦ ଘରେ ବଢ଼ିବାକୁ ଲାଗିଲେ । କଂସ ଯେତେବେଳେ ଜାଣିବାକୁ ପାଇଲା ତାର ଶତ୍ରୁ ଯାଇ ବ୍ରଜପୁରରେ ନନ୍ଦଘରେ ଗୋପନରେ ରହିଅଛି ସେ ତାର ଦୁଷ୍ଟ ଦୁର୍ଦ୍ଦାନ୍ତ ଅନୁଚର ପୂତନା, ଶକଟା, ତୃଶାବର୍ତ୍ତ ଆଦିଙ୍କୁ ତାର ନିଧନ ନିମନ୍ତେ ପଠାଇଲା । କିନ୍ତୁ ସେମାନେ ଶ୍ରୀକୃଷ୍ଣଙ୍କ ମାୟାରେ ମୃତ୍ୟୁମୁଖରେ ପଡ଼ିଲେ ।

 

ଶ୍ରୀକୃଷ୍ଣ, ବଳରାମ ଗଉଡ଼ ଘରର ପୁଅ । ଧର୍ମ କାହୁଁ ଛାଡ଼ିବେ । ଧର୍ମ ରକ୍ଷାପାଇଁ ତାଙ୍କର ଅବତୀର୍ଣ୍ଣ । କୃଷ୍ଣଙ୍କୁ ୮ ବର୍ଷ ଓ ବଳରାମଙ୍କୁ ୧୦ ବର୍ଷ ବେଳେ ସେମାନେ ଗାଈ ଚରାଇବାରେ ନିଯୁକ୍ତ ହେଲେ । ବଣ ଜଙ୍ଗଲର ପ୍ରାକୃତିକ ଶୋଭା ଭିତରେ ଗାଈପଲଙ୍କୁଧରି କୃଷ୍ଣ ବଳରାମ ଗୋପବାଳକଙ୍କ ସାଙ୍ଗରେ ଆନନ୍ଦରେ ଦିନ କାଟିବାକୁ ଲାଗିଲେ । ଏଣେ କିନ୍ତୁ କଂସ ନିଶ୍ଚିନ୍ତ ରହିପାରିଲେ ନାହିଁ । ପୂତନା, ଶକଟାଙ୍କ ମୃତ୍ୟୁପରେ ବକା, ଅଘା, ବତ୍ସା, ପ୍ରଳମ୍ବା ଆଦି ଦୁର୍ଦ୍ଦାନ୍ତ ଅନୁଚରକୁ ପ୍ରେରଣ କଲା ଶ୍ରୀକୃଷ୍ଣଙ୍କୁ ନିହତ କରିବାକୁ ଚେଷ୍ଟାକରି ଶେଷରେ ସେମାନେ ନିହତ ହେଲେ ।

 

କ୍ରମେ କଂସର ବଳ କମି ଆସିଲା । ତାର ମହାବଳୀ ଅନୁଚରମାନେ ଧରଣୀରୁ ଲୋପ ପାଇଗଲେ । ଗୋଟିକ ପରେ ଗୋଟିଏ ଚକ୍ରାନ୍ତ ତାର ପଣ୍ଡ ହୋଇଗଲା । ସାମାନ୍ୟ ବାଳକ ସବୁ ଚକ୍ରାନ୍ତକୁ ପଣ୍ଡ କରିଦେବା ଦେଖି ଆଉ ଏକ ଅଭିନବ ଯୋଜନା ପ୍ରସ୍ତୁତ କଲା କଂସ । ଏକ ଧନୁର୍ଯଜ୍ଞ ଅନୁଷ୍ଠିତକରି ବଳରାମ ଓ ଶ୍ରୀକୃଷ୍ଣଙ୍କୁ ଯଜ୍ଞକୁ ନିମନ୍ତ୍ରଣକରି ନିହତ କରିବା ହେଲା ତାଯୋଜନାର ଉଦ୍ଦେଶ୍ୟ । ଅବିଳମ୍ବେ ଧନୁଯଜ୍ଞର ଆୟୋଜନ ଚାଲିଲା । ଅକ୍ରୂରଙ୍କୁ ପଠାଗଲା ବଳରାମ ଓ ଶ୍ରୀକୃଷ୍ଣଙ୍କୁ ନିମନ୍ତ୍ରଣକରି ଆଣିବା ନିମନ୍ତେ । ଅକ୍ରୂର ରଥନେଇ ଯାତ୍ରା କଲେ ବ୍ରଜପୁର-

 

ବଳରାମ ଓ ଶ୍ରୀକୃଷ୍ଣ ମାମୁଁଙ୍କ ଧନୁଯଜ୍ଞର ନିମନ୍ତ୍ରଣକୁ ସାଦରେ ଗ୍ରହଣ କଲେ । କିନ୍ତୁ ନନ୍ଦଙ୍କ ମନରେ ଆଶଙ୍କା ଆବୃତ କଲା । ଶ୍ରୀକୃଷ୍ଣ ଓ ବଳରାମ ଆସି ମଥୁରାରେ ପହଞ୍ଚିଲେ । ଧନୁଯଜ୍ଞ ଦର୍ଶନ ନିମନ୍ତେ ଶ୍ରୀକୃଷ୍ଣଙ୍କ ସହିତ ଆସିଛନ୍ତି ଯାଦବଗଣ । ସମସ୍ତେ ସୁସଜ୍ଜିତ ହୋଇ ଯଜ୍ଞଦ୍ୱାରରେ ଉପସ୍ଥିତ ହେଲେ, ରାମକୃଷ୍ଣ ସେମାନଙ୍କର ଅଗ୍ରଣୀ । ଦ୍ୱାରରେ ପ୍ରଥମ ବାଧା ଦେଲା ଉନ୍ମତ୍ତହସ୍ତୀ କୁବଳୟା, ହିଂସ୍ର ହୋଇଉଠିଲା ରାମ କୃଷ୍ଣଙ୍କୁ ଆକ୍ରମଣ କରିବାପାଇଁ, ସତେ ଯେପରି ଏହି କ୍ଷୁଦ୍ର ବାଳକ ଦୁଇଟିକୁ ଚକଟି ମନ୍ଥୀ ନିଃଶେଷ କରିଦେବ; କିନ୍ତୁ ସେମାନେ କ’ଣ ବାଳକ ? ହାତୀ ତାଙ୍କୁ ଚକଟି ଦେବ, ରାମକୃଷ୍ଣ ପୂର୍ବରୁ ପ୍ରସ୍ତୁତ । ଗଦାଘାତ ଓ କୁନ୍ତମୁନରେ ହସ୍ତୀର ପ୍ରାଣନାଶ କରି ଆଗେଇ ଚାଲିଲେ । ତତ୍ପରେ ବାଧା ଦେଲେ କଂସର ଦୁଇ ଦିଗ୍‌ବିଜୟୀ ବୀର ମଲ୍ଲ ଚାଣୁର ଓ ମୁଷ୍ଟିକ । କିନ୍ତୁ ସେମାନଙ୍କର ଆସ୍ଫାଳନ ବ୍ୟର୍ଥ ହେଲା, ସେମାନେ ମୁହୂର୍ତ୍ତକ ମଧ୍ୟରେ ରାମକୃଷ୍ଣଙ୍କଦ୍ୱାରା ଧରାଶାୟୀ ହେଲେ ଏଥର ଶେଷ ଅଭିଯାନ ଆରମ୍ଭ ହେଲା ରାମକୃଷ୍ଣଙ୍କର ।

 

ଏହି ସବୁ ଘଟଣା ଶ୍ରବଣକରି କଂସ ଜ୍ଞାନଶୂନ୍ୟ ଓ ଉନ୍ମତ୍ତ ହୋଇଉଠିଲା । ତାର କ୍ରୋଧ ଅପରିସୀମ ଅର୍ଥାତ ମନ ଦୁର୍ବଳ । ଭୀମବେଗରେ ଶ୍ରୀକୃଷ୍ଣ କଂସର ସିଂହାସନ ଉପରେ ଆରୋହଣ କରି କଂସକୁ ଏପରିଭାବେ ଧକ୍‍କା ଦେଲେ ନିଜର ଚରଣ ଯୁଗଳରେ ଯେ କଂସ ସିଂହାସନରୁ ତଳକୁ ଖସିପଡ଼ି ପ୍ରାଣ ହରାଇଲା ।

 

ରାମକୃଷ୍ଣଙ୍କ ଜୀବନର ପ୍ରଥମ ଅଭିଯାନ ସଫଳ ହେଲା । କଂସର ଅତ୍ୟାଚାରରୁ ଧରଣୀ ହେଲା ମୁକ୍ତ ।

 

କୃଷ୍ଣଙ୍କ ଆଦେଶରେ ଅକ୍ରୂର ଯାଇ ବସୁଦେବ, ଦେବକୀ, ଉଗ୍ରସେନ ଓ ଅନ୍ୟାନ୍ୟ ଯାଦବଗଣଙ୍କୁ କାରାମୁକ୍ତ କଲେ । ଉଗ୍ରସେନଙ୍କୁ ମଥୁରା ସିଂହାସନ ଅର୍ପଣକରି ଶ୍ରୀକୃଷ୍ଣ ବ୍ରଜପୁରୀ ଫେରି ଆସିଲେ ।

 

କୃଷ୍ଣଙ୍କୁ ୮ବର୍ଷ । ବଳରାଙ୍କୁ ୧୦ବର୍ଷ । କୌଣସି ବିଦ୍ୟା ଶିକ୍ଷା କରି ନାହାନ୍ତି । କେବଳ କୁଳଧର୍ମ ରକ୍ଷାକରି ଗୋଚାରଣରେ କ’ଣ କାଳ କାଟିବେ ? ରାଜା ହେବେ, ରାଜ୍ୟ ଚଳାଇବେ । ସେଥିପାଇଁ ପିତା ତାଙ୍କର ଦୁଇ ଭାଇଙ୍କୁ ବିଦ୍ୟାଶିକ୍ଷା ଉଦ୍ଦେଶ୍ୟରେ କାଶୀ ସମୀପସ୍ଥ ସାନ୍ଦିପନୀ ଋଷିଙ୍କ ଆଶ୍ରମରେ ଛାଡ଼ିଦେଲେ । ଯେ ସକଳ ବିଦ୍ୟାର ସୃଷ୍ଟିକର୍ତ୍ତା ସେ କ’ଣ ଶିଖିବେ ? ଯାହାହେଉ ଅଳ୍ପ ସମୟ ମଧ୍ୟରେ ଦୁଇଭାଇ ସାନ୍ଦିପନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସକଳ ବିଦ୍ୟାରେ ପାରଦର୍ଶୀ ହୋଇଉଠିଲେ । ରାଜନୀତି, ଧର୍ମନୀତି, ଯୁଦ୍ଧନୀତି, ତର୍କଶାସ୍ତ୍ର ଆଦି ସମସ୍ତ ଶାସ୍ତ୍ର ଆୟତ୍ତକରି ବିଦ୍ୟାଶିକ୍ଷା ଶେଷ କଲେ । ଗୁରୁଦକ୍ଷିଣାସ୍ୱରୂପ ଗୁରୁଙ୍କର ବାର ବର୍ଷର ପୁତ୍ର ଯେ କି ପ୍ରଭାସ ତୀର୍ଥରେ ବୁଡ଼ି ପ୍ରାଣ ହରାଇଥିଲା ଗୁରୁପତ୍ନୀଙ୍କ ଅନୁରୋଧକ୍ରମେ ତାଙ୍କୁ ଯମଭୁବନରୁ ଫେରାଇଆଣି ଗୁରୁଙ୍କୁ ଅର୍ପଣ କଲେ । ତତ୍ପରେ ମଥୁରା ଆସିଲେ ।

 

ତତ୍ପରେ ଦୁଇ ଭାଇଙ୍କର ବିବାହ ହେଲା । ରେବତ ରାଜାଙ୍କ କନ୍ୟା ରେବତୀ ସହିତ ବଳରାମଙ୍କର, ବିଦର୍ଭ ରାଜ୍ୟର ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀ ସହିତ ଶ୍ରୀକୃଷ୍ଣଙ୍କର ବିବାହ ହୋଇଥିଲା ।

 

କଂସର ମୃତ୍ୟୁ ପରେ ତାର ପତ୍ନୀ ଅସ୍ତି ଯେ କି ପ୍ରବଳ ପ୍ରତାପୀ ଜରାସନ୍ଧର କନ୍ୟା, ସେ ସ୍ୱାମୀ ନିଧନର ପ୍ରତିଶୋଧ ଗ୍ରହଣାର୍ଥେ ପିତାଙ୍କ ନିକଟରେ ଅନ୍ତର୍ବେଦନା ଜଣାଇଲା । ସମ୍ରାଟତ୍ୱ ପଥର କଣ୍ଟକ, ଜାମାତା-ହନ୍ତା, କୃଷ୍ଣଙ୍କ ନିଧନପାଇଁ ଜରାସନ୍ଧ ଅଚିରେ ବିରାଟ ବାହିନୀ ସହ ମଥୁରା ଅବରୋଧ କଲେ । ଶ୍ରୀକୃଷ୍ଣଙ୍କ ଶକ୍ତି ଆଗରେ ତାର କେତେ ଯେ ଶକ୍ତି ସେ ଶ୍ରୀକୃଷ୍ଣଙ୍କୁ ନିହତ କରି ଜାମାତା ମୃତ୍ୟୁର ପ୍ରତିଶୋଧ ନେବ ! ବହୁ ସୈନ୍ୟ ନିହତକରି ଶେଷରେ ପରାଜୟ ସ୍ୱୀକାରକରି ଜରାସନ୍ଧ ମଥୁରା ପରିତ୍ୟାଗ କରି ପଳାୟନ କଲା ସତ୍ୟ; କିନ୍ତୁ ପ୍ରତିଶୋଧର ବହ୍ନି ତାହୃଦୟରୁ ଲିଭିଲା ନାହିଁ । ପୁନର୍ବାର ଆହୁରି ଶକ୍ତି ସଂଗ୍ରହ କରି ମଥୁରା ଅବରୋଧ ନିମନ୍ତେ ପ୍ରସ୍ତୁତ ହେବାକୁ ଲାଗିଲା ।

 

କିଛି କାଳପରେ ଜରାସନ୍ଧ ପୁନର୍ବାର ମଥୁରା ଆକ୍ରମଣ କରିବାକୁ କାଳଯବନର ସେନାପତିତ୍ୱରେ ସୈନ୍ୟବାହିନୀ ପ୍ରେରଣ କଲା । ମଥୁରା ଅବରୁଦ୍ଧ ହେଲା । ବିନା ଅସ୍ତ୍ରରେ ଶ୍ରୀକୃଷ୍ଣ ତା ଶିବିରରେ ପ୍ରବେଶ କଲେ । ଶ୍ରୀକୃଷ୍ଣଙ୍କୁ ଦେଖିପାରି କାଳଯବନ ତାଙ୍କୁ ଧରିବାକୁ ଉଦ୍ୟତ ହୁଅନ୍ତେ ଶ୍ରୀକୃଷ୍ଣ ପଳାୟନ କରି ଏକ ପର୍ବତ ଗୁହାରେ ପ୍ରବେଶ କଲେ । କାଳଯବନ ଶ୍ରୀକୃଷ୍ଣଙ୍କ ପଶ୍ଚାଦ୍ଧାବନ କରି ସେହି ଗୁହାରେ ପ୍ରବେଶ କରନ୍ତେ ଶ୍ରୀକୃଷ୍ଣ ମଲ୍ଲଯୁଦ୍ଧରେ ତାକୁ ନିହତ କଲେ । ଏହି ଦୁଃସମ୍ବାଦରେ ଜରାସନ୍ଧ ବିମୁଖ ହୋଇପଡ଼ିଲା ।

 

ଜରାସନ୍ଧର ବାରମ୍ବାର ମଥୁରା ଆକ୍ରମଣରେ ଯାଦବମାନେ ଚିନ୍ତିତ ହୋଇ ଉଠିଲେ । ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଯାଦବମାନେ ମଥୁରା ପରିତ୍ୟାଗ କରି ରୈବତକ ପର୍ବତ ଉପରେ ନଗର ନିର୍ମାଣ କରି ବାସକଲେ । ଯାଦବମାନଙ୍କର ମଥୁରା ତ୍ୟାଗ ସମ୍ବାଦ ଅବଗତ ହୋଇ ଜରାସନ୍ଧ ସେମାନଙ୍କର ନୂତନ ବସତି ସମ୍ବନ୍ଧରେ ଅନୁସନ୍ଧାନ କରିବାକୁ ଲାଗିଲା । ରୈବତକ ଗିରିଦୁର୍ଗ ଆକ୍ରମଣ କରିବା ଆଉ ତା ପକ୍ଷେ ସମ୍ଭବ ହେଲା ନାହିଁ ।

 

ଉଗ୍ରସେନ ରାଜା ଥିଲେ ସତ୍ୟ, କିନ୍ତୁ ରାଜ୍ୟର ସମସ୍ୟାବଳୀରେ ସେ ଶ୍ରୀକୃଷ୍ଣଙ୍କ ପରାମର୍ଶ ଓ ଉପଦେଶ ମାନି ରାଜ୍ୟ ଚଳାଉଥିଲେ । ପ୍ରକୃତରେ ଶ୍ରୀକୃଷ୍ଣ । ବଳବୀର୍ଯ୍ୟ, ବୁଦ୍ଧିକୌଶଳ, ଜ୍ଞାନଗରିମାରେ ଥିଲେ ଯାଦବ ଶ୍ରେଷ୍ଠ, ଅଗ୍ରଜ ବଳରାମ ଓ ବୟୋଜ୍ୟେଷ୍ଠ ବୀରଗଣ ଏକାନ୍ତ ଅନୁଗତ ଥିଲେ । ଶ୍ରୀକୃଷ୍ଣ ଯାଦବଙ୍କ ନିମନ୍ତେ ବହୁତ୍ୟାଗ କରିଥିଲେ । ସର୍ବଦା ସେମାନଙ୍କର ଉନ୍ନତି କାମନା କରୁଥିଲେ ।

 

ସକ୍ରାଜିତଙ୍କଠାରେ ଗୋଟିଏ ଉଜ୍ଜ୍ୱଳ ମଣି ଥିଲା । ତାର ନାମ ସ୍ୟମନ୍ତକ ତାହା ରାଷ୍ଟ୍ରର ସଂପତ୍ତି, ତାଙ୍କ ପାଖରେ କହିଁକି ରହିବ ? ଏହା ଭାବି ଶ୍ରୀକୃଷ୍ଣ ସକ୍ରାଜିତଙ୍କଠାରୁ ମଣିଟି ଆଣିବା ନିମନ୍ତେ ଇଚ୍ଛାକଲେ । ଏକଥା ଯେତେବେଳେ ସକ୍ରାଜିତଙ୍କ ଜ୍ଞାତବ୍ୟ ହେଲା ସେ ମହାଅଡ଼ୁଆରେ ପଡ଼ିଗଲେ । ଶ୍ରୀକୃଷ୍ଣ ମଣିଟି ମାଗିଲେ ସେ ତ ଦେବାକୁ ମନା କରିପାରିବେ ନାହିଁ କି ଏଣେ ମଧ୍ୟ ମଣିଟି ପାଖରୁ ଛାଡ଼ିବାର ଇଚ୍ଛା ନୁହେଁ । ସୁତରାଂ ଶ୍ରୀକୃଷ୍ଣଙ୍କୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ ମଣିଟିକୁ ସେ ତାଙ୍କର ଭ୍ରାତା ପ୍ରସେନ୍‍କୁ ଦେଇଦେଲେ ।

 

ପ୍ରସେନ୍‍ ମଣିଟିକୁ ଗଳାରେ ଧାରଣ କରି ମୃଗୟା ନିମନ୍ତେ ବନକୁ ଯାତ୍ରା କଲେ । କିନ୍ତୁ ହଠାତ୍‌ ଏକ ସିଂହର ଆକ୍ରମଣରେ ପ୍ରାଣତ୍ୟାଗ କଲେ । ଏହି ଘଟଣାରେ ଶ୍ରୀକୃଷ୍ଣଙ୍କ କୁଚକ୍ରୀଗୋଷ୍ଠୀ ପ୍ରଚାର କରିଦେଲେ ଶ୍ରୀକୃଷ୍ଣ ମଣିଟି ପାଇଁ ପ୍ରସେନଙ୍କୁ ଗୋପନରେ ହତ୍ୟା କରିଛନ୍ତି । ଏହି ଅପବାଦ ଶ୍ରବଣରେ ଶ୍ରୀକୃଷ୍ଣ ଅତ୍ୟନ୍ତ ବ୍ୟଥିତ ହୋଇପଡ଼ିଲେ । ସେ ଏହାର ସତ୍ୟା-ସତ୍ୟ ଅନୁସନ୍ଧାନ ନିମନ୍ତେ କେତେକ ବିଶ୍ୱସ୍ତ ଯାଦବ ଅନୁଚରଙ୍କୁ ନେଇ ବଣକୁ ଗଲେ । ବନରେ ପ୍ରସେନଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇଗଲା । ମଣିଟିକୁ ଗୋଟିଏ ଗୁହା ମଧ୍ୟରୁ ଆବିଷ୍କାର କରି ଏହି ଅପବାଦରୁ ମୁକ୍ତିଲାଭ ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣକୁ ମଣିଟି ଆଣି ସକ୍ରାଜିତଙ୍କୁ ଅର୍ପଣ କଲେ । ସକ୍ରାଜିତ କିନ୍ତୁ ଶ୍ରୀକୃଷ୍ଣଙ୍କୁ ମଣିଟି ପ୍ରତ୍ୟାର୍ପଣ କଲେ ମଧ୍ୟ ସେ ଆଉ ମଣି ଗ୍ରହଣ କଲେ ନାହିଁ । କାରଣ ମଣିଟି ଯୋଗୁଁ ତାଙ୍କୁ ଅପବାଦ ଶୁଣିବାକୁ ପଡ଼ିଥିଲା । ପୁଣି ଯଦି ସେହି ମଣିଟି ସେ ଗ୍ରହଣ କରନ୍ତି ତେବେ ସେହି ଅପବାଦ ପୁନର୍ବାର ରଟିତ ହେବ ।

 

ସକ୍ରାଜିତ ଦେଖିଲେ ମଣିଟି ପ୍ରତି ଶ୍ରୀକୃଷ୍ଣ ଯେତେବେଳେ ଏତେ ଆଗ୍ରହୀ ତେବେ କି ଉପାୟରେ ସେ ତାଙ୍କୁ ଦେବେ । ସେ ତାଙ୍କର କନ୍ୟା ସତ୍ୟଭାମାର ଗଳାରେ ମଣିଟି ଳମ୍ବାଇ ସତ୍ୟଭାମାଙ୍କୁ ଶ୍ରୀକୃଷ୍ଣଙ୍କ ସହିତ ବିବାହ କରିଦେଲେ । ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ ବିବାହ କରିଦେଲେ । ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ ବିବାହ କଲେ ସତ୍ୟ; କିନ୍ତୁ ମଣିଟି ସତ୍ୟଭାମାଙ୍କ ଗଳାରୁ ବାହାର କରି ସକ୍ରାଜିତଙ୍କୁ ଦେଇଆସିଲେ ।

 

ଯୁଧିଷ୍ଠିର ରାଜସୂୟ ଯଜ୍ଞ ଅନୁଷ୍ଠାନ କଲେ । ଶ୍ରୀକୃଷ୍ଣ ହେଲେ ଯଜ୍ଞର ଉଦ୍ୟୋକ୍ତା । କିନ୍ତୁ ରାଜସୂୟ ଯଜ୍ଞର ପ୍ରଧାନ ପ୍ରତିବନ୍ଧକ ହୋଇ ଠିଆହେଲେ ଜରାସନ୍ଧ । ସେ ବହୁ ନରପତିଙ୍କୁ ପରାଜିତ ଓ ବନ୍ଦୀ କରି ସମ୍ରାଟ ହେବାପାଇଁ ସେ ଏକ ରାଜସୂୟ ଯଜ୍ଞକରିବା ପାଇଁ ସଂକଳ୍ପବଦ୍ଧ । ଜରାସନ୍ଧକୁ ପରାଜିତ କିମ୍ବା ନିହତ ନ କଲେ ଯୁଧିଷ୍ଠିର ରାଜସୂୟ ଯଜ୍ଞର ଅଧିକାରୀ ହୋଇପାରିବେ ନାହିଁ । ଦୁଇଟି ଉଦ୍ଦେଶ୍ୟ ନେଇ ଶ୍ରୀକୃଷ୍ଣ ଜରାସନ୍ଧକୁ ନିହତ କରିବାକୁ ବାହାରିଲେ । ପ୍ରଥମ ହେଲା ଜରାସନ୍ଧ କାରାରୁଦ୍ଧ କରି ରଖିଥିବା ନୃପତିଙ୍କ ମୁକ୍ତି ବିଧାନ, ଦ୍ୱିତୀୟରେ ଜରାସନ୍ଧର ଅତ୍ୟାଚାରରୁ ପ୍ରଜାମାନଙ୍କୁ ରକ୍ଷାକରି ଯୁଧିଷ୍ଠିରଙ୍କଦ୍ୱାରା ଧର୍ମରାଜ୍ୟ ପ୍ରତିଷ୍ଠା କରିବା ।

 

ଏହି ଉଦ୍ଦେଶ୍ୟ ସାଧନ ନିମନ୍ତେ ଶ୍ରୀକୃଷ୍ଣ ଭୀମ ଓ ଅର୍ଜ୍ଜୁନଙ୍କୁ ସଙ୍ଗରେ ନେଇ ବ୍ରାହ୍ମଣ ବେଶରେ ନିଶୀଥ ସମୟରେ ଜରାସନ୍ଧର ଗଡ଼ରେ ପ୍ରବେଶ କଲେ । ଜରାସନ୍ଧ ସେମାନଙ୍କୁ ଚିହ୍ନିପାରି ଯୁଦ୍ଧର ସମ୍ମୁଖୀନ ହେଲା । ଦୀର୍ଘ ୧୫ ଦିନ ଯୁଦ୍ଧପରେ ଭୀମଙ୍କଦ୍ୱାରା ଜରାସନ୍ଧର ମୃତ୍ୟୁ ହେଲା କୃଷ୍ଣାର୍ଜ୍ଜୁନ ବନ୍ଦୀ ରାଜନ୍ୟବର୍ଗଙ୍କୁ ମୁକ୍ତକରି ଫେରି ଆସିଲେ । ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ଆରମ୍ଭ ହେଲା ।

 

ଆର୍ଯ୍ୟାବର୍ତ୍ତର ବିଭିନ୍ନ ପ୍ରାନ୍ତରୁ ରାଜା, ରାଜର୍ଷି, ବ୍ରାହ୍ମର୍ଷି, ବ୍ରାହ୍ମଣମାନେ ଯଜ୍ଞସ୍ଥଳରେ ପହଞ୍ଚିଲେ । ଏହି ସମୟରେ ଶିଶୁପାଳ ଏକ ବାଧା ସୃଷ୍ଟି କଲେ । ଯଜ୍ଞର ପ୍ରଥମ ଅର୍ଘ୍ୟ କାହାକୁ ପ୍ରଦାନ କରାଯିବ ସେ ବିଷୟରେ ନାନା ବାଦାନୁବାଦ ଉପସ୍ଥିତ ହେଲା । ଶ୍ରୀକୃଷ୍ଣଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରିବାକୁ ଯେତେବେଳେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହେଲା ଶିଶୁପାଳ ଏହି ପ୍ରସ୍ତାବର ଘୋର ପ୍ରତିବାଦ କଲେ । ଶିଶୁପାଳର ଯୁକ୍ତି ହେଲା ଗୋଟାଏ ଗଉଡ଼ ଜାତିର ବ୍ୟକ୍ତି ଏତେ ବଡ଼ ରାଜସୂୟ ଯଜ୍ଞର ପ୍ରଥମ ଅର୍ଘ୍ୟ ପ୍ରାପ୍ତ ହେବାର ଯୋଗ୍ୟ ନୁହନ୍ତି ଏଥିରେ ଶ୍ରୀକୃଷ୍ଣ କୋଧିତ ହୋଇ ଶିଶୁପାଳକୁ ସୁଦର୍ଶନ ଚକ୍ରଦ୍ୱାରା ନିହତ କଲେ । ରାଜସୂୟଯଜ୍ଞ ନିର୍ବିଘ୍ନରେ ସମାପ୍ତ ହେଲା ।

 

ଏହି ଧରଣୀରୁ ଦୁଷ୍ଟମାନଙ୍କୁ ନିବାରଣ କରି ସନ୍ଥମାନଙ୍କୁ ରକ୍ଷା କରିବା ଥିଲା ଶ୍ରୀକୃଷ୍ଣଙ୍କର ଚରମ ଲକ୍ଷ୍ୟ । ସେହି ଉଦ୍ଦେଶ୍ୟ ପୂରଣ ପାଇଁ ସେ କଂସ ଓ ତାର ଦୁଷ୍ଟ ଅନୁଚର ଏବଂ ଶିଶୁପାଳ, ଜରାସନ୍ଧ ଆଦିଙ୍କୁ ଏହି ଧରଣୀରୁ ବିଦାୟ ଦେଇ ମହାଭାରତ ଯୁଦ୍ଧରେ ଅବତୀର୍ଣ୍ଣ ହେଲେ । ମହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କ ପକ୍ଷରେ ରହି ଦୁର୍ଦ୍ଦାନ୍ତ କୌରବମାନଙ୍କୁ ଏହି ଧରାତଳରୁ ବିଦାୟଦେଇ ଯୁଧିଷ୍ଠିରଙ୍କୁ ଧର୍ମରାଜ୍ୟ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଲେ ।

 

ମହାଭାରତ ଯୁଦ୍ଧ ଶେଷରେ ପାଣ୍ଡବମାନଙ୍କଠାରୁ ବିଦାୟ ଗ୍ରହଣ କରି ଶ୍ରୀକୃଷ୍ଣ ଦ୍ୱାରକା ଯାତ୍ରାକଲେ । ସଙ୍ଗରେ ଭଦ୍ରାଙ୍କୁ ନେଇ ଦ୍ୱାରକା ଗଲେ । ଗଲାବେଳେ ଯୁଧିଷ୍ଠିରଙ୍କୁ ପ୍ରତିଶ୍ରୁତି ଦେଇ ଯାଇଥିଲେ ଅଶ୍ୱମେଧ ଯଜ୍ଞ ବେଳେ ସେ ଉପସ୍ଥିତ ହେବେ ।

 

କିଛିଦିନ ପରେ ଯୁଧିଷ୍ଠିର ଅଶ୍ୱମେଧ ଯଜ୍ଞର ଆୟୋଜନକରି ଶ୍ରୀକୃଷ୍ଣଙ୍କୁ ନିମନ୍ତ୍ରଣ କଲେ-। ଶ୍ରୀକୃଷ୍ଣ ଯାଦବଗଣଙ୍କ ସହିତ ହସ୍ତିନାରେ ଆସି ପହଞ୍ଚିଲେ । ମହାସମାରୋହରେ ଯଜ୍ଞ ସମାପ୍ତ ହେଲା । ଯଜ୍ଞ ଶେଷରେ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କଠାରୁ ବିଦାୟ ନେଇ ଦ୍ୱାରକା ପ୍ରସ୍ଥାନ କଲେ । ଏହା ହିଁ ଥଲା ପାଣ୍ଡବ ଓ ଶ୍ରୀକୃଷ୍ଣଙ୍କର ଶେଷ ସାକ୍ଷାତ ।

 

ଦ୍ୱାରକା ପ୍ରତ୍ୟାଗମନର କିୟତ୍‌କାଳ ପରେ ଶ୍ରୀକୃଷ୍ଣ ଦେଖିଲେ, ଯାଦବଗଣ ସମସ୍ତ ଧର୍ମ ପରିତ୍ୟାଗ କରି ଅତ୍ୟନ୍ତ ଦୁର୍ଦ୍ଦାନ୍ତ ହୋଇପଡ଼ିଛନ୍ତି । ସେମାନଙ୍କର ବିନାଶ ଆବଶ୍ୟକ । ନଚେତ୍‌ ଧର୍ମରାଜ୍ୟ ପ୍ରତିଷ୍ଠାରେ ସେମାନେ ନାନା ବିଘ୍ନ ସୃଷ୍ଟି କରିବେ ।

 

ଦିନେ ଯାଦବମାନେ ପ୍ରଭାସ ତୀର୍ଥକୁ ଗମନ କରି ସୁରାପାନ ଓ ନାନାଦି ଅସାର ଆମୋଦପ୍ରମୋଦର ମତ୍ତ ହେଲେ । ଆମୋଦପ୍ରମୋଦର ନାନା ଅସଂଯତ ଆଳାପରୁ କ୍ରମେ ପରସ୍ପର ମଧ୍ୟରେ କଳହର ସୃଷ୍ଟିହେଲା । କଳହରୁ ଆରମ୍ଭ ହେଲା ଖଣ୍ଡଯୁଦ୍ଧ । ଏହି ଖଣ୍ଡଯୁଦ୍ଧରେ ହେଲା ଯଦୁବଂଶର ପତନ । ଯଦୁବଂଶ ଧ୍ୱଂସ ହେଲା ।

 

ପରସ୍ପରର କଳହ ନିବାରଣପାଇଁ ଶ୍ରୀକୃଷ୍ଣ ଆଦୌ ଆଗ୍ରହ ପ୍ରକାଶ କଲେ ନାହିଁ । କାରଣ ସେ ଚାହୁଁଥିଲେ ଧର୍ମ ପ୍ରତିଷ୍ଠା । ଯାଦବମାନଙ୍କପରି ଅଧର୍ମ । ଧାରାରେ ରହିବାକୁ ସେ ପସନ୍ଦ କଲେ ନାହିଁ । ଧର୍ମ ସଂସ୍ଥାପନା ଲାଗି ସେ ଜରାସନ୍ଧ, ମାତୁଳ କଂସ, ଶିଶୁପାଳ ଆଦି ଅଧର୍ମାତ୍ମାଙ୍କୁ ସଂସାର କରିଥିଲେ । ସେ ନିଜ ବଂଶ ଯାଦବମାନଙ୍କ ପ୍ରତି ଏହି ନୀତିରୁ ବିଚ୍ୟୁତ ହେବେ କିପରି ?

 

ଯାଦବମାନଙ୍କ ବିନାଶରେ ତାଙ୍କ ନ୍ୟାୟପରାୟଣତା ଅକ୍ଷୁଣ୍ଣ ରହିଥିଲା । ସୁତରାଂ ସେମାନଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ନିମନ୍ତେ ସେ ଆଦୌ ଚେଷ୍ଟା କଲେ ନାହିଁ । ଯଦୁବଂଶ ଧ୍ୱଂସ ହେବା ଦେଖି ବସୁଦେବ ମର୍ମାହତ ହୋଇ କହିଲେ ‘‘ଯେଉଁ କୃଷ୍ଣ ମହାବଳ ପରାକ୍ରାନ୍ତ କଂସ, ଶିଶୁପାଳ, ଜରାସନ୍ଧଙ୍କ ପରି ଦୁର୍ଦ୍ଦାନ୍ତ ନରପତିମାନଙ୍କୁ ନିହତ କରିଥିଲେ ବର୍ତ୍ତମାନ ସ୍ୱୀୟ ଯଦୁବଂଶ ଧ୍ୱଂସହେବା ଦେଖି ସେ ଉଦାସୀନ ରହିଅଛନ୍ତି ।’’

 

ଯଦୁବଂଶ ଧ୍ୱଂସ ହେବା ଦେଖି ବଳରାମ ଯୋଗାବଲମ୍ବନ ପୂର୍ବକ ଶରୀର ରକ୍ଷାକଲେ । ବଳରାମଙ୍କ ଦେହତ୍ୟାଗ ପରେ ଶ୍ରୀକୃଷ୍ଣ ବିଚାର କଲେ–ତାଙ୍କର ଆଉ ରହିବା କି ପ୍ରୟୋଜନ ? ସେ ଯେଉଁ ଉଦ୍ଦେଶ୍ୟ ନେଇ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହୋଇଥିଲେ ତାହା ସବୁ ପୂରଣ ହୋଇଗଲାଣି । ଏଣିକି ନିଜ ଆସ୍ଥାନକୁ ଫେରିଯିବା ଉଚିତ୍‌ ।

 

ଏହା ସ୍ଥିରକରି ଶ୍ରୀକୃଷ୍ଣ ଶିଆଳୀ ଲତା କୁଞ୍ଜ ତଳେ ଏକ ଅଶ୍ୱତ୍‌ଥ ବୃକ୍ଷକୁ ଆଉଜି ଗୋଡ଼ ଉପରେ ଗୋଡ଼ ଥୋଇ ଅତୀତ ଜୀବନର କାର୍ଯ୍ୟାବଳୀ ସମ୍ବନ୍ଧରେ ଚିନ୍ତା କରିବାକୁ ଲାଗିଲେ । ଏହି ସମୟରେ ଜାରା ଶବରର ଧନୁର୍ବାଣ ତାଙ୍କ ପାଦ ବିଦ୍ଧକଲା । ଜାରା ଶ୍ରୀକୃଷ୍ଣଙ୍କୁ ଚିହ୍ନିପାରି ନିଜର ଅଜ୍ଞାତ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରନ୍ତେ-‘‘ଶ୍ରୀକୃଷ୍ଣ କହିଲେ–’’ ଏଥିରେ ତୋର ଲେଶମାତ୍ର ଦୋଷ ନାହିଁ । ଏହା ମୋର ବାଞ୍ଚିତ ଫଳ । ‘‘ଏ ଖବର ତୁମ୍ଭେ ଯାଇ ଅର୍ଜୁନଙ୍କୁ ଜଣାଅ ।’’

 

ଜାରାଶବରଠାରୁ ପାଣ୍ଡବମାନେ ଏହି ଦାରୁଣ ଦୁଃସମ୍ବାଦ ଶ୍ରବଣ କରି ସଙ୍ଗେ ସଙ୍ଗେ ଶ୍ରୀକୃଷ୍ଣଙ୍କ ଶେଷ ଦର୍ଶନ ନିମନ୍ତେ ଆସି ଉପସ୍ଥିତ ହେଲେ । ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ଦେଖି ଦେହତ୍ୟାଗ କଲେ ଅର୍ଜ୍ଜୁନ ଓ ଅନ୍ୟ ଭାଇମାନେ ଶ୍ରୀକୃଷ୍ଣଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରି ହସ୍ତିନା ଫେରି ଆସିଲେ

 

ବାଲ୍ୟକାଳରୁ ଶ୍ରୀକୃଷ୍ଣଙ୍କର ବଳର ବିକାଶ ନାନା ହିଂସ୍ରଜନ୍ତୁ ନିଧନରେ ତଥା କଂସ ନିଧନରେ ହୋଇଥିଲା । ନାନା କ୍ରୀଡ଼ା ଛଳରେ ସନ୍ତରଣ, ମଲ୍ଲଯୁଦ୍ଧର ଅଭ୍ୟାସଦ୍ୱାରା ସେହି ବଳ ତାଙ୍କର ସୁରକ୍ଷିତ ହୋଇଥିଲା । କୁରୁକ୍ଷେତ୍ର ଯୁଦ୍ଧରେ ତାଙ୍କର ରଥଚାଳନା, ସୈନ୍ୟ ପରିଚାଳନା, ସମରନିପୁଣତାର ଯଥେଷ୍ଟ ପରିଚୟ ମିଳିଥିଲା । ସେ ଥିଲେ ଅଦ୍ୱିତୀୟ ରାଜନୀତିଜ୍ଞ, କୂଟନୀତିଜ୍ଞ, ବେଦଜ୍ଞ ।

 

ସେ ଆତ୍ମୀୟସ୍ୱଜନ ଓ ଧର୍ମପରାୟଣମାନଙ୍କର ଯେପରି ହିତୈଷୀ ଥିଲେ, ସେମାନଙ୍କ ପାପାଚରଣ ଦେଖିଲେ ତାର ପ୍ରତିବିଧାନ ଲାଗି ପଛାଇ ଯାଉ ନ ଥିଲେ । ମାତୁଳ କଂସ, ପିତୃଶ୍ୱସା ପୁତ୍ର ଶିଶୁପାଳ, ସ୍ୱବଂଶୀୟ ଯାଦବଗଣ ଦୁର୍ଦ୍ଦାନ୍ତ ହେବାରୁ ତାଙ୍କଠାରୁ ରକ୍ଷା ପାଇ ନ ଥିଲେ । ସେ ଯେପରି ଅପରିସୀମ କ୍ଷମାଶୀଳ ଥିଲେ, ଆବଶ୍ୟକ ବେଳେ ସେହିପରି ଦଣ୍ଡବିଧାତା ମଧ୍ୟ ଥିଲେ ।

 

ଶ୍ରୀକୃଷ୍ଣ ଥିଲେ ସର୍ବଗୁଣସମ୍ପନ୍ନ ମହାମାନବ । ସେ ଥିଲେ ନିରପେକ୍ଷ, କ୍ଷମଶୀଳ, ହିତୈଷୀ, ଶାନ୍ତ, ନିରହଙ୍କାର, ଆତ୍ମସମ୍ମାନସମ୍ପନ୍ନ ଓ ତପସ୍ୱୀ । ତାଙ୍କ ମାନବସୁଲଭ କର୍ମ ମଧ୍ୟରେ ଅତିମାନୁଷୀ ଶକ୍ତିର ବିକାଶ ହୋଇଥିଲା । ତେଣୁ ସେ ନମସ୍ୟ, ପୂଜ୍ୟ ।

Image

 

ଜାମସେଦ୍‌ଜୀ ଟାଟା

 

ଆମର ଶାସ୍ତ୍ର କହୁଛି, ‘ବାଣିଜ୍ୟେ ବସତେ ଲକ୍ଷ୍ମୀ’ ଅର୍ଥାତ୍‌ ବାଣିଜ୍ୟରେ ଲକ୍ଷ୍ମୀ ବାସ କରନ୍ତି । ବାଣିଜ୍ୟଦ୍ୱାରା ଯେପରି ଧନଶାଳୀ ହୋଇପାରିବ ଆଉ କୌଣସିଥିରେ ସେପରି ହୋଇପାରିବ ନାହିଁ । ଧନ ବୃଦ୍ଧିର ଏକମାତ୍ର ପଥ ବ୍ୟବସାୟ ।

 

ବ୍ୟବସାୟ ବାଣିଜ୍ୟ ପାଇଁ ଛୋଟ ବଡ଼ ନାନାପ୍ରକାର କ୍ଷେତ୍ର ପଡ଼ିଅଛି । ସାମାନ୍ୟ ମୂଳଧନରେ ବ୍ୟବସାୟ ଆରମ୍ଭ କରାଯାଇପାରେ ଏବଂ ଶ୍ରମଶୀଳତା, ସତ୍ୟତା ଓ ଅଧ୍ୟବସାୟ ବଳରେ ସେଥିରେ ଉନ୍ନତି ଲାଭକରି ଖୁବ୍‌ ଧନୀ ହେବା ସମ୍ଭବ; କିନ୍ତୁ ଆମ୍ଭମାନଙ୍କର ସେ ଦିଗ ପ୍ରତି ଦୃଷ୍ଟି ନାହିଁ । ପାଠପଢ଼ା ଶେଷକରି ଆମ୍ଭେମାନେ ଚାକିରି ଖୋଜିବାରେ ଲାଗିପଡ଼ୁ । ମାସକୁ ପଚାଶ ଶହେ ଟଙ୍କାର ଚାକିରିଟିଏ ଜୁଟିଗଲେ ନିଜକୁ କୃତାର୍ଥ ମନେକରୁ । ଏହା ଫଳରେ ଦାରିଦ୍ର୍ୟକୁ ସହିତ ସଂଗ୍ରାମ କରି କରି ଜୀବନ ଶେଷ ହୋଇଯାଏ । ଐଶ୍ୱର୍ଯ୍ୟ ସୁଖ ଦର୍ଶନ ଭାଗ୍ୟରେ ଜୁଟେ ନାହିଁ; କିନ୍ତୁ ଏହି ଆମର ଭାରତବର୍ଷରେ ଏପରି ଲୋକ ଅଛନ୍ତି ଯେଉଁମାନେ କି ଚାକିରି ଅପେକ୍ଷା ବ୍ୟବସାୟ ବାଣିଜ୍ୟରେ ଅଧିକ ସମ୍ମାନ ଲାଭ କରିପାରିଛନ୍ତି । ସେହିପରି ଜଣେ ବିଶ୍ୱବିଖ୍ୟାତ କୃତୀ ସନ୍ତାନଙ୍କର ଜୀବନ ଚରିତ ଏଠାରେ ଆଲୋଚନା କରାଯିବ । ତାଙ୍କର ଜାମ୍‌ସେଦ୍‌ଜୀ ଟାଟା ।

 

ସୁରାଟ ବନ୍ଦରର କିଛି ଦୂରରେ ପୁରାତନ ବରୋଦା ରାଜ୍ୟାନ୍ତର୍ଗତ ନାଭସାରୀ ନାମକ ଗୋଟିଏ କ୍ଷୁଦ୍ର ସହରରେ ୧୮୩୯ ଖ୍ରୀ:ଅ:ରେ ଜାମସେଦ୍‍ଜୀ ଟାଟା ଜନ୍ମଗ୍ରହଣ କରିଥିଲେ । ସେ ଜାତିରେ ପାର୍ଶି ଥିଲେ । ଖ୍ରୀ: ପୂ: ଦୁଇହଜାର ବର୍ଷପୂର୍ବେ ଏହି ପାର୍ଶିମାନେ ପାରସ୍ୟରୁ ଆସି ବମ୍ବେ ପ୍ରଦେଶରେ ବାସ କରିଥିଲେ । ସେହି କାଳରୁ ସେମାନେ ଭାରତୀୟ ଅଧିବାସୀରୂପେ ଗଣା ହୋଇ ଆସୁଛନ୍ତି । ପାର୍ଶିମାନେ ଅଗ୍ନି ଉପାସକ । ପାର୍ଶିଜାତି ଆବହମାନ କାଳରୁ ବ୍ୟବସାୟୀ ଜାତିରୂପେ ପରିଚିତ । ଏମାନେ ଲକ୍ଷ୍ମୀଙ୍କର ବରପୁତ୍ର । ଜାମସେଦ୍‌ଜୀଙ୍କ ପିତା ମଧ୍ୟ ଜଣେ ବଡ଼ ବ୍ୟବସାୟୀ ଥିଲେ । ଚୀନ ଦେଶ ସହିତ ତାଙ୍କର ବାଣିଜ୍ୟ କାରବାର ଚାଲିଥିଲା ।

 

ନାଭସାରୀର ପ୍ରାଥମିକ ବିଦ୍ୟାଳୟରେ ଜାମ୍‌ସେଦ୍‌ଜୀଙ୍କର ଶିକ୍ଷା ଆରମ୍ଭ ହେଲା । ଶିକ୍ଷାରମ୍ଭ ସଙ୍ଗେ ସଙ୍ଗେ ସେ ସାମାଜିକ ପ୍ରଥାଗତ ଧର୍ମଶାସ୍ତ୍ର ମଧ୍ୟ ପାଠ କରିବାକୁ ଲାଗିଲେ । ପ୍ରାଥମିକ ପାଟୀଗଣିତ ଏବଂ ମାନସାଙ୍କ ସେ ଏହି ସମୟରେ କିଛି କିଛି ଶିଖିଥିଲେ । ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ଶେଷପରେ ୧୮୫୨ ଖ୍ରୀ: ଅ:ରେ ଉଚ୍ଚଶିକ୍ଷା ପାଇବା ପାଇଁ ବମ୍ବେ ସହରକୁ ଗଲେ । ସେତେବେଳେ ତାଙ୍କର ବୟସ ମାତ୍ର ୧୩ବର୍ଷ ହୋଇଥିଲା । ସେଠାରେ ସେ ଏଲଫିନ୍‌ ଷ୍ଟୋନ୍‌ ସ୍କୁଲରେ ଭର୍ତ୍ତି ହେଲେ । ଏହି ସ୍କୁଲରେ ଛଅବର୍ଷ ପଢ଼ିବାପରେ ତାଙ୍କର ଲେଖାପଢ଼ା ଶେଷ ହେଲା । ପଢ଼ାଶୁଣାରେ ସେ ବିଶେଷ ପ୍ରଶଂସା ଅର୍ଜ୍ଜନ କରିପାରି ନ ଥିଲେ । ବିଦ୍ୟାଳୟ ପରିତ୍ୟାଗ ପରେ ସେ ତାଙ୍କର ପିତାଙ୍କ ବ୍ୟବସାୟରେ ଯୋଗଦେଲେ । ସେତେବେଳେ ଚୀନ ଦେଶ ସହିତ ପାର୍ଶିମାନଙ୍କର ବାଣିଜ୍ୟ ବ୍ୟବସାୟ ଚାଲିଥିଲା । ଜାମ୍‌ସେଦ୍‌ଜୀ ପିତାଙ୍କ ବ୍ୟବସାୟରେ ଯୋଗଦାନ କରି ହଂକଂ ଯାତ୍ରା କଲେ ବ୍ୟବସାୟ ଉଦ୍ଦେଶ୍ୟରେ । ସେଠାରେ ଅଫିମ ବ୍ୟବସାୟରେ ତାଙ୍କର ବିଶେଷ ଜ୍ଞାନ ଏବଂ ଦକ୍ଷତା ଜନ୍ମିଲା ।

 

ଆମେରିକାରେ ଯଥେଷ୍ଟ ତୁଳା ଉତ୍ପନ୍ନ ହୁଏ । ଆମେରିକାରୁ ତୁଳାନେଇ ଇଂଲଣ୍ଡର ବସ୍ତ୍ରଶିଳ୍ପ ଚଳୁଥିଲା । ଇଂରେଜ ଓ ଆମେରିକାନ୍‌ଙ୍କ ମଧ୍ୟରେ ଗୃହଯୁଦ୍ଧ ଆରମ୍ଭ ହେବାରୁ ଆମେରିକା ଇଂଲଣ୍ଡକୁ ତୁଳା ରପ୍ତାନୀ ବନ୍ଦ କରିଦେଲା । ତେଣୁ ଇଂଲଣ୍ଡର ବସ୍ତ୍ର ଶିଳ୍ପପତିମାନେ ତୁଳା ପାଇଁ ଭାରତ ଉପରେ ନିର୍ଭର କଲେ । ସେତେବେଳେ ବମ୍ବେ ଥିଲା ତୁଳା ବ୍ୟବସାୟର ପ୍ରଧାନ କେନ୍ଦ୍ର । ବମ୍ବେ ବ୍ୟବସାୟୀମାନେ ଇଂଲଣ୍ଡକୁ ତୁଳା ଯୋଗାଇ ତୁଳା ବ୍ୟବସାୟରେ ଯଥେଷ୍ଟ ଲାଭବାନ ହେଲେ ।

 

ଜାମ୍‌ସେଦ୍‌ଜୀଙ୍କ ପିତା ବମ୍ବେର ବିଖ୍ୟାତ ବ୍ୟବସାୟୀ ପ୍ରେମଚାନ୍ଦ ରାୟଚାନ୍ଦଙ୍କ ସଙ୍ଗେ ସଙ୍ଗେ ତୁଳା କାରବାରର ଏକ ଯୌଥ ବ୍ୟବସାୟ ଆରମ୍ଭ କଲେ । ସେହି ବ୍ୟବସାୟ ଉଦ୍ଦେଶ୍ୟରେ ବିଲାତରେ ଗୋଟିଏ ବ୍ୟାଙ୍କ ଖୋଲିବାର ଆବଶ୍ୟକତା ଉପଲବ୍‌ଧ କରି ଜାମ୍‌ସେଦ୍‌ଜୀଙ୍କୁ ବ୍ୟାଙ୍କ ପରିଚାଳନା ଉଦ୍ଦେଶ୍ୟରେ ତାଙ୍କର ପିତା ହଂକଂରୁ ତାଙ୍କୁ ନେଇଆସିଲେ ! କିନ୍ତୁ ନାନାକାରଣରୁ ବ୍ୟାଙ୍କ ଖୋଲିବା ପ୍ରସ୍ତାବ ବନ୍ଦ ହୋଇଗଲା । ତଥାପି ଜାମ୍‌ସେଦ୍‌ଜୀଙ୍କୁ ତୁଳା କାରବାର ଦେଖାଶୁଣା କରିବାପାଇଁ ବିଲାତ ଯିବାକୁ ପଡ଼ୁଥିଲା ।

 

ଏହି ସମୟରେ ଆମେରିକା ଓ ଇଂଲଣ୍ଡର ଗୃହଯୁଦ୍ଧ ମେଣ୍ଟିଗଲା । ଆମେରିକା ଓ ଇଂଲଣ୍ଡ ମଧ୍ୟରେ ପୂର୍ବ ସଂପର୍କ ପୁନଃ ପ୍ରତିଷ୍ଠିତ ହେବାରୁ ଭାରତର ତୁଳା ବ୍ୟବସାୟ ମାନ୍ଦା ହୋଇଗଲା । ବହୁ ବଡ଼ ବଡ଼ ବ୍ୟବସାୟୀ କ୍ଷତିଗ୍ରସ୍ତ ହେଲେ । ଟାଟା କମ୍ପାନୀଙ୍କୁ ମଧ୍ୟ ଯଥେଷ୍ଟ କ୍ଷତି ସହିବାକୁ ପଡ଼ିଲା । ତଥାପି ତାଙ୍କର ବ୍ୟବସାୟ ତିଷ୍ଠିରହିଲା; କିନ୍ତୁ ଲଣ୍ଡନ ସହିତ କାରବାର ବନ୍ଦ ହୋଇଗଲା ।

 

କିଛିଦିନ ପରେ ଇଂଲଣ୍ଡ ଓ ଆବିସିନିଆ ମଧ୍ୟରେ ଯୁଦ୍ଧ ହେଲା ଟାଟା କମ୍ପାନୀ ଏହି ଯୁଦ୍ଧରେ ସୈନ୍ୟମାନଙ୍କୁ ଖାଦ୍ୟଦ୍ରବ୍ୟ ଯୋଗାଇବା ପାଇଁ ସରକାରଙ୍କଠାରୁ ଆଦେଶ ପାଇଲେ । ଯୁଦ୍ଧରେ ଆବିସିନିଆର ରାଜା ନିହିତ ହେବାରୁ ଯୁଦ୍ଧ ବନ୍ଦ ହୋଇଗଲା । କମ୍ପାନୀର କାର୍ଯ୍ୟ ମଧ୍ୟ ବନ୍ଦ ହୋଇଗଲା । ଏହି ବ୍ୟବସାୟରେ ଟାଟାକମ୍ପାନୀ ଯଥେଷ୍ଟ ଲାଭବାନ୍‌ ହୋଇଥିଲା ।

 

ଏଥର ଜାମ୍‌ସେଦ୍‌ଜୀ ଭାରତକୁ ଏକ ଶିଳ୍ପସମୃଦ୍ଧ ଦେଶରେ ପରିଣତ କବବାପାଇଁ ଉଦ୍ୟମ କଲେ । ପ୍ରଥମେ ସେ ଗୋଟିଏ ତେଲ କଳ ପ୍ରତିଷ୍ଠା କଲେ । ତତ୍ପରେ ଗୋଟିଏ ଲୁଗାକଳ ବମ୍ବେରେ ପ୍ରତିଷ୍ଠା କଲେ । ସେତେବେଳେ ଭାରତରେ ଲୁଗା କଳ ବମ୍ବେରେ ପ୍ରତିଷ୍ଠା କଲେ । ସେତେବେଳେ ଭାରତରେ ଲୁଗାକଳ ବେଶି ନ ଥଲା । ଫଳରେ ପ୍ରତ୍ୟକ କଳରୁ ପ୍ରଚୁର ଲାଭ ହେଲା । କିଛିଦିନପରେ ଜଣେ ବ୍ୟବସାୟୀ ଖୁବ୍‌ ଚଢ଼ା ଦରରେ ଜାମ୍‌ସେଦ୍‌ଜୀଙ୍କଠାରୁ ଲୁଗା କଳଟି କିଣି ନେଲେ ।

 

ଟାଟା କଳଟି ବିକ୍ରୟ କରିଦେଲେ ସତ୍ୟ, କିନ୍ତୁ ସେ ପୁନର୍ବାର ଲୁଗାକଳ ପ୍ରତିଷ୍ଠାର ଲୋଭ ପରିତ୍ୟାଗ କରିପାରିଲେ ନାହିଁ । ଗୋଟିଏ ଭଲ ଲୁଗାକଳ ପ୍ରତିଷ୍ଠା ଉଦ୍ଦେଶ୍ୟରେ ସେ ଅଭିଜ୍ଞତା ଅର୍ଜ୍ଜନ ପାଇଁ ମାଞ୍ଚେଷ୍ଟର ଯାତ୍ରା କଲେ । ସେତେ ବେଳେ ପୃଥିବୀରେ ମାଞ୍ଚେଷ୍ଟର ବସ୍ତ୍ରଶିଳ୍ପରେ ପ୍ରାଧାନ୍ୟ ଲାଭ କରିଥିଲା ।

 

ଜାମ୍‌ସେଦ୍‌ଜୀ ମାଞ୍ଚେଷ୍ଟର ପରିଦର୍ଶନରୁ ଫେରିଆସି ସେହି ଢାଞ୍ଚାରେ ନାଗପୁରରେ ଗୋଟିଏ ଉନ୍ନତ ଧରଣର ଲୁଗାକଳ ପ୍ରତିଷ୍ଠା କଲେ । ତାର ନାମ ଦେଲେ ‘‘ଏମ୍ପ୍ରସ୍‌ ମିଲ୍‌’’ । ଏହି କଳର ଉତ୍ତରତ୍ତର ଉନ୍ନତି ପାଇଁ ଜାମ୍‌ସେଦ୍‌ଜୀ ଲାଗିପଡ଼ିଲେ ।

 

ଟାଟାଙ୍କର ଉଦ୍ଦେଶ୍ୟ ଥିଲା ଅଳ୍ପ ମସୟ ମଧ୍ୟରେ ବେଶି ପରିମାଣରେ ଉତ୍କଷ୍ଟ ଜିନିଷ ପ୍ରସ୍ତୁତ କରି ଲୋକମାନଙ୍କୁ ଯୋଗାଇ ଦେବା । ସେଥିପାଇଁ ସେ ତାଙ୍କର ‘ଏମ୍ପ୍ରସ୍‌ ମିଲ୍‌’ରେ ଆଧୁନିକ ଉନ୍ନତ ପ୍ରଣାଳୀର କଳକବ୍‌ଜା ଖଞ୍ଜିଥିଲେ । ସେତେବେଳେ ‘‘ଏମ୍ପ୍ରସ୍‌ ମିଲ୍‌’’ପରି ଉନ୍ନତ ଧରଣର ଲୁଗାକଳ ଭାରତରେ ଆଉ ନ ଥିଲା । ଏହି ଲୁଗାକଳକୁ ଚଳାଇବା ପାଇଁ ଆବଶ୍ୟକ ପରିମାଣର ତୁଳା ପାଇଁ ସେ ନିକଟବର୍ତ୍ତୀ ଅଞ୍ଚଳରେ କପା ଚାଷର ପ୍ରଚଳନ କଲେ । ସେ ବୁଝିଥିଲେ କାରଖାନାର କର୍ମଚାରୀମାନେ ସନ୍ତୁଷ୍ଟ ନ ରହିଲେ କାରଖାନା ଭଲ ଚାଲିବ ନାହିଁ । ଉତ୍କୃଷ୍ଟ ମାଲ ଉତ୍ପାଦନ ହୋଇପାରିବ ନାହିଁ । ତେଣୁ ସେ କାରଖାନା ତଥା ତାଙ୍କର ଅନ୍ୟ ବ୍ୟବସାୟର କର୍ମଚାରୀଙ୍କ ସୁଖସୁବିଧା ପ୍ରତି ଯତ୍ନବାନ୍‌ ଥିଲେ । ଏପରିକି କାରଖାନାର ଲାଭାଂଶରୁ କିଛି କିଛି କର୍ମଚାରୀମାନଙ୍କୁ ପୁରସ୍କାର ଦେଉଥିଲେ । ଫଳରେ ‘ଏମ୍ପ୍ରସ୍‌ ମିଲ୍‌’ର କାର୍ଯ୍ୟ ସୁଚାରୁରୂପେ ଚଳୁଥିଲା-। ଉତ୍ପାଦନ ଭଲ ହେଉଥିଲା । ତଦନୁପାତରେ ଯଥେଷ୍ଟ ଲାଭ ମଧ୍ୟ ହେଉଥିଲା ।

 

‘ଏମ୍ପ୍ରସ୍‌ ମିଲ୍‌’ ପ୍ରତିଷ୍ଠା କରିବାର ଦଶବର୍ଷ ପରେ ଟାଟା ବମ୍ବେରେ ଆଉ ଗୋଟିଏ ଲୁଗାକଳ ପ୍ରତିଷ୍ଠା କଲେ । ଏହି କଳଟି ସେ ବାରଲକ୍ଷ ଟଙ୍କାରେ ଜଣେ ମିଲ ମାଲିକଠାରୁ କିଣିନେଇ ବହୁ ବ୍ୟୟରେ ଆଧୁନିକୀକରଣ କରିଥିଲେ । ଏଥିରେ ତାଙ୍କୁ ପ୍ରଥମରେ ବହୁତ କ୍ଷତି ସହିବାକୁ ପଡ଼ିଥିଲା ।

 

ଟାଟା ଦୁଇଟି ଲୁଗାକଳ ପ୍ରତିଷ୍ଠା କରି ବେଶ ଲାଭବାନ୍‌ ହେବାକୁ ଲାଗିଲେ । କିନ୍ତୁ ଏହି ଲାଭରେ ସନ୍ତୁଷ୍ଟ ହୋଇ ସେ ବସି ରହିଲେନି ! ନୂଆ ନୂଆ ବ୍ୟବସାୟର ପଥ ବାହାର କରିବାର ଚେଷ୍ଟା କରିବାକୁ ଲାଗିଲେ । ସେ ଉନ୍ନତ ତୁଳା ଚାଷ ବିଷୟରେ ଖଣ୍ଡିଏ ପୁସ୍ତକ ରଚନା କରି ଭାରତୀୟ କୃଷକମାନଙ୍କୁ ମିଶରୀୟ ପ୍ରଣାଳୀରେ ତୁଳାଚାଷ କରିବାକୁ ପ୍ରେରଣା ଦେଉଥିଲେ ।

 

ପାଶ୍ଚାତ୍ୟ ଦେଶର ନାନାସ୍ଥାନ ଭ୍ରମଣ ଜାମ୍‌ସେଦ୍‌ଜୀ ଟାଟାଙ୍କ ମନରେ ଦୃଢ଼ଧାରଣା ହେଲା ଯେ ବିଜ୍ଞାନ ଚର୍ଚ୍ଚା ବ୍ୟତୀତ କୌଣସି ଜାତି ଉନ୍ନତି କରିପାରିବ ନାହିଁ । ଅତଏବ ଶିଳ୍ପ ବାଣିଜ୍ୟରେ ପାଶ୍ଚାତ୍ୟ ଦେଶ ସହିତ ସମକକ୍ଷ ହେବାକୁ ହେଲେ ଭାରତରେ ବିଜ୍ଞାନ ଚର୍ଚ୍ଚା ଏକାନ୍ତ ପ୍ରୟୋଜନ; କିନ୍ତୁ ସେତେବେଳେ ଭାରତରେ ବିଜ୍ଞାନଚର୍ଚ୍ଚାର ଏକାନ୍ତ ଅଭାବ ଥିଲା, ଏପରିକି ଆଦୌ ନ ଥଲା କହିଲେ ଅତ୍ୟୁକ୍ତି ହେବ ନାହିଁ ବିଜ୍ଞାନ ଚର୍ଚ୍ଚାଲାଗି ସେହିପରି ଏକ ପ୍ରତିଷ୍ଠିତ ବିଜ୍ଞାନାଗାର ଆବଶ୍ୟକ । ସୁତରାଂ ଟାଟା ଭାରତରେ ଗୋଟିଏ ଉତ୍କୃଷ୍ଟ ବିଜ୍ଞାନାଗାର ପ୍ରତିଷ୍ଠା ନିମନ୍ତେ କୃତସଂକଳ୍ପ ହେଲେ ।

 

କୌଣସି ଗୋଟିଏ ନୂତନ କାର୍ଯ୍ୟ କରିବାକୁ ଇଚ୍ଛାକଲେ ଟାଟା ସଙ୍ଗେ ସଙ୍ଗେ କାର୍ଯ୍ୟଟି ଆରମ୍ଭ କରି ଦେଉ ନ ଥିଲେ ! ସେ ବିଷୟରେ ବହୁଚିନ୍ତା, ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ଆଲୋଚନା, ପରାମର୍ଶ କରୁଥିଲେ । ଏ କ୍ଷେତ୍ରରେ ଟାଟା ତାହା ହିଁ କଲେ ।

 

ଭାରତରେ କିପରି ବିଜ୍ଞାନାଗାର ପ୍ରତିଷ୍ଠା ଦରକାର, ସେଠାରେ ଶିକ୍ଷାର୍ଥୀମାନଙ୍କୁ କେଉଁ କେଉଁ ବିଷୟ ଶିକ୍ଷା ଦିଆଯିବ ଏବଂ ତାହା ଭାରତବର୍ଷ ପକ୍ଷେ ଉପଯୋଗୀ ହେବ କି ନାହିଁ ଇତ୍ୟାଦି ବିଷୟ ଟାଟା ଅନେକ ଦିନ ପର୍ଯ୍ୟନ୍ତ ଅଭିଜ୍ଞ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କଲେ । ସେ ଏ ବିଷୟରେ ସକଳ ପ୍ରୟୋଜନୀୟ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ଜଣେ ଗ୍ରାଜୁଏଟ୍‌ଙ୍କୁ ୟୁରୋପ ଏବଂ ଆମେରିକାର ବିଜ୍ଞାନାଗାର ସବୁ ଦେଖି ଆସିବା ଲାଗି ପଠାଇଲେ ।

 

ବିଜ୍ଞାନ ଶିକ୍ଷାର ବିଷୟଗୁଡ଼ିକ ସ୍ଥିର ହୋଇସାରିଲା ପରେ କେତେ ଟଙ୍କା ଦରକାର ତାହାର ଆଲୋଚନା ଚାଲିଲା । ଦେଖାଗଲା ୩୦ ଲକ୍ଷ ଟଙ୍କା ଆବଶ୍ୟକ । ସେହି ପରିମାଣ ଟଙ୍କାରେ ଗୃହ ନିର୍ମାଣ, ଆସବାସ ଖର୍ଦ୍ଦି ଓ ଅନ୍ୟାନ୍ୟ ଖର୍ଚ୍ଚ ଚଳିବ । ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଟାଟା କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କୁନେଇ ଗୋଟିଏ କମିଟି ଗଢ଼ିଲେ । କମିଟି ତାଙ୍କର ସୁନିର୍ଦ୍ଦିଷ୍ଟ ମତ ପ୍ରକାଶ କରିବାପାଇଁ କେତୋଟି ବର୍ଷ ବିତିଗଲା ।

 

ଶେଷରେ କମିଟି ଭାରତ ସରକାରଙ୍କୁ ଏହି ମହତ୍‌ କାର୍ଯ୍ୟରେ ସାହାଯ୍ୟ କରିବାକୁ ଅନୁରୋଧ କଲେ । ବହୁଦିନ ଯର୍ଯ୍ୟନ୍ତ ସରକାର ଏ ବିଷୟରେ ନାନା ଆଲୋଚନାକରି ଶେଷରେ ୧୯୦୯ ମସିହାରେ ବିଜ୍ଞାନଗାର ପ୍ରତିଷ୍ଠା ପାଇଁ ଅନୁମତି ଦେଲେ ।

 

ବିଜ୍ଞାନାଗାର ସ୍ଥାପନର ସ୍ଥାନ ନିର୍ଦ୍ଦେଶ ପାଇଁ ପ୍ରଥମେ ନାନା ମତଭେଦ ସୃଷ୍ଟି ହୋଇଥିଲା । ଟାଟାଙ୍କର ବମ୍ବେ ନଗରୀରେ ଏହି ବିଜ୍ଞାନାଗାର ପ୍ରତିଷ୍ଠା ଲାଗି ଇଚ୍ଛା କରିଥିଲେ । କିନ୍ତୁ କାର୍ଯ୍ୟତଃ ତାହା ହୋଇପାରିଲା ନାହିଁ । ଅବଶେଷରେ ବାଙ୍ଗାଲୋରଠାରେ ଏହା ପ୍ରତିଷ୍ଠା କରାଯିବାର ସ୍ଥିର କରି ମହୀଶୂର ରାଜାଙ୍କୁ ଲେଖାଗଲା ଜମି ଏବଂ ୫ ଲକ୍ଷ ଟଙ୍କା ସାହାଯ୍ୟ ଦବାଲାଗି । ଭାରତ ସରକାର ଏକକାଳୀନ ଅଢ଼େଇ ଲକ୍ଷ ଟଙ୍କା ଏବଂ ପରବର୍ତ୍ତୀ ୩ ବର୍ଷରେ ଆଉ ଦେଢ଼ଲକ୍ଷ ଟଙ୍କା ସାହାଯ୍ୟ ଦେଲେ ।

 

ହିସାବ କରି ଦେଖାଗଲା, ଏହି ବିଜ୍ଞାନାଗାର ବାର୍ଷିକ ଯାବତୀୟ ଖର୍ଚ୍ଚ ପାଇଁ ପ୍ରାୟ ଦୁଇଲକ୍ଷ ଟଙ୍କା ଆବଶ୍ୟକ ହେବ । ଦାନବୀର ଜାମ୍‌ସେଦ୍‌ଜୀ ସେହି ଖର୍ଚ୍ଚ ପାଇଁ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରିଥିଲେ ।

 

୧୯୧୦ ମସିହାରେ ଏହି ବିଜ୍ଞାନଗାର ଉଦ୍‌ଘାଟିତ ହେଲା, କିନ୍ତୁ ଯେଉଁ ମହାତ୍ମାଙ୍କ ଅଦ୍ୟମ ଚେଷ୍ଟା ଓ ଅଯାଚିତ ଦାନରେ ଏହି ବିରାଟ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇପାରିଲା ସେ ତାହା ଦେଖିବାର ସୁଯୋଗ ପାଇ ପାରି ନ ଥିଲେ । ସେହି ବିଜ୍ଞାନାଗାରର ନାମ ହେଲା ‘‘ଦି ଇଣ୍ଡିୟାନ ଇନ୍‌ଷ୍ଟିଟିଉଟ୍‌ ଅଫ ରିସର୍ଚ୍ଚ’’ ।

 

ଜାମ୍‌ସେଦ୍‌ଜୀ ପ୍ରତିଭାଶାଳୀ ଦରିଦ୍ର ଛାତ୍ରମାନଙ୍କୁ ବିଲାତରେ ଉଚ୍ଚଶିକ୍ଷା ଦେବାଲାଗି ଦୁଇଟି ବୃତ୍ତିର ବ୍ୟବସ୍ଥା କରିଥିଲେ, । ସାହିତ୍ୟ, ଦର୍ଶନ, ବିଜ୍ଞାନ, ବାଣିଜ୍ୟ ପ୍ରଭୃତି ଯେ କୌଣସି ବିଷୟ ଶିକ୍ଷା ଉଦ୍ଦେଶ୍ୟରେ ଏହି ବୃତ୍ତି ଦିଆ ଯାଇପାରେ । ୧୮୯୨ ମସିହାରେ ସର୍ବପ୍ରଥମେ ଏହି ବୃତ୍ତିର ବ୍ୟବସ୍ଥା ସେ ପ୍ରବର୍ତ୍ତନ କରିଥିଲେ ।

 

ପ୍ରଥମେ କେବଳ ପାର୍ଶି ଛାତ୍ରମାନଙ୍କୁ ଏହି ବୃତ୍ତି ଦିଆଯାଉଥିଲା । କେତେକ ବର୍ଷ ପରେ ଏହି ନିୟମ ଉଠାଇ ଦିଆଯାଇ ଭାରତର ଯେକୌଣସି ମେଧାବୀ ଛାତ୍ରଙ୍କୁ ଦିଆଯିବାର ପରିବର୍ତ୍ତନ କରାଗଲା ।

 

ଭାରତବର୍ଷକୁ ଏକ ଶିଳ୍ପସମୃଦ୍ଧ ଦେଶରେ ପରିଣତ କରିବାରେ ଟାଟା ଲୁହାକାରଖାନା ଜାମ୍‌ସେଦ୍‌ଜୀଙ୍କ ଏକ ବିରାଟ ଓ ଦୁଃସାହସିକ ପଦକ୍ଷେପ । ଏହି ଲୁହାକାରଖାନା ଯୋଗୁଁ ଟାଟାଙ୍କର ନାମ ବିଖ୍ୟାତ । ଭାରତରେ ଲୌହ କାରଖାନା ସ୍ଥାପନ କରିବାର ଆକାଂକ୍ଷା ତାଙ୍କର ବହୁଦିନରୁ ଥିଲା ।

 

ଟାଟା ଲୌହ କାରଖାନା ପ୍ରତିଷ୍ଠା କରିବାକୁ ସ୍ଥିର କରି ଉପଯୁକ୍ତ ଲୁହାଖଣିର ସନ୍ଧାନ ନିମିତ୍ତ ଅଭିଜ୍ଞ ବୈଜ୍ଞାନିକ ନିଯୁକ୍ତ କଲେ । ସେମାନେ ଭାରତର ସର୍ବତ୍ର ବୁଲି ବୁଲି ଲୌହଖଣିର ଅନୁସନ୍ଧାନ କରିବାକୁ ଲାଗିଲେ । ୩୦ ବର୍ଷ ଅବିରତ ସନ୍ଧାନ ପରେ ଅବଶେଷରେ ବିହାର ରାଜ୍ୟର ଗୋଟିଏ ସ୍ଥାନରେ ସନ୍ଧାନ ମିଳିଲା । ସ୍ଥାନଟିର ନାମ ସାକ୍‌ଚି । ସାକ୍‌ଚି ଠାରେ ଲୌହ କାରଖାନା ସ୍ଥାପନ ଉଦ୍ଦେଶ୍ୟରେ ସ୍ଥାନ ନିର୍ବାଚିତ ହୋଇଗଲା । କାରଖାନା ପ୍ରତିଷ୍ଠା ପାଇଁ କାମ ମାରମ୍ଭ ହେଲା । ଏହି ସମୟରେ ୧୯୦୪ ଖ୍ରୀ: ଅ: ରେ ଜାମ୍‌ସେଦ୍‌ଜୀ ଟାଟା ପରଲୋକ ଗମନ କରିଲେ । କାରଖାନାର ଭିତ୍ତି ସ୍ଥାପନ ପର୍ଯ୍ୟନ୍ତ ସେ ବଞ୍ଚି ରହିପାରିଲେନି । ୧୯୦୫ ଖ୍ରୀ: ଅ: ରେ କାରଖାନାର ଭିତ୍ତି ପ୍ରତିଷ୍ଠା ହେଲା ଏବଂ ୧୯୦୭ ଖ୍ରୀ: ଅ: ରେ କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଅତି ଅଳ୍ପ ସମୟ ମଧ୍ୟରେ ଏହି କାରଖାନାର ଉତ୍ପାଦନ ଆରମ୍ଭ ହେଲା ।

 

ଭାରତର ଭୂତପୂର୍ବ ରାଜପ୍ରତିନିଧି ଲର୍ଡ଼ଚେମସ୍‌ଫୋର୍ଡ଼ ଏହି କାରଖାନା ପରିଦର୍ଶନ କରି ଏହାର କାର୍ଯ୍ୟକଳାପ ଏବଂ ଦ୍ରବ୍ୟ ପ୍ରସ୍ତୁତ ପ୍ରଣାଳୀ ପର୍ଯ୍ୟବେକ୍ଷଣ କରି ବିଶେଷ ସନ୍ତୁଷ୍ଟ ହୋଇଥିଲେ । ଟାଟା ଲୌହ କମ୍ପାନୀ ମେସୋପଟାମିଆ, ମିଶର, ପାଲେଷ୍ଟାଇନ୍‌ ଏବଂ ପୂର୍ବ ଆଫ୍ରିକାକୁ ରେଳଧାରଣା ଯୋଗାଉଅଛି । ଭାରତର ରେଲପଥ ପ୍ରସ୍ତୁତ ଲାଗି ମଧ୍ୟ ଳୌହଧାରଣା ଏହି କମ୍ପାନୀ ଯୋଗାଉଅଛି ।

 

ପଞ୍ଚସ୍ତରୀବର୍ଷ ପୂର୍ବେ ଯେଉଁ ସ୍ଥାନ ହିଂସ୍ରଜନ୍ତୁ ପୂର୍ଣ୍ଣ ନିବିଡ଼ ବଣ ଜଙ୍ଗଲରେ ପୂର୍ଣ୍ଣ ଥିଲା, ଦିନରେ ଲୋକମାନେ ତନ୍ମଧ୍ୟରେ ପ୍ରବେଶ କରିବାକୁ ଭୟ କରୁଥିଲେ ସେହି ସ୍ଥାନ ଆଜି ଏକ ବିରାଟ ଶିଳ୍ପାଞ୍ଚଳରୂପେ ଠିଆ ଜାମ୍‌ସେଦ୍‌ଜୀଙ୍କ ଅପୂର୍ବ କୃତିତ୍ୱର ଜୟ ଗାନ କରୁଅଛି । ଯାହାର ଦୂରଦୃଷ୍ଟି, କଳ୍ପନା ଓ ପ୍ରତିଭା ଫଳରେ ଏହି ବିରାଟ କାରଖାନା ମୁଣ୍ଡ ଟେକି ଭାରତର ଗୌରବ ବଢ଼ାଇଅଛି ସେହି ମହାପୁରୁଷ ଜାମସେଦ୍‌ଜୀଙ୍କ ସମ୍ମାନ ରକ୍ଷା ନିମତ୍ତେ ଓ ତାଙ୍କୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଏହି ସ୍ଥାନର ନାମ ରଖାଗଲା ‘ଜାମସେଦ୍‌ପୁର’ ।

 

ଟାଟା ଲୌହ କାରଖାନା ଏକ ବିରାଟ ବିସ୍ମୟକର ବ୍ୟାପାର । ନିଜେ ଆଖିରେ ନ ଦେଖିଲେ କେବଳ ବର୍ଣ୍ଣନାଦ୍ୱାରା ଏହାର ସଂପୂର୍ଣ୍ଣ ପରିଚୟ ଦେବା ସମ୍ଭବପର ନୁହେଁ ।

 

ଜାମସେଦ୍‌ଜୀଙ୍କ ଅନ୍ୟ ଗୋଟିଏ ଉଲ୍ଲେଖଯୋଗ୍ୟ କୀର୍ତ୍ତି ତାଙ୍କର ‘‘ହାଇଡ୍ରୋ ଇଲେକ୍‌ଟ୍ରିକ୍‌ ପାଓ୍ୱାର ସପ୍ଳାଇ କମ୍ପାନୀ’’ ଏହି କମ୍ପାନୀର ସମସ୍ତ ଆୟୋଜନ ହୋଇଗଲା । କାର୍ଯ୍ୟ ଆରମ୍ଭର ସାମାନ୍ୟ ବାକିଥିବା ବେଳେ ଜାମସେଦ୍‌ଜୀଙ୍କ ମୃତ୍ୟୁ ହେଲା । ତାଙ୍କର ସୁଯୋଗ୍ୟ ପୁତ୍ର ଦୋରାବ ଟାଟା ଏହି କାର୍ଯ୍ୟ ସଂପନ୍ନ କଲେ ।

 

୧୯୧୧ ଖ୍ରୀ: ଅ: ରେ ଲର୍ଡ଼ ସିଡ଼େନ ହାମ୍‌ ପଶ୍ଚିମଘାଟ ପର୍ବତ ମାଳାର ଲୋନାଭଲା ନାମକ ସ୍ଥାନରେ ଏହି ପାୱାର ହାଉସ୍‌ର ଭିତ୍ତି ସ୍ଥାପନ କରିଥିଲେ ।

 

ଟାଟା ତାଙ୍କର ବଡ଼ ବଡ଼ ପରିକଳ୍ପନାଗୁଡ଼ିକ ମଧ୍ୟରୁ କୌଣସି ଗୋଟିକର ବାସ୍ତବରୂପ ଦେଖି ପାରି ନ ଥିଲେ ସତ, କିନ୍ତୁ ତାଙ୍କର ସୁଯୋଗ୍ୟ ପୁତ୍ର ପିତାଙ୍କର କାର୍ଯ୍ୟକୁ ସଫଳ ରୂପାୟନ ଦେଇଥିଲେ ।

 

ଏହି ଲୋନାଭଲା ‘ହାଇଡ୍ରୋ ଇଲେକ୍‌ଟ୍ରିକ୍‌ ପା୍ୱାର ହାଉସ’ ପୃଥିବୀର ବିଖ୍ୟାତ ପାୱାର ହାଉସ୍‌ମାନଙ୍କ ମଧ୍ୟରେ ଅନ୍ୟତମ ।

 

ଟାଟାଙ୍କର ଜୀବନ ଥିଲା ଗୋଟାଏ କର୍ମର ଉତ୍ସ । ସେ ନିଜର ଅପୂର୍ବ ପ୍ରତିଭା ବଳରେ ଗୋଟିଏ ଗୋଟିଏ କର୍ମପନ୍ଥା ଆବିଷ୍କାର କରିଥିଲେ । ସେ କେବଳ ସେଗୁଡ଼ିକୁ ନିଜ କଳ୍ପନାରେ ରଖି କ୍ଷାନ୍ତ ରହୁ ନ ଥିଲେ, ସେହି କଳ୍ପନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଯେତେଦୂର ସାଧ୍ୟ ଚେଷ୍ଟା କରୁଥିଲେ । ଟାଟାଙ୍କର ଜୀବନର ଆଉ ଏକ ବିଶେଷତ୍ୱ ଥିଲା, ଯାହିତାହି ଭାବେ ବ୍ୟବସାୟଟାଏ କରି ତୃପ୍ତି ଅନୁଭବ କରୁ ନ ଥିଲେ । ତାଙ୍କର କଳ୍ପନାକୁ କାର୍ଯ୍ୟରେ ପରିଣତ କରିବା ପୂର୍ବରୁ ସେ ତତ୍‌ ସମ୍ଭନ୍ଧେ ବହୁବାରେ ଚିନ୍ତା କରୁଥିଲେ । ନିଜେ ବିଭିନ୍ନ ଦେଶ ଭ୍ରମଣ କରି ସେ ବିଷୟରେ ତଥ୍ୟ ସଂଗ୍ରହ ପୂର୍ବକ ଅଭିଜ୍ଞତା ଅର୍ଜନ କରୁଥିଲେ ।

 

କୌଣସି ଗୋଟିଏ ନୂତନ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଟାଟା ଏତେଦୂର ସାବଧାନତା ଅବଲମ୍ବନ କରୁଥିଲେ ଯେ, ତାଙ୍କୁ କୌଣସି ଦିନ ବ୍ୟର୍ଥତାର ଅନୁତାପ ଭୋଗ କରିବାକୁ ପଡ଼ି ନ ଥିଲା, ବରଂ ସେ ଯେଉଁ କାର୍ଯ୍ୟରେ ହାତ ଦେଉଥିଲେ ତାହା ପୃଥିବୀର ଅନ୍ୟତମ ଶ୍ରେଷ୍ଠ ପ୍ରତିଷ୍ଠାନରୂପେ ପରିଣତ ହେଉଥିଲା ଏବଂ ତାଙ୍କର ଅଗାଧ ଅର୍ଥାଗମର ପଥ ଉନନ୍ମୁକ୍ତ କରି ଦେଉଥିଲା ।

 

କୃଷିକାର୍ଯ୍ୟରେ ଟାଟାଙ୍କର ଅସୀମ ଉତ୍ସାହ ଥିଲା । ତେଣୁ ଦେଶରେ ଉନ୍ନତ ବୈଜ୍ଞାନିକ ପ୍ରଣାଳୀର ଚାଷ କାର୍ଯ୍ୟ ପାଇଁ ସେ ତତ୍‌କାଳୀନ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କିନ୍ତୁ ସରକାର ଏ ବିଷୟରେ ପୂର୍ଣ୍ଣ ଉଦାସୀନ ରହିବାରୁ ଟାଟା ହତାଶ ମନରେ ବାଧ୍ୟ ହୋଇ ନୀରବ ରହିଲେ ।

 

ଟାଟା ତାଙ୍କ ନିଜ ଘର ନାଭସାରୀରେ ଗୋଟିଏ କ୍ଷୁଦ୍ର ଉଦ୍ଭିଦ ଉଦ୍ୟାନ ପ୍ରସ୍ତୁତ କରିଥିଲେ । ପୃଥିବୀର ନାନାଦେଶର ନାନା ପ୍ରକାର ଗଛଦ୍ୱାରା ବଗିଚାଟିର ସୌନ୍ଦର୍ଯ୍ୟ ବଢ଼ାଇଥିଲେ-

 

ଟାଟା ଅପରିମିତ ଧନର ଅଧିକାରି ଥିଲେ । କିନ୍ତୁ ତାଙ୍କ ମନରେ ଧନ ଗର୍ବ ନ ଥଲା । ସେ ବିଳାସରେ ଜୀବନ କଟାଉ ନ ଥିଲେ । ସେ ଯେପରି ପ୍ରଭୂତ ଧନ ଉପାର୍ଜ୍ଜନ କରିଥିଲେ, ସେହିପରି ଧନର ସଦ୍‌ବ୍ୟବହାର କରିଥିଲେ । ତାଙ୍କର ଧନରେ ଦେଶର ପ୍ରଭୂତ ଉପକାର ସାଧିତ ହୋଇପାରିଛି, ତାହା କହିବା ବାହୁଲ୍ୟ । ତାଙ୍କର ପ୍ରତିଷ୍ଠିତ କଳକାରଖାନାଗୁଡ଼ିକରେ ଏ ଦେଶର ଲକ୍ଷ ଲକ୍ଷ ଲୋକ ଜୀବିକାର ସଂସ୍ଥାନ କରିପାରି ଅଛନ୍ତି । ଦେଶର ବହୁ ଅର୍ଥ ଦେଶରେ ରହିଅଛି ।

 

ଟାଟା ମଦ୍ୟପାନର ଘୋର ବିରୋଧୀ ଥିଲେ । ଦେଶରୁ ମଦ୍ୟପାନ ବନ୍ଦ କରିବାପାଇଁ ସର୍ବଦା ଚେଷ୍ଟା କରୁଥିଲେ; ଏପରିକି ଯେଉଁ ପ୍ରତିଷ୍ଠାନ ମଦ୍ୟପାନ ନିବାରଣରେ ଚେଷ୍ଟା କରୁଥିଲେ, ଟାଟା ସେମାନଙ୍କୁ ଅର୍ଥ ସାହାଯ୍ୟ କରୁଥିଲେ ।

 

ସ୍ୱଦେଶ ସେବାରେ ସେ ଉଦାର ହୃଦୟ ମୁକ୍ତ ପ୍ରାଣ ଥିଲେ ମଧ୍ୟ କୌଣସି ପ୍ରକାଶ୍ୟ ରାଜନୀତିରେ ଯୋଗ ଦେଉ ନ ଥିଲେ । କିନ୍ତୁ ଦେଶର ଅଧିକାଂଶ ରାଜନୀତିକ ପ୍ରତିଷ୍ଠାନ ସହିତ ତାଙ୍କର ପରୋକ୍ଷ ସଂଯୋଗ ଥିଲା ।

 

ଭାରତର ଜାତୀୟ କଂଗ୍ରେସ ପ୍ରତି ତାଙ୍କର ଆନ୍ତରିକ ସହାନୁଭୂତି ଥିଲା । କଂଗ୍ରେସକୁ ସେ ବହୁ ଟଙ୍କା ଦାନ କରି ଯାଇଛନ୍ତି । କେବଳ ରାଜନୈତିକ ଆନ୍ଦୋଳନରେ ଯୋଗଦାନ କରି ସଭାସମିତିରେ ଦୁଇଚାରିଟା ଗରମ ଗରମ ବକୃତା ଦେଇଦେଲେ ସ୍ୱଦେଶ ସେବା ହୁଏ ନାହିଁ । ଯାହାଦ୍ୱାରା ଦେଶରେ ଧନ ବୃଦ୍ଧି ହୁଏ, ଯେ ସାଧାରଣଙ୍କ ଅଭାବ ମୋଚନରେ ଯତ୍ନବାନ୍‌ ହୁଏ, ଦେଶର ଶିକ୍ଷା ବିସ୍ତାରରେ ସାହାଯ୍ୟ କରେ, ସ୍ୱଦେଶର ସ୍ୱାର୍ଥ ସଂରକ୍ଷଣର ଉପାୟ ବାହାର କରିପାରେ, ସ୍ୱଦେଶର କୃଷି, ଶିଳ୍ପ ବାଣିଜ୍ୟର ଉନ୍ନତି ସାଧନ କରେ, ସେହି ହିଁ ପ୍ରକୃତ ଦେଶସେବକ । ଜାମ୍‌ସେଦ୍‌ଜୀ ଟାଟାଙ୍କର ଚରିତ୍ରରେ ଆମ୍ଭେମାନେ ଏହି ସମସ୍ତ ଗୁଣ ପୂର୍ଣ୍ଣ ମାତ୍ରାରେ ଦେଖିବାକୁ ପାଉଁ । ଏହିଯୋଗୁଁ ଟାଟାଙ୍କ ପ୍ରତି ସମଗ୍ର ଭାରତ କୃତଜ୍ଞ । ସେ ଥିଲେ ଏ ଦେଶର ଶ୍ରମ-ଶିଳ୍ପର ପଥପଦର୍ଶକ ଏବଂ ଯୁଗ ପ୍ରବର୍ତ୍ତକ ।

 

୧୯୦୪ ଖ୍ରୀ:ଅ: ମଇମାସ ୧୯ ତାରିଖ ଦିନ ଜର୍ମାନୀର ନାଶିମ୍‌ ସହରରେ ଟାଟା ପଞ୍ଚସ୍ତରୀ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ । ମୃତ୍ୟୁର କେତେକ ମାସ ପୂର୍ବରୁ ସେ ଅସୁସ୍ଥ ହୋଇପଡ଼ିଲେ । ସ୍ୱଦେଶରେ ଚିକିତ୍ସାର ବିଶେଷ ଉପକାର ନ ହେବାରୁ ଚିକିତ୍ସକମାନଙ୍କ ପରାମର୍ଶରେ ସେ ଉନ୍ନତତର ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନ ଉଦ୍ଦେଶ୍ୟରେ ଜାନୁୟାରୀ ମାସରେ ୟୁରୋପ ଯାତ୍ରା କଲେ ।

 

ସେହିବର୍ଷ ମାର୍ଚ୍ଚ ମାସରେ ତାଙ୍କର ସହଧର୍ମିଣୀ ପରଲୋକ ଗମନ କରିଥିଲେ । ବୃଦ୍ଧ ବୟସରେ ସ୍ତ୍ରୀ ବିୟୋଗଜନିତ ଶୋକ ଏବଂ ମର୍ମ ବେଦନାରେ ଟାଟାଙ୍କର ଶରୀର ଭାଙ୍ଗି ପଡ଼ିଲା । ସେହି ଶୋକରେ ଆଘାତ ସେ ସହ୍ୟ କରିପାରିଲେ ନାହିଁ । ପତ୍ନୀଙ୍କର ପରଲୋକର ଗମନର ମାତ୍ର ଦୁଇମାସ ପରେ ସେ ତାଙ୍କର ଅନୁଗମନ କରିଥିଲେ ।

 

ମୃତ୍ୟୁ ସମୟରେ ତାଙ୍କର ପୁତ୍ର ଦୋରାବ ଟାଟା, ଜ୍ଞାତି ଭ୍ରାତା ରତନ ଟାଟା ତାଙ୍କ ନିକଟରେ ଉପସ୍ଥିତ ଥିଲେ । ମୃତ୍ୟୁ ସଂବାଦ ବମ୍ବେରେ ପହଞ୍ଚିବା ମାତ୍ରେ ତତ୍‌କ୍ଷଣାତ୍‌ ସମଗ୍ର ଭାରତ ଶୋକାଚ୍ଛନ୍ନ ହୋଇଉଠିଲା । ବିଭିନ୍ନ ସ୍ଥାନରେ ଶୋକ ସଭାମାନ ପାଳନ କରାଗଲା ।

 

ଟାଟାଙ୍କର ଜୀବନରେ ନାମ କିଣିବାର ଟିକିଏ ମାତ୍ର ଇଚ୍ଛା ନ ଥିଲା । ଭାରତକୁ ଶିଳ୍ପସମୃଦ୍ଧ ଦେଶରେ ପରିଣତ କରିବା ତାଙ୍କ ଜୀବନର ଏକ ମାତ୍ର ସାଧନା ଥିଲା । ତାଙ୍କର ସାଧନା ସିଦ୍ଧ ହୋଇଅଛି । ସେ ଆଉ କିଛିକାଳ ବଞ୍ଚି ରହିଥିଲେ ଭାରତରେ ଆଉ ଅନେକ ମଙ୍ଗଳକର କାର୍ଯ୍ୟ ସାଧିତ ହୋଇପାରିଥାନ୍ତା, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

ଟାଟାଙ୍କ ଜୀବନରେ କୌଣସି ଅଲୌକିକ, ରୋମାଞ୍ଚକର ଘଟଣା ଘଟି ନାହିଁ ସତ୍ୟ, କିନ୍ତୁ ସେ ଭାରତରେ ଯେଉଁ ଶ୍ରମଶିଳ୍ପର ପ୍ରତିଷ୍ଠା କରିଯାଇଛନ୍ତି, ତାହାର ଗୌରବ ଜଗତ ନିକଟରେ ଭାରତର ମୁଖ ଉଜ୍ଜ୍ୱଳ କରିପାରିଛି । ଟାଟାର ଗୌରବରେ ଆଜି ସମଗ୍ର ଭାରତ ଗୌରବନ୍ୱିତ।

 

ଭାରତର ବାଣିଜ୍ୟ ଆକାଶରୁ ଯେଉଁ ପ୍ରଦୀପ୍ତ ଭାସ୍କର ଅସ୍ତମିତ ହୋଇଯାଇଛି, ଆଉ କ’ଣ କେବେ ଭାରତ ଆକାଶରେ ତାହା ପୁନର୍ବାର ଉଦୟହୋଇ ଚାକିରୀର ମୋହ କୁହେଳିକା ଅପସାରଣ କରି ଭାରତବାସୀଙ୍କୁ ବ୍ୟବସାୟ, ବାଣିଜ୍ୟର କଲ୍ୟାଣକର ପଥର ସନ୍ଧାନ ଦେବ ? କେବେ କ’ଣ ଭାରତବାସୀ ଟାଟାର ମହତ୍‌ ଦୃଷ୍ଟାନ୍ତର ଅନୁସରଣ କରି ଭାରତକୁ ଶିଳ୍ପ ବାଣିଜ୍ୟର ଶ୍ରୀସମ୍ପଦର ବିଭୂଷିତ କରିବେ ?

Image

 

ପଲ୍ଲୀକବି ନନ୍ଦକିଶୋର

 

ନନ୍ଦକିଶୋର ବଳ ଓଡ଼ିଆ ସାହିତ୍ୟରେ ମୁଖ୍ୟତଃ ‘ପଲ୍ଲୀକବି’ ନାମରେ ପରିଚିତ ଏବଂ ତାଙ୍କର କବିପ୍ରତିଭା ପଲ୍ଲୀବହୁଳ ଉତ୍କଳର ଅମର କାବ୍ୟାତ୍ମା ହୋଇପାରିଛି–କହିଲେ ବୋଧହୁଏ କିଛି ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ରଚନାରେ ପଲ୍ଲୀଜୀବନର ନିଖୁଣ ଚିତ୍ର ହିଁ ଦେଖିବାକୁ ମିଳିଥାଏ । ସସାମୟିକ କବି ରାଧାନାଥ, ଗଙ୍ଗାଧର ମେହେରଙ୍କ ଲେଖନୀ ଯେତେବେଳେ ପ୍ରକୃତି ବର୍ଣ୍ଣନାକୁ ନେଇ ଗତିଶୀଳ, ସମାଜ ସଂସ୍କାରର ସ୍ୱପ୍ନ ଭିତରେ ଫକୀରମୋହନଙ୍କର ଗଳ୍ପ ଉପନ୍ୟାସ ଯେତେବେଳେ ଆତ୍ମବିଭୋର, ଆଉ ସତ୍ୟଶିବ-ସୁନ୍ଦରର ଉପାସନାରେ ବ୍ରହ୍ମବାଦୀ ମଧୁସୂଦନ ଯେତେବେଳେ ବ୍ୟସ୍ତ କବି ନନ୍ଦକିଶୋର ସେତେବେଳେ ତାଙ୍କର କାବ୍ୟ କବିତାରେ ପଲ୍ଲୀର ଚିତ୍ର ଆଙ୍କିବାରେ ହିଁ ପ୍ରୟାସୀ ହୋଇଛନ୍ତି । ନନ୍ଦକିଶୋରଙ୍କ ପ୍ରାୟ ସମସ୍ତ କବିତାରେ ପଲ୍ଲୀପ୍ରକୃତି ତଥା ପଲ୍ଲୀ ଜନତାର ମର୍ମବାଣୀ ହିଁ ପ୍ରତିଧ୍ୱନିତ ହୋଇ ଉଠିଛି ।

 

ନନ୍ଦକିଶୋର କଟକ ଜିଲ୍ଲା ଅନ୍ତର୍ଗତ ବିରୂପାନଦୀ କୂଳରେ ଅବସ୍ଥିତ କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଏହାଙ୍କର ପିତାଙ୍କର ନାମ ଭଜନାନନ୍ଦ ଜେନା । ଏମାନେ ଥିଲେ ଚାରିଭାଇ । ନନ୍ଦକିଶୋର ପିତାଙ୍କର ଚତୁର୍ଥ ସନ୍ତାନ ଥିଲେ । ସେତେବେଳେ ତାଙ୍କର ନାମ ଥିଲା ରସାନନ୍ଦ । ରସାନନ୍ଦଙ୍କୁ ତାଙ୍କର ପିଉସୀ ଜାନକୀ ପୋଷ୍ୟପୁତ୍ରରୂପେ ନେଇଯାଇଥିଲେ । ପୋଷ୍ୟପୁତ୍ର ହୋଇ ଯିବାପରେ ତାଙ୍କର ନାମ ହେଲା ନନ୍ଦକିଶୋର ବଳ-

 

ବାଲ୍ୟକାଳରେ ସେ ଗ୍ରାମପାଠଶାଳାରେ ଜଣେ ଅବଧାନଙ୍କ ନିକଟରେ ଶିକ୍ଷାଲାଭ କରିଥିଲେ । ପ୍ରାୟ ୧୧ ବର୍ଷ ବୟସରେ ନନ୍ଦକିଶୋର ଗ୍ରାମ୍ୟ ପାଠଶାଳାର ଶିକ୍ଷା ସମାପ୍ତ କଲେ । ତତ୍ପରେ ସେ ଜମିଦାରୀ କଚେରୀରେ ଗୁମାସ୍ତା କାର୍ଯ୍ୟ ନିମନ୍ତେ ତାଲିମ ପାଇଥିଲେ । ଏହି ସମୟରେ ରାଧାନାଥ ରାୟଙ୍କ ସୁପାରିଶ୍‌ରେ କୁସୁପୁରରେ ୧୮୮୬ ମସିହାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠିତ ହେଲା । ଫଳରେ ନନ୍ଦକିଶୋର ଗୁମାସ୍ତା ହେବାର କଳ୍ପନା ତ୍ୟାଗ କରି ଏହି ନୂତନ ବିଦ୍ୟାଳୟରେ ପୁଣି ଶିକ୍ଷାଲାଭ କରିବାକୁ ଲାଗିଲେ ଏବଂ ଉ: ପ୍ରା: ଶେଷ ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ଲାଭ କଲେ ।

ନନ୍ଦକିଶୋର ଭବିଷ୍ୟତ ଜୀବନରେ ଯେ ଜଣେ କବି ହେବେ, ଏହା ତାଙ୍କର ଛାତ୍ର ଜୀବନରୁ କିଞ୍ଚିତ ଆଭାସ ମିଳିଥିଲା ।

ସେତେବେଳେ ଉଚ୍ଚ ପ୍ରାଥମିକ ଶିକ୍ଷାର୍ଥୀମାନଙ୍କର ଶେଷ ପରୀକ୍ଷା କଟକରେ ହେଉଥାଏ । ନନ୍ଦକିଶୋର ପରୀକ୍ଷା ଦେବାକୁ ଆସିବା ପୂର୍ବରୁ ତାଙ୍କର ଗ୍ରାମଦେବତୀ ନାରାୟଣ ଚଣ୍ଡୀଙ୍କ ଆଶୀର୍ବାଦ କାମନାରେ ଯାଇଥିଲେ । ସେତେବେଳେ ସେ ସ୍ୱରଚିତ ସ୍ତୋତ୍ରଟିଏ ପାଠକରି ଦେବୀଙ୍କୁ ପ୍ରାର୍ଥନା କରିଥିଲେ । ଏହି ସ୍ତୋତ୍ରଟି ତାଙ୍କର ପ୍ରଥମ ରଚନା ।

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସେ ବୃତ୍ତି ପାଇ କଟକ ଟାଉନ ସ୍କୁଲରେ ଅଧ୍ୟୟନ କଲେ । ସେତେବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ ଉତ୍କଳର ଖ୍ୟାତନାମା ବକ୍ତା, ସଂସ୍କାରକ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଶ୍ରୀ ବିଶ୍ୱାନାଥ କର । ନନ୍ଦକିଶୋରଙ୍କ ସରଳ ବ୍ୟବହାର, ତୀକ୍ଷଣ ବୁଦ୍ଧି ଓ ଅଧ୍ୟବସାୟଯୋଗୁଁ ବିଶ୍ୱନାଥ କର ତାଙ୍କୁ ଭାରି ଭଲ ପାଉଥିଲେ । ମାଇନର ବୃତ୍ତି ପରୀକ୍ଷାରେ ନନ୍ଦକିଶୋର ପ୍ରଥମ ସ୍ଥାନ ଲାଭ କରି ବୃତ୍ତି ମଧ୍ୟ ପାଇଲେ । ତତ୍ପରେ ନନ୍ଦକିଶୋର ରେଭେନ୍‌ସା କଲେଜିଏଟ୍‌ ସ୍କୁଲରେ ଭର୍ତ୍ତି ହେଲା । ସେ ସମୟରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ ଭକ୍ତକବି ମଧୁସୁଦନ ରାଓଙ୍କ ପ୍ରଭାବ ନନ୍ଦକିଶୋରଙ୍କ ଉପରେ ବହୁତ ପଡ଼ିଥିଲା । ରେଭେନ୍‌ସା କଲେଜିଏଟ୍‌ ସ୍କୁଲରେ ସେ ଶେଷ ପର୍ଯ୍ୟନ୍ତ ପଢ଼ିପାରି ନ ଥିଲେ । ନନ୍ଦକିଶୋରଙ୍କ ପିତା ଭଜନାନ୍ଦ କେନ୍ଦ୍ରାପଡ଼ାରେ ଗୋଟିଏ ଜମିଦାରୀର ତହସିଲଦାରରୂପେ କାର୍ଯ୍ୟ କରୁଥିଲେ । ସେ ନନ୍ଦକିଶୋରଙ୍କୁ ନେଇଆସି କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଭର୍ତ୍ତି କଲେ-। ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ ଉଆରସ୍‌ ଅଲି । ସେ ନନ୍ଦକିଶୋରଙ୍କ ବୁଦ୍ଧିମତ୍ତାର ପରିଚୟପାଇ ତାଙ୍କର ଶିକ୍ଷା ପ୍ରତି ଅଧିକ ଦୃଷ୍ଟି ଦେଉଥିଲେ । ଫଳରେ ନନ୍ଦକିଶୋର କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟର ନାମ ରଖି ଏଣ୍ଟ୍ରାସ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣହୋଇ ବୃତ୍ତି ମଧ୍ୟ ପାଇଲେ । ନିରବଚ୍ଛିନ୍ନ ଭାବରେ ପ୍ରତ୍ୟେକ ସୋପାନରେ ସେ ବୃତ୍ତି ପାଇବାଦ୍ୱାରା ତାଙ୍କର ଶିକ୍ଷା ମଧ୍ୟ ନିରବଚ୍ଛିନ୍ନ ଭାବରେ ଚାଲିଲା ।

ଏଣ୍ଟ୍ରାନ୍‌ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର ରେଭେନ୍‌ସା କଲେଜରେ ଭର୍ତ୍ତି ହେଲେ । ରେଭନ୍‌ସା କଲେଜରେ ସେ ଜଣେ କୃତୀ ଛାତ୍ରରୂପେ ସମସ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ତୃତୀୟ ବାର୍ଷିକ ଶ୍ରେଣୀରେ ଅଧ୍ୟୟନ କରୁଥିଲା ବେଳେ ସେ ‘‘ପଲ୍ଲୀ ଜୀବନ’’ ସମ୍ଭନ୍ଧରେ ଏକ ପ୍ରବନ୍ଧ ଳେଖିଥିଲେ । ଉକ୍ତ ପ୍ରବନ୍ଧଟି ଉତ୍କୃଷ୍ଟ ବିବେଚିତ ହୋଇ ତାଙ୍କୁ ଉତ୍କଳ ସାହିତ୍ୟ ସମାଜରୁ ‘‘ତାଳଚେର ପୁରସ୍କାର’’ ଦିଆଯାଇଥିଲା ।

ସେ କଲେଜ ଛାତ୍ର ଥିଲାବେଳେ କବିତା ଓ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ । ତାଙ୍କର କେତେକ କବିତା ତତ୍‌କାଳୀନ ପ୍ରସିଦ୍ଧ ଉତ୍କଳ-ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । ତତ୍‌ଫଳରେ ସେ ଓଡ଼ିଶାର ଜଣେ ସୁଲେଖକରୂପେ ପରିଚିତ ହୋଇପାରିଥିଲେ ।

 

ସେହି ସମୟରେ କଟକରେ ଓଡ଼ିଆ ସାହିତ୍ୟର ବିକାଶ ନିମନ୍ତେ ଓଡ଼ିଶାର କେତେଜଣ ଖ୍ୟାତନାମା ସାହିତ୍ୟକ, ଯଥା–ଅଭିରାମ ଭଞ୍ଜ, କାମପାଳ ମିଶ୍ର, ଗୋପାଳଚନ୍ଦ୍ର ପ୍ରହରାଜ ପ୍ରମୁଖ ଗୋଟିଏ ସାହିତ୍ୟ ସଂସଦ ଗଠନ କରିଥିଲେ । ସଂଧ୍ୟା ସମୟରେ ଗଳ୍ପ, କବିତା ପ୍ରଭୃତିର ଆଲୋଚନା, ସମାଲୋଚନା ସେଠାରେ ହେଉଥିଲା । ନନ୍ଦକିଶୋର ଉକ୍ତ ସାହିତ୍ୟ ସଂସଦରେ ଯୋଗଦେଇ ସାହିତ୍ୟ ଚର୍ଚ୍ଚାରେ ଲାଗିପଡ଼ିଲେ । ଏହାଦ୍ୱାରା ତାଙ୍କର ସୁପ୍ତ କବି ପ୍ରତିଭା କ୍ରମେ କ୍ରମେ ବିକାଶୋନ୍ମୁଖୀ ହେବାକୁ ଲାଗିଲା ।

 

ନନ୍ଦକିଶୋର କେବଳ ପାଠ୍ୟ ପୁସ୍ତକ ଅଧ୍ୟୟନ କରି ନୀରବ ରହୁ ନ ଥିଲେ । ପାଠ୍ୟପୁସ୍ତକ ବାହାରେ ବିଖ୍ୟାତ ଇଂରେଜ ଲେଖକଙ୍କର ରଚନାବଳୀ ପାଠ କରି ନିଜର ପ୍ରତିଭାକୁ ବିକଶିତ କରିବାକୁ ଲାଗିଲେ ।

 

୧୮୯୮ ଖ୍ରୀ: ଅ: ରେ ବି.ଏ. ପାଶ୍‌ କଲେ । ସେତେବେଳକୁ ତାଙ୍କର ପିତା ମରିଯାଇଥିଲେ । ତେଣୁ ପରିବାରର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ପଡ଼ିଲା । ଅର୍ଥ ଉପାର୍ଜ୍ଜନ ନ କଲେ ପରିବାର ପ୍ରତିପୋଷଣ ହୋଇପାରିବ ନାହିଁ । ସେତେବେଳେ ଚାକିରିର ଅଭାବ ହେଉ ନ ଥିଲା ଜଣେ ଡିଗ୍ରୀପ୍ରାପ୍ତ ଯୁବକଙ୍କ ପକ୍ଷରେ । ସେ ଚାହିଁଥିଲେ ପ୍ରଶାସନିକ କ୍ଷେତ୍ରରେ ଉଚ୍ଚ ଚାକିରି ପାଇ ପାରିଥାନ୍ତେ । କିନ୍ତୁ ତାଙ୍କୁ ଶିକ୍ଷକତା କରିବାକୁ କାହିଁକି କେଜାଣି ଭଲ ଲାଗିଲା । ସେ ଶିକ୍ଷକଟିଏ ହୋଇ ଦେଶବାସୀଙ୍କର କିଛି ଉପକାର କରିପାରିବେ ବୋଲି ସ୍ଥିର କଲେ । ମଧୁବାବୁ, ବିଶ୍ୱନାଥ କର ପ୍ରଭୃତି ତାଙ୍କର ପ୍ରତିଭା ବିଷୟରେ ସୁପରିଚିତ ଥିଲେ । ସେତେବେଳେ ଭକ୍ତକବି ମଧୁସୂଦନ କଟକରେ ଗୋଟିଏ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିଥାନ୍ତି । ତାର ନାମ ଥାଏ କଟକ ଟାଉନ ସ୍କୁଲ । ବର୍ତ୍ତମାନ ତାହା ଭକ୍ତମଧୁ ବିଦ୍ୟାପୀଠ ନାମରେ ପରିଚିତ । ସେହି ଟାଉନ୍‌ ସ୍କୁଲରେ ସେ ଶିକ୍ଷକରୂପେ ନିଯୁକ୍ତ ହେଲେ । ସେତେବେଳେ ସେ ଅଳ୍ପ ଦରମା ପାଉଥିଲେ ।

 

ଶିକ୍ଷକତା କରି ପଇସା ରୋଜଗାର କରିବାକୁ ସେ ଉଚ୍ଚସ୍ଥାନ ଦେଉ ନ ଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ସେମାନଙ୍କୁ ସୁନାଗରିକରୂପେ ଗଢ଼ିବା ତାଙ୍କର ଉଦ୍ଦେଶ୍ୟ ଥିଲା । ତେଣୁ ସେ ଛାତ୍ର, ଅଭିଭାବକ, ଜନସାଧାରଣଙ୍କ ପ୍ରିୟହୋଇ ପାରିଥିଲେ ।

 

ଭିକ୍ଟୋରିଆ ସ୍କୁଲ (ଟାଉନସ୍କୁଲ)ରେ ଶିକ୍ଷକତା କରୁଥିଲାବେଳେ ତାଙ୍କ ଭାଇମାନେ ଭିନ୍ନ ହୋଇଗଲେ । ଏଣିକି ନନ୍ଦକିଶୋରଙ୍କୁ ତାଙ୍କ ନିଜ ପରିବାରଟିକୁ ଚଳାଇବାକୁ ପଡ଼ିଲା । ଅଧିକ ବେତନ ପାଇବା ପାଇଁ ସେ ଟାଉନ ହାଇସ୍କୁଲ ଛାଡ଼ି ୧୯୦୩ ଖ୍ରୀ: ଅ: ରେ କଟକ ଜିଲାବୋର୍ଡ଼ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍‌ପେକ୍ଟରରୂପେ ଯୋଗଦେଲେ । ଅଧିକ ବେତନ ଆଶାରେ ସେ ଶିକ୍ଷକତା ଛାଡ଼ି ସବ୍‌ଇନ୍‌ସ୍‌ପେକ୍ଟର ହେଲେ ସିନା, କିନ୍ତୁ ପାରିଉଠିଲେ ନାହିଁ । ସ୍କୁଲସବୁ ପରିଦର୍ଶନ ପାଇଁ ନାନା ସ୍ଥାନକୁ ଯିବାକୁ ପଡ଼ିଲା । ଖାଦ୍ୟପେୟ, ଜଳବାୟୁରେ ଅନିୟମିତତା ଯୋଗୁଁ ସେ ଅନେକ ସମୟ ନାନାରୋଗରେ ପଡ଼ିଲେ । ତହୁଁ ସେ ତତ୍‌କାଳୀନ ଶିକ୍ଷା ବିଭାଗର ଇନ୍‌ସ୍‌ପେକ୍ଟର ଭକ୍ତକବି ମଧୁସୂଦନଙ୍କ ଅପରିଚିତ ନ ଥିଲେ । ମଧୁବାବୁ ତାଙ୍କୁ କଟକ ଟ୍ରେନିଂ ସ୍କୁଲର ସହକାରୀ ଶିକ୍ଷକରୂପେ ନିଯୁକ୍ତି ଦେଲେ । ସେତେବେଳେ ଚନ୍ଦ୍ରମୋହନ ମହାରଣା ଥାନ୍ତି ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚକୋଟୀର ସାହିତ୍ୟିକ । ନନ୍ଦକିଶୋର ତାଙ୍କର ସାନ୍ନିଧ୍ୟ ଳାଭ କରି ଅତ୍ୟନ୍ତ ଆନନ୍ଦିତ ହେଲେ । ସେହି ଟ୍ରେନିଂ ସ୍କୁଲରେ କିଛିଦିନ ଶିକ୍ଷକତା କରି ସେ ଦେଖିଲେ ଟ୍ରେନିଂ ପ୍ରାପ୍ତ ନ ହେଲେ ସେ ଜଣେ କୃତୀ ଶିକ୍ଷକ ହୋଇ ପାରିବେ ନାହିଁ । ସେତେବେଳେ ଟ୍ରେନିଂ କଲେଜ ଥାଏ କଲିକତାରେ । କଲିକତାର ଡେଭିଡ଼ ହେୟାର ଟ୍ରେନିଂ କଲେଜକୁ ଗଲେ ବି. ଟି. ପଢ଼ିବା ପାଇଁ । ବର୍ଷକ ପରେ ସେ ଟ୍ରେନିଂ ପାସ୍‌କରି ଆସି ତାଙ୍କର ପୂର୍ବ ସ୍ଥାନରେ ରହିଲେ ।

 

ଟ୍ରେନିଂ ସ୍କୁଲରେ କିଛିଦିନ ରହିବା ପରେ ୧୯୧୧ ମସିହାରେ ସମ୍ବଲପୁର ଜିଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ବଦଳି ହୋଇଗଲେ । ସେଠାରେ ଏକବର୍ଷ ନ ପୁରୁଣୁ ପୁନର୍ବାର କଟକ ଟ୍ରେନିଂ ସ୍କୁଲକୁ ତତ୍ପରେ ବାଲେଶ୍ୱର ଜିଲା ସ୍କୁଲକୁ ବଦଳି ହୋଇ ଯାଇଥିଲେ । ସମ୍ବଲପୁର ଓ ବାଲେଶ୍ୱରରେ ଥିଲାବେଳେ କବି ଗଙ୍ଗାଧର ମେହେର ଓ ବ୍ୟାସକବି ଫକୀର ମୋହନଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ଏମାନଙ୍କ ପ୍ରଭାବରେ ନନ୍ଦକିଶୋରଙ୍କ କବିପ୍ରତିଭା ବିକଶିତ ହୋଇପାରିଥିଲା ।

 

୧୯୧୪ ମସିହାରେ ଶିକ୍ଷକତାରୁ ସେ ପରିଦର୍ଶକରୂପେ ବଦଳି ହେଲେ । କଟକ ଓ ବାଲେଶ୍ୱରର ଡେପୁଟି ଇନ୍‌ସପେକ୍ଟରରୂପେ କାର୍ଯ୍ୟ କରି ୧୯୧୫ ମସିହାରେ ଶିକ୍ଷା ବିଭାଗର ସହକାରୀ ଇନ୍‌ସପେକ୍ଟର ପଦକୁ ଉତ୍ତୀର୍ଣ୍ଣ ହେଲେ । କଟକରେ ତାଙ୍କର ଅଫିସ ରହିଥିଲା । ବିଦ୍ୟାଳୟ ପରିଦର୍ଶନ ସମୟରେ ସେ ନିଜେ ଶିକ୍ଷାଦାନ କରି ଶିକ୍ଷକମାନଙ୍କୁ ଆଦର୍ଶ ଦେଖାଉଥିଲେ-। ସେ ଯେତେବେଳେ ସହକାରୀ ଇନ୍‌ସପେକ୍ଟର ଥିଲେ ସେତେବେଳେ ଇନ୍‌ସପେକ୍ଟର ଥିଲେ ଡବଲିଉ. ଭି. ଡିଉକ । ସେ ପ୍ରଥମ ସମରରେ ଯୋଗ ଦେବାଲାଗି ବିଲାତ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀ ଭାବରେ ଇନ୍‌ସପେକ୍ଟର ହେଲେ ।

 

ତତ୍‌କାଳୀନ ରେଭେନ୍‌ସା କଲେଜିଏଟ୍‌ ସ୍କୁଲର ପ୍ରଧାନ ଶିକ୍ଷକ ଦଣ୍ଡରସନ ସାହେବଙ୍କୁ ଏଥିରେ ବଡ଼ ଅପମାନ ହେଲା । ଜଣେ ଓଡ଼ିଆ ଯେ ତାଙ୍କ ବିଦ୍ୟାଳୟ ପରିଦର୍ଶନ କରିବ ଏହା ସେ ସହି ନ ପାରି ବିହାର ଓଡ଼ିଶା ସରକାରଙ୍କ ପାଖେ ଆପତ୍ତି ଉଠାଇଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କର ପୂର୍ବ କାର୍ଯ୍ୟକୁ ଫେରି ଯିବାକୁ ପଡ଼ିଲା ।
 

ଏହି ସମୟରେ ସହକାରୀ ଇନ୍‌ସପେକ୍ଟର ପଦ ଉଠିଯିବାରୁ ତାଙ୍କୁ ପୁରୀଜିଲା ସ୍କୁଲର ପ୍ରଧାନଶିକ୍ଷକ ହିସାବରେ ଅବସ୍ଥାପିତ କରାଗଲା । ସେତେବେଳେ ସେ ଗୋପବନ୍ଧୁଙ୍କ ସହିତ ପରିଚିତ ହୋଇଥିଲେ । ନନ୍ଦକିଶୋର ୧୯୨୪ ମସିହାରେ ରାୟ ସାହେବ ଉପାଧି ପାଇଥିଲେ । ପୁରୀରୁ ପୁନର୍ବାର ବାଲେଶ୍ୱର ଜିଲା ସ୍କୁଲ୍‌କୁ ବଦଳି ହୋଇଥିଲେ ।

 

ବାଲେଶ୍ୱରକୁ ବଦଳି ହେବା ବେଳକୁ ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଥିଲା । ବହୁମୁତ୍ର ରୋଗ ସାଙ୍ଗକୁ ଦୃଷ୍ଟିଶକ୍ତି ହ୍ରାସ ପାଇଥିଲେ । ବାଲେଶ୍ୱରରେ ସେ ବେଶିଦିନ ସାଙ୍ଗକୁ ଦୃଷ୍ଟିଶକ୍ତି ହ୍ରାସ ପାଇଥିଲା । ବାଲେଶ୍ୱରରେ ସେ ବେଶିଦିନ କାର୍ଯ୍ୟ କରିପାରିଲେ ନାହିଁ । ୧୯୨୭ ମସିହାରେ ସେ ଅବସର ଗ୍ରହଣ କଲେ ନିଜର ସ୍ୱାସ୍ଥ୍ୟ ଦୃଷ୍ଟିରୁ ।

 

ଅବସର ପରେ ସେ ନିଜ ଗ୍ରାମ କୁସୁପୁରରେ ରହିଲେ । ଭଗ୍ନ ସ୍ୱାସ୍ଥ୍ୟ ହେତୁ ଆଉ ବେଶି କାବ୍ୟ କବିତା ଲେଖିପାରିଲେ ନାହିଁ । କ୍ରମଶଃ ରୋଗ ବୃଦ୍ଧି ପାଇଲା । ସେ କଟକ ଚିକିତ୍ସା ଉଦ୍ଦେଶ୍ୟରେ ଆସିଲେ । କିନ୍ତୁ ଚିକିତ୍ସାର ଫଳ କିଛି ହେଲା ନାହିଁ । ୧୯୨୮ ମସିହା ଜୁଲାଇ ୧ ତାରିଖ ରାତି ୪ଟା ବେଳେ ତାଙ୍କର କର୍ମମୟ ଜୀବନର ଅବସାନ ଘଟିଲା । ତାଙ୍କର ମାଟିର ଶରୀର ମାଟିରେ ମିଶିଗଲା ସତ, କିନ୍ତୁ ତାଙ୍କର କୃତୀ ତାଙ୍କୁ ଅମର କରି ଦେଇଗଲା ।

 

ଆଜି ନନ୍ଦକିଶୋର ନାହାନ୍ତି ସତ; କିନ୍ତୁ ତାଙ୍କର ରଚନାବଳୀ ଚିରଦିନ ପାଇଁ ଉତ୍କଳ ବାଣୀଭଣ୍ଡାରରେ ଅମୂଲ୍ୟ ରତ୍ନରୂପେ ଶୋଭା ପାଉଅଛି ।

 

ତେରବର୍ଷ ବେଳୁ ତାଙ୍କର କବିପ୍ରତିଭା ଦେଖାଯାଇଥିଲା । ସେ ଶିକ୍ଷକତା କରୁଥିବାବେଳେ ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ ପ୍ରଭୃତି କବିତା ଲେଖିଥିଲେ । ନନ୍ଦକିଶୋରଙ୍କ ଲେଖାରେ ମୌଳିକତା ଥିଲା । କାବ୍ୟ, କବିତା, ଉପନ୍ୟାସ, ପ୍ରବନ୍ଧ ପ୍ରଭୃତି ସାହିତ୍ୟର ପ୍ରତ୍ୟେକ ବିଭାଗରେ ସେ ପାରଦର୍ଶିତା ଦେଖାଇ ଯାଇଛନ୍ତି ।

 

ନନ୍ଦକିଶୋରଙ୍କର ପ୍ରାୟ ସମସ୍ତ କବିତାରେ ପଲ୍ଲୀପ୍ରକୃତି ତଥା ପଲ୍ଲୀ ଜନତାଙ୍କର ମର୍ମବାଣୀ ହିଁ ପ୍ରତିଧ୍ୱନିତ ହୋଇଉଠିଛି । ତାଙ୍କର କବିତାର ପଂକ୍ତିମାନ ପାଠକଲେ ପଲ୍ଲୀଭୂମିର ଚିର ମଧୁର ଦୃଶ୍ୟ ହିଁ ଆଖି ଆଗରେ ନାଚିଯାଏ । ଆଜିକାଲିର ଚାକଚକ୍ୟ ପୂର୍ଣ୍ଣ ସହରୀ ସଭ୍ୟତା, ନଗର ଜୀବନର କଳୁଷ କାଳିମା ଭିତରେ ଏବେ ବି ତାହା ଆମକୁ ବିତରଣ କରିପାରୁଛ ଗାଁ ମାଟିର ମମତା, ଆଉ ତାର ବାସହରା ସୁଗନ୍ଧିତ ସୁରଭି । ନନ୍ଦକିଶୋରଙ୍କ ରଚିତ ପଲ୍ଲୀଚିତ୍ର ଏକ ସାର୍ଥକ ସୃଷ୍ଟି । ପଲ୍ଲୀ ଜୀବନର ଅତି ବାସ୍ତବ ତଥା ଜୀବନ୍ତ ବର୍ଣ୍ଣନା କବି ତାଙ୍କର ପ୍ରତ୍ୟେକ କବିତାରେ ଫୁଟାଇ ପାରିଛନ୍ତି । ପଲ୍ଲୀବାସୀଙ୍କର ସୁଖ ଦୁଃଖ, ହସ ଓ ଅଶ୍ରୁକୁ ହଁ କବି ମୂଳ ଉପାଦାନଭାବେ ଗ୍ରହଣ କରିଛନ୍ତି । ଏତଦ୍‌ବ୍ୟତୀତ ଗାଁର ନାପିତ, ଗାଁର ଧୂର୍ତ୍ତ ମାମଲତକାର ଗାଁର ବେତ୍ରଧାରି ଅବଧାନ, ଗାଁ ପୁରୋହିତ ପ୍ରଭୃତି ଉତ୍କଳୀୟ ଗ୍ରାମ୍ୟଜୀବନର ଅବିଚ୍ଛେଦ୍ୟ ଅଙ୍ଗରୂପେ ଯେଉଁମାନେ ପରିଚିତ ସେସବୁର ବର୍ଣ୍ଣନା କବି ନିଖୁଣ ଭାବେ ଫୁଟାଇ ପାରିଛନ୍ତି । ମୋଟ ଉପରେ ନନ୍ଦକିଶୋରଙ୍କ ସମସ୍ତ ସୃଷ୍ଟିସମ୍ଭାର କି ପଦ୍ୟ କି ଗଦ୍ୟ ମୁଖ୍ୟତଃ ଗ୍ରାମାଭିମୁଖୀ । ଫକୀରମୋହନ ପଲ୍ଲୀ ଜନତାର ତୁଣ୍ଡର ଭାଷାକୁ ଯେପରି ବର୍ଣ୍ଣନା କରିପାରିଥିଲେ, ନନ୍ଦକିଶୋର ସେହିପରି ପଲ୍ଲୀ ଜନତାର ଚରିତ୍ରକୁ ନିଖୁଣଭାବରେ ବର୍ଣ୍ଣନା କରିଯାଇଛନ୍ତି । ଯେଉଁ କବି ପଲ୍ଲୀବିଗ୍ରହ ଉତ୍କଳକୁ କବିତାରେ ଅମର କରିଯାଇ ପାରିଛନ୍ତି, ସେ କବି ପ୍ରତ୍ୟେକ ଓଡ଼ିଆର ନମସ୍ୟ ନିଶ୍ଚୟ ।

 

ନନ୍ଦକିଶୋର ନୈଷ୍ଠିକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ଇଂରାଜୀ ଶିକ୍ଷା ଫଳରେ ଉଚ୍ଚ ଶିକ୍ଷିତ ସବୁ ସମ୍ପ୍ରଦାୟର ଲୋକଙ୍କ ନିକଟ ସମ୍ପର୍କରେ ଆସିଥିଲେ ମଧ୍ୟ ନିଜର ଧର୍ମତ୍ୟାଗ କରି ନ ଥିଲେ । ବାଲ୍ୟବିବାହ ପ୍ରଥାର ସଂସ୍କାର ପାଇଁ ସେ ମଧ୍ୟ ଉଦ୍ୟମ କରିଥିଲେ ।

 

ନନ୍ଦକିଶୋରଙ୍କ ହିନ୍ଦୁ ସଂସ୍କୃତିରେ ପ୍ରଗାଢ଼ ବିଶ୍ୱାସ ଥିଲା । ବ୍ରାହ୍ମଣ ଜାତି ହିନ୍ଦୁ ସଭ୍ୟତାର ରକ୍ଷକ ଓ ପାଳକ ବୋଲି ସେ ସ୍ୱୀକାର କରୁଥିଲେ । ତେଣୁ କୌଣସି ବ୍ରାହ୍ମଣ ପଣ୍ଡିତଙ୍କୁ ଦେଖିଲେ ସେ ଅତ୍ୟନ୍ତ ଭକ୍ତି କରୁଥିଲେ ।

 

ନନ୍ଦକିଶୋର ଥିଲେ ଜଣେ ଖ୍ୟାତନାମା କବି ଏବଂ ପ୍ରଖ୍ୟାତ ଶିକ୍ଷାବିତ୍‌ । ସାରାଜୀବନ ସରକାରୀ କର୍ମରେ ସେ କଟାଇଛନ୍ତି । ଏହା ସତ୍ୱେ ତାଙ୍କର ଦେଶପ୍ରେମ ମଧ୍ୟ ଥିଲା । ଅବଶ୍ୟ ଦେଶ ସେବା ଲାଗି ସେ ବହୁତ ସମୟ ପାଇ ନାହାନ୍ତି । ତଥାପି ଯେତିକି ସମୟ ପାଇଛନ୍ତି ସେହି ସମୟ ମଧ୍ୟରେ ସେ ଦେଶପ୍ରେମର ପରିଚୟ ଦେଇଛନ୍ତି । ସେ ଉତ୍କଳ ସମ୍ମିଳନୀ କାର୍ଯ୍ୟକାରୀ ସମିତିର ଜଣେ ସଦସ୍ୟ ଥାଇ ଦେଶ ମିଶ୍ରଣ ଆନ୍ଦୋଳନରେ ସକ୍ରିୟ ଭାଗ ନେଇଥିଲେ ।

 

କବି ନନ୍ଦକିଶୋର ଜାଣିଥିଲେ ଯେ ସରସ୍ୱତୀଙ୍କୁ ଆରାଧନା କରେ ସେ ଲକ୍ଷ୍ମୀଙ୍କର କୃପାଲାଭରୁ ବଞ୍ଚିତ ହୁଏ ତଥାପି ସେ ସରସ୍ୱତୀଙ୍କ ସେବାକୁ ଜୀବନର ବ୍ରତରୂପେ ଗ୍ରହଣ କରି ନେଇଥିଲେ ।

 

ନନ୍ଦକିଶୋର ଥିଲେ ଏକାଧାରାରେ କବି, ଦେଶସେବକ ଓ ଶିକ୍ଷାବିତ୍‌ । ଉତ୍କଳର ଜଣେ ପ୍ରଖ୍ୟାତ ବରପୁତ୍ରରୂପେ ସେ ଚିରଦିନ ଉତ୍କଳୀୟଙ୍କ ସ୍ମୃତିରେ ଜାଗ୍ରତ ରହିବେ

Image

 

ଡକ୍ଟର ରାଜେନ୍ଦ୍ରପ୍ରସାଦ

 

ଭାରତର ଜନନାୟକମାନଙ୍କ ମଧ୍ୟରୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଅନ୍ୟତମ । ତାଙ୍କର ଜୀବନୀ ଅନ୍ୟ ନେତୃବୃନ୍ଦଙ୍କ ଜୀବନୀ ପରି ସେତେ ରୋମାଞ୍ଚକର ଓ ଘଟଣାବହୁଳ ନ ହେଲେ ମଧ୍ୟ, ଭାରତର ସ୍ୱାଧୀନତା ଆନ୍ଦୋଳନର ସେ ଜଣେ ପ୍ରବୀଣ ଯୋଦ୍ଧା ଥଲେ ଏହା ଅସ୍ୱୀକାର କରାଯାଇପାରିବ ନାହିଁ ।

 

ମହାତ୍ମା ଗାନ୍ଧିଙ୍କର ସେ ଥିଲେ ଅତ୍ୟନ୍ତ ପ୍ରିୟ ଓ ବିଶ୍ୱସ୍ତ ମଧ୍ୟ । ତାଙ୍କ ସମ୍ଭନ୍ଧରେ ଥରେ ମହାତ୍ମା ଗାନ୍ଧି କହିଥିଲେ, ‘‘ଆମ ଦେଶରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କୁ ମୁଁ ଯଦି ବିଷ ଦିଏ, ସେ ତାହା ଅକୁଣ୍ଠ ଚିତ୍ତରେ ଗ୍ରହଣ କରିବେ, ସେ ହେଉଛନ୍ତି ଡକ୍ଟର ରାଜେନ୍ଦ୍ରପ୍ରସାଦ ।’’

 

ବିହାର ରାଜ୍ୟର ଶରନ୍‌ ଜିଲ୍ଲା ଅନ୍ତର୍ଗତ ଜିରାଦଇ ଗ୍ରାମରେ ଗୋଟିଏ ରକ୍ଷଣଶୀଳ ପରିବାରରେ ୧୮୮୪ ମସିହା ଡିସେମ୍ବର ୩ ତାରିଖରେ ରାଜେନ୍ଦ୍ରପ୍ରସାଦ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମହାଦେବ ସହାୟ । ମୁନ୍‌ସି ମହାଦେବ ସହାୟ ପାର୍ଶି ଓ ସଂସ୍କୃତଭାଷାରେ ଜଣେ ପଣ୍ଡିତ ଥିଲେ । ସେ ମଧ୍ୟ ଆୟୁର୍ବେଦୀୟ ଚିକିତ୍ସକ ଥିଲେ । ରାଜେଦ୍ରପ୍ରସାଦଙ୍କ ମାତା ଅତ୍ୟନ୍ତ ଧର୍ମପରାୟଣା ଥିଲେ । ବାଲ୍ୟକାଳରୁ ସେ ପୁଅକୁ ବହୁ ପୌରାଣିକ କାହାଣୀ ଶୁଣାଉଥିଲେ । ଫଳରେ ରାଜେନ୍ଦ୍ରପ୍ରସାଦଙ୍କ ମନରେ ଧର୍ମଭାବ ଓ ଦେଶପ୍ରେମ ବାଲ୍ୟକାଳରୁ ଜାଗ୍ରତ ହୋଇଥିଲା ୧୯୧୦ ମସିହାରେ ମାତାଙ୍କର ବିୟୋଗ ହେଲା । ତେଣୁ ରାଜେନ୍ଦ୍ରଙ୍କ ବିଧବା ଭଉଣୀ ଭଗବତୀ (ଡାକନାମ ଫୁଭାଜୀ) ପରିବାର ଚଳାଇଲେ । ପରିବାରରେ ସମସ୍ତେ ତାଙ୍କୁ ମାନୁଥିଲେ, ଭକ୍ତି ମଧ୍ୟ କରୁଥିଲେ । ରାଜେନ୍ଦ୍ରପ୍ରସାଦଙ୍କ ବଡ଼ଭାଇ ମହେନ୍ଦ୍ରଙ୍କ ତତ୍ତ୍ୱାବଧାନରେ ରାଜେନ୍ଦ୍ରଙ୍କ ଶିକ୍ଷାରମ୍ଭ ହୋଇଥିଲା । ରାଜେନ୍ଦ୍ରପ୍ରସାଦ ଥିଲେ ତୀକ୍ଷ୍‌ଣ ବୁଦ୍ଧିମାନ୍‌ । ତେଣୁ ସେ କିପରି ଉନ୍ନତି କରିବେ ତାହା ହିଁ ଥିଲା ମହେନ୍ଦ୍ରଙ୍କ ଲକ୍ଷ୍ୟ ।

 

ସେତେବେଳେ ତାଙ୍କ ଗ୍ରାମରେ କୌଣସି ବିଦ୍ୟାଳୟ ନ ଥିଲା । ଯେଉଁଠାରେ ବିଦ୍ୟାଳୟ ଥିଲା ସେଠାକୁ ଯିବା ଆସିବା କରିବା ରାଜେନ୍ଦ୍ରଙ୍କ ପକ୍ଷେ ସମ୍ଭବ ନ ଥିଲା । ତେଣୁ ଘରେ ସେ ଜଣେ ମୌଲବୀଙ୍କ ତତ୍ତ୍ୱାବଧାନରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ମୌଲବୀଙ୍କଠାରୁ ଉର୍ଦ୍ଧୁ ଓ ପାର୍ଶି ଶିକ୍ଷା କରିଥିଲେ । ଗଣିତ ଓ ହିନ୍ଦୀ ଶିକ୍ଷାପାଇଁ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରାଗଲା । ଏହିପରି ଭାବରେ ରାଜେନ୍ଦ୍ର ପ୍ରସାଦ ଘରୋଇ ଭାବରେ ପ୍ରାଥମିକ ଶିକ୍ଷା ଶେଷକରି ଛାପ୍ରା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ । ତାଙ୍କର ଅଧ୍ୟବସାୟ ଓ ଅସାଧାରଣ ସ୍ମରଣ ଶକ୍ତି ବଳରେ ସେ ଗୋଟିଏ ବର୍ଷରେ ଦୁଇଟି ଶ୍ରେଣୀର ପାଠ ଆୟତ୍ତ କରିପାରିଥିଲେ । ତେଣୁ ପ୍ରଥମ ବର୍ଷ ସେ ଡବଲ ପ୍ରମୋଶନ ପାଇଥିଲେ । ପ୍ରତି ଶ୍ରେଣୀରେ ସେ ପ୍ରଥମ ସ୍ଥାନ ଲାଭ କରୁଥିଲେ । ୧୯୦୨ ମସିହାରେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ପାଶ୍‌ କଲେ । ତତ୍ପରେ କଲିକତାସ୍ଥ ପ୍ରେସିଡେନ୍‌ସି କଲେଜରେ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇଲେ । କଲେଜରେ ଅଧ୍ୟୟନ କାଳରେ ସେ ତାଙ୍କର ପରମ୍ପରାଗତ ପୋଷାକ ଅଚକନ୍‌, ପାଇଜାମା ଓ ଟୋପି ପିନ୍ଧି କଲେଜକୁ ଯାଉଥିଲେ । ସେତେବେଳେ ତାଙ୍କର ସହପାଠୀମାନେ ତାଙ୍କୁ ମୁସଲମାନ ବୋଲି ଭାବୁଥିଲେ ।

 

ବିଶ୍ୱବିଦ୍ୟାଳୟରେ ରାଜେନ୍ଦ୍ର ପ୍ରସାଦ ସବୁ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରତିବର୍ଷ ବିଭିନ୍ନ ପ୍ରକାର ବୃତ୍ତି ଲାଭ କରୁଥିଲେ । ତେଣୁ ଘର ଉପରେ ଟଙ୍କାପାଇଁ ସେ ନିର୍ଭର କରୁନଥିଲେ । ଛାତ୍ର ଜୀବନରେ ସେ ଯେପରି ସରଳ ସେହିପରି ମେଳାପୀ ଥିଲେ । ଏଣେ ପୁଣି ତୀକ୍ଷ୍‍ଣ ବୁଦ୍ଧି । ତେଣୁ ସେ ସହପାଠୀମାନଙ୍କଠାରୁ ଆରମ୍ଭ କରି ଶିକ୍ଷାକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲେ । ତେଣୁ କଲେଜ ୟୁନିୟନର ସେକ୍ରେଟେରୀରୂପେ ବାରମ୍ବାର ନିର୍ବାଚିତ ହେଉଥିଲେ । ଇଂରାଜୀ ଭାଷାରେ ତାଙ୍କର ଗଭୀର ଜ୍ଞାନ ଥିଲା । ଛାତ୍ର ଜୀବନରୁ ସେ ଜାତିପ୍ରଥାକୁ ଘୋର ବିରୋଧ କରି ଆସୁଥିଲେ । ସେଥିପାଇଁ ଅନେକ ସମୟରେ ସେ ତାଙ୍କର ଜ୍ଞାତି, କୁଟୁମ୍ବଙ୍କର ଅପ୍ରୀତିଭାଜନ ହେଉଥିଲେ ।

 

ରାଜେନ୍ଦ୍ରପ୍ରସାଦ ଯେତେବେଳେ ବି.ଏ. ପଢ଼ୁଥିଲେ ସେତେବେଳେ ସତୀଶଚନ୍ଦ୍ର ମୂଖୋପାଧ୍ୟାୟ ‘ଡନ୍‌ ସୋସାଇଟି’ ନାମରେ ଗୋଟିଏ ସୋସାଇଟି ଗଢ଼ିଥିଲେ । ସୋସାଇଟିର ଉଦ୍ଦେଶ୍ୟ ଅତି ମହତ୍‌ ଥିଲା । ଛାତ୍ର ସମାଜର ନୈତିକ ଉନ୍ନତି କିପରି ହେବ ଏହି ସୋସାଇଟିର କାର୍ଯ୍ୟ ଥିଲା । ଏହି ସୋସାଇଟିର ସଭ୍ୟ ଥିଲେ ରାଜେନ୍ଦ୍ରପ୍ରସାଦ । ଅନୁଷ୍ଠାନର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସମାଜସେବୀମାନଙ୍କର ବକ୍ତୃତା ଶୁଣି ରାଜେନ୍ଦ୍ରପ୍ରସାଦ ସମାଜକଲ୍ୟାଣ କାର୍ଯ୍ୟ ଦିଗରେ ଅନୁପ୍ରାଣିତ ହୋଇଥିଲେ । ଆଉମଧ୍ୟ ସେହି ସମୟରେ କଲିକତାରେ ସ୍ୱଦେଶୀ ଆନ୍ଦୋଳନ ତୀବ୍ର ହୋଇଉଠିଲା । ଏହି ଆନ୍ଦୋଳନର ନେତୃତ୍ୱସ୍ଥାନୀୟ ବ୍ୟକ୍ତିଙ୍କର ଓଜସ୍ୱୀନ ଭାଷଣ ଶୁଣି ଶୁଣି ରାଜେନ୍ଦ୍ରପ୍ରସାଦ କ୍ରମେ ସ୍ୱଦେଶୀ ଭାବାପନ୍ନ ହୋଇଉଠିଲେ; କିନ୍ତୁ ସେତେବେଳେ ହୁଏତ ସବୁ ଛାଡ଼ି ଦେଶକାର୍ଯ୍ୟରେ ଆତ୍ମୋତ୍ସର୍ଗ କରିବାର ସମୟ ଆସିନି ଭାବି ସେ ପଢ଼ାଶୁଣାରେ ଲାଗିଲେ ।

 

୧୯୦୬ ମସିହାରେ ରାଜେନ୍ଦ୍ର ପ୍ରସାଦ ପ୍ରଥମ ଶ୍ରେଣୀରେ ବି. ଏ. ପାଶ୍‌ କଲେ । ବି. ଏ. ପାଶ୍‌ ପରେ ବାକି ରହିଲା ଏମ୍‌. ଏ. ଓ ବି. ଏଲ ପରୀକ୍ଷା । ରାଜେନ୍ଦ୍ରପ୍ରସାଦ ଏମ୍‌. ଏ. ଓ ବି. ଏଲରେ ପ୍ରଥମ ସ୍ଥାନ ପାଇ ପାରି ନ ଥିଲେ । ତେଣୁ ସେ ବିମର୍ଷହୋଇ ପଡ଼ିଥିଲେ । କିନ୍ତୁ ଯାହାର ଭବିଷ୍ୟତ ଜାତି ସେବାପାଇଁ ଉଦ୍ଦିଷ୍ଟ ସାମାନ୍ୟ ଏହି ବିଫଳତା ତାହାର ଅଗ୍ରଗତିର ପଥ ରୁଦ୍ଧ କରିପାରେ ନାହିଁ । ପରୀକ୍ଷାରେ ପ୍ରଥମ ନ ହୋଇ ପାରିବା ଫଳରେ ସେ ପ୍ରବଳ ଉଦ୍ୟମରେ ଏମ୍‌. ଏଲ. ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଲାଗିଲେ । ଶେଷରେ ଦିନେ ‘ଥିସିସ୍‌’ ଦେଲେ । ଏଥର ବିଜୟଲକ୍ଷ୍ମୀ ତାଙ୍କ ଗଳାରେ ଜୟମାଳା ପିନ୍ଧାଇ ଦେଲେ । ପାଶ୍‌କରି ଉପାଧି ପାଇଲେ–ଡକ୍ଟର ରାଜେନ୍ଦ୍ରପ୍ରସାଦ ।

 

ଏମ୍‌. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ କିଛିଦିନ ମୁଜାଫରପୁର କଲେଜରେ ଅଧ୍ୟାପକରୂପେ ନିଯୁକ୍ତି ପାଇଲେ । କିନ୍ତୁ ଶିକ୍ଷକତା ତାଙ୍କୁ ଆକୃଷ୍ଟ କରିପାରିଲା ନାହିଁ । ସେ ଅଧ୍ୟାପକ ପଦ ପରିତ୍ୟାଗ କରି ୧୯୧୧ ମସିହାରେ କଲିକତା ହାଇକୋର୍ଟରେ ଓକିଲାତି ଆରମ୍ଭ କଲେ । ପାଟନାରେ ହାଇକୋର୍ଟ ପ୍ରତିଷ୍ଠା ହେବାରୁ ସେ କଲିକତା ଛାଡ଼ି ପାଟନା ଆସିଲେ । ଆଇନ୍‌ଜୀବୀ ହିସାବରେ ସେ ଥିଲେ ଜଣେ ପ୍ରଖ୍ୟାତ ଆଇନ୍‌ଜୀବୀ । ତତ୍‌କାଳୀନ କଲିକତା ହାଇକୋର୍ଟ ଖ୍ୟାତନାମା ଆଇନ୍‌ଜୀବୀ ଶ୍ରୀ ଆଶୁତୋଶ ମୁଖାର୍ଜୀ, ଡକ୍ଟର ରାସବିହାରୀ ଘୋଷ ପ୍ରମୁଖ ତାଙ୍କର ଉଚ୍ଚ ପ୍ରଶଂସା କରୁଥିଲେ ।

 

୧୯୦୬ ମସିହାରେ କଲିକତାରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ ବସିଥିଲା । ଏହି ଅଧିବେଶନରେ ରାଜେନ୍ଦ୍ରପ୍ରସାଦ ସ୍ୱେଚ୍ଛାସେବୀରୂପେ କାର୍ଯ୍ୟ କରୁଥିଲେ । ଏଠାରେ ସରୋଜିନୀ ନାଇଡ଼ୁ, ମଦନମୋହନ ମାଲବ୍ୟ ଓ ଜିନ୍ନାଙ୍କର ବକ୍ତୃତା ଶୁଣିବାର ସଯୋଗ ପାଇଲେ ।

 

ଏହି ସବୁ ମହାନ୍‍ ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ବକ୍ତୃତା ଶୁଣି ତାଙ୍କ ମନରେ ଦେଶାତ୍ମବୋଧ ଜାଗ୍ରତ ହେଲା । ଏଥି ପୂର୍ବରୁ ତାଙ୍କର ସଂଗଠନ ଶକ୍ତି ଅସାଧାରଣ ଥିଲା । ୧୯୦୨ ମସିହାରେ ସେ ଗୋଟିଏ ବିହାରୀ କ୍ଳାସ ସ୍ଥାପନ କରିଥିଲେ, ଯାହାକି ପରବର୍ତ୍ତୀ କାଳରେ ୧୯୦୬ ସାଲରେ ତାହା ‘ବିହାର ଷ୍ଟୁଡ଼େଣ୍ଟ କନଫାରେନ୍‌ସ’ ନାମରେ ପରିଣତ ହୋଇଥିଲା ।

 

ଯେତେବେଳେ ରାଜେନ୍ଦ୍ର ପ୍ରସାଦ ପାଟନା ହାଇକୋର୍ଟରେ ଆଇନ ବ୍ୟବସାୟ କରୁଥିଲେ ସେହି ସମୟରେ ୧୯୧୭ ମସିହାରେ ଗାନ୍ଧିଜୀଙ୍କ ସାଙ୍ଗେ ତାଙ୍କର ୨ୟ ବାର ଦେଖା ହୋଇଥିଲା-। ପ୍ରଥମବାର ଦେଖା ହୋଇଥିଲା ୧୯୧୬ ମସିହାରେ ଲକ୍ଷ୍ମୌ ସହରରେ । ଗାନ୍ଧିଜୀ ସେତେବେଳେ ଆଫ୍ରିକାର ସତ୍ୟାଗ୍ରହ ଆନ୍ଦୋଳନରେ ସଫଳତା ଲାଭକରି ଦେଶକୁ ଫେରି ଆସିଥାନ୍ତି ଏଠାରେ ଜାତୀୟ କଂଗ୍ରେସ ଅଧିବେଶନରେ ଯୋଗ ଦେବାପାଇଁ ।

 

ସେହି ସମୟରେ ବିହାରର କେତେକ କଂଗ୍ରେସ କର୍ମୀ ତାଙ୍କୁ ଚମ୍ପାରଣ ଜିଲ୍ଲାର ଚାଷୀମାନଙ୍କର ଦୁଃଖ ଦୂର କରିବା ପାଇଁ ଅନୁରୋଧ କଲେ । ଗାନ୍ଧିଜୀ ସେମାନଙ୍କ କଥାରେ ସମ୍ମତ ହେଲେ ।

 

ତତ୍ପରେ କଲିକତାରେ ଅନୁଷ୍ଠିତ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିର ମିଟିଂରେ ଯୋଗଦେଇ ଚମ୍ପାରଣ ଚାଷୀମାନଙ୍କର ପ୍ରତିନିଧି ରାଜକୁମାର ଶୁକ୍ଲଙ୍କ ସଙ୍ଗେ ଚମ୍ପାରଣ ଯାତ୍ରା କଲେ । ଯିବା ବାଟରେ ପାଟଣାଠାରେ ରାଜେନ୍ଦ୍ରପ୍ରସାଦଙ୍କ ଘରେ ଆସି ପହଞ୍ଚଲେ । ଗାନ୍ଧିଜୀ ଯେ ତାଙ୍କ ଘରେ ହଠାତ୍‌ ଅତିଥି ହେବେ, ଏକଥା ରାଜେନ୍ଦ୍ରପ୍ରସାଦ ଆଦୌ ଚିନ୍ତା କରି ନ ଥିଲେ । ତାଙ୍କୁ ମଧ୍ୟ ଏକଥା କେହି ବି କହି ନ ଥିଲେ । ସେତେବେଳେ ରାଜେନ୍ଦ୍ରପ୍ରସାଦ ଘରେ ଥିଲେ । ଗାନ୍ଧିଜୀଙ୍କ ସରଳ ଓ ସାଦାସିଧା ଚାଲିଚଳଣ ଦେଖି ରାଜେନ୍ଦ୍ରପ୍ରସାଦ ତାଙ୍କର କେହି ମହକିଲ ବୋଲି ଭାବିଥିଲେ ସେତେବେଳେ ପର୍ଯ୍ୟନ୍ତ ରାଜେନ୍ଦ୍ରପ୍ରସାଦ ଗାନ୍ଧିଜୀଙ୍କୁ ଚିହ୍ନି ପାରି ନ ଥିଲେ ।

ଗାନ୍ଧିଜୀ ରାଜେନ୍ଦ୍ରପ୍ରସାଦଙ୍କ ଘରେ କିଛି ସମୟ ଅବସ୍ଥାନ କରି ଚମ୍ପାରଣ ଯାତ୍ରା କଲେ । ସେଠାରୁ ଖଣ୍ଡିଏ ଚିଠି ରାଜେନ୍ଦ୍ରପ୍ରସାଦଙ୍କ ପାଖକୁ ଲେଖିଲେ । ରାଜେନ୍ଦ୍ରପ୍ରସାଦ ଚିଠି ପାଇ ସଙ୍ଗେ ସଙ୍ଗେ ଚମ୍ପାରଣ ଯାତ୍ରା କଲେ । ଗାନ୍ଧିଜୀଙ୍କ ସହିତ ଦେଖାକରି ତାଙ୍କର ତ୍ରୁଟି ଯୋଗୁଁ କ୍ଷମା ମାଗିଥଲେ ।

ଗାନ୍ଧିଜୀ ରାଜେନ୍ଦ୍ରପ୍ରସାଦ ଉପରେ ଚମ୍ପାରଣ ଚାଷୀମାନଙ୍କର ଦୁଖଃ ଦୁର କରିବାର ଭାବ ଅର୍ପଣ କରି ଚାଲି ଆସିଲେ । ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ରାଜେନ୍ଦ୍ର ପ୍ରସାଦ ଚମ୍ପାରଣରେ ରହି ସରକାରଙ୍କ ବିରୁଦ୍ଧରେ ଚାଷୀମାନଙ୍କୁ ଏକଜୁଟ କରି କାର୍ଯ୍ୟ କଲେ । ପ୍ରଥମ ରାଜନୈତିକ ଜୀବନ ତାଙ୍କର ଏହିଠାରୁ ଆରମ୍ଭ ହେଲା ।

ଗାନ୍ଧିଜୀଙ୍କ ନେତୃତ୍ୱରେ କାର୍ଯ୍ୟ କରି ରାଜେନ୍ଦ୍ରପ୍ରସାଦ ଗରିବ ଦୁଃସ୍ଥ ଚାଷୀମାନଙ୍କର ଦୁଃଖ ଦୂର କଲେ ମଧ୍ୟ ନିଜ ମଧ୍ୟରେ କି ପରିବର୍ତ୍ତନ ହେଲା । ତାହା ସେ ବୁଝିପାରିଲେ ନି ।

ଅତି ସାଧାରଣ ଭାବେ ଗାନ୍ଧିଜୀ ଜୀବନ ଯାପନ କରୁଥିଲେ । ଗାନ୍ଧିଜୀଙ୍କ ସହଜ, ସରଳ, ସାଦାସିଧା ଜୀବନ ରାଜେନ୍ଦ୍ରପ୍ରସାଦଙ୍କୁ ପ୍ରଭାବିତ କରିପାରିଥିଲା । ରାଜେନ୍ଦ୍ରପ୍ରସାଦଙ୍କର ଅନେକ ଗୁଡ଼ିଏ ଚାକରବାକର ଥିଲେ । ସେ ସବୁ ଚାକରଙ୍କୁ ବିଦାୟ କରିଦେଇ ଜଣେ ମାତ୍ର ଚାକର ରଖିଲେ । ନିଜର ପୋଷାକ ନିଜ ହାତରେ ସଫା କଲେ । ନିଜେ ପାଣି ଆଣି ରଖିଲେ । ଆବଶ୍ୟକ ପଡ଼ିଲେ ବାସନକୁସନ ଧୋଇ ରାନ୍ଧୁଣିଆଁଙ୍କୁ ବେଳେବେଳେ ସାହାଯ୍ୟ ମଧ୍ୟ କରୁଥିଲେ ।

ରାଜେନ୍ଦ୍ରପ୍ରସାଦ ଯେତେବେଳେ କଲିକତାରେ ଆଇନ ପଢ଼ୁଥିଲେ, ସେତେବେଳେ ଗୋପାଳକୃଷ୍ଣ ଗୋଖେଲଙ୍କ ସଙ୍ଗେ ତାଙ୍କର ଦେଖା ହୋଇଥିଲା । ଗୋଖେଲ ରାଜେନ୍ଦ୍ର ପ୍ରାସାଦଙ୍କ ଅସାଧାରଣ କୃତିତ୍ୱର ପରିଚୟ ପାଇ ତାଙ୍କୁ ତାଙ୍କଦ୍ୱାରା ପ୍ରତିଷ୍ଠିତ ‘‘ସର୍ଭେଣ୍ଟ ଅଫ୍‌ ଇଣ୍ଡିଆ ସୋସାଇଟ୍‌’’ରେ ଯୋଗଦେଇ ଭାରତମାତାର ସେବାରେ ନିଜକୁ ଉତ୍ସର୍ଗ କରିବା ଲାଗି କହିଲେ । ଗୋଖେଲଙ୍କ ଡାକରା ଚିନ୍ତାଶୀଳ ରାଜେନ୍ଦ୍ରଙ୍କ ମନରେ ଯଥେଷ୍ଟ ଆଲୋଡ଼ନ ସୃଷ୍ଟି କରିଥିଲେ । ଗୋଟିଏ ଦିଗରେ ଅର୍ଥାଗମର ମୋହ ଓ ଧନପତି ହେବାର ଳକ୍ଷ୍ୟ, ଆଉ ଅନ୍ୟ ଦିଗରେ ସ୍ୱଦେଶର ଉନ୍ନତି ନିମନ୍ତେ ନିରଳସ, ନିଃସ୍ୱାର୍ଥପର ସେବା ଓ ସାଧନା । ଦେଶସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସ୍ଥିରକରି ସେ ତାଙ୍କର ବଡ଼ଭାଇଙ୍କୁ ନିଜର ମନକଥା ଜଣାଇଲେ; କିନ୍ତୁ ଭାଇ ମନା କରିଦେବାରୁ ସେ ସେଥିରୁ ଓହରି ଯାଇଥିଲେ ସତ, କିନ୍ତୁ ଚିରଦିନ ଲାଗି ସେ ଓକିଲ ହୋଇ ରହିପାରି ନ ଥିଲେ ।

 

୧୯୧୧ ମସିହା ପର୍ଯନ୍ତ ରାଜେନ୍ଦ୍ରପ୍ରସାଦ କଂଗ୍ରେସର ସଭ୍ୟଶ୍ରେଣୀଭୁକ୍ତ ହୋଇ ନ ଥିଲେ । ମଧ୍ୟ କଂଗ୍ରେସର ଜଣେ ସକ୍ରିୟ କର୍ମୀରୂପେ କାର୍ଯ୍ୟ କରୁଥିଲେ । ରାଜନୈତିକ ଆଳୋଚନାରେ ଭାଗନେଲା ବେଳେ ରାଜେନ୍ଦ୍ରପ୍ରସାଦ କୌଣସି ଏକତରଫା ମତ ବ୍ୟକ୍ତ କରୁ ନ ଥିଲେ । ୧୯୧୭ ଖ୍ରୀ: ଅ: ରେ ଯେଉଁ ମଣ୍ଟେଗୁ ଚେମସ୍‌ଫୋର୍ଡ଼ ରିପୋର୍ଟ ପ୍ରକାଶ ପାଇଲା, ତାହା କେତେଦୂର କାର୍ଯ୍ୟକାରୀ ହୋଇପାରିବ ପରୀକ୍ଷାକରି ଦେଖିବାର ଏକ ପ୍ରସ୍ତାବ ଦେଲେ; କିନ୍ତୁ କଂଗ୍ରେସର ଅଧିକାଂଶ ସଭ୍ୟ ଏଥିରେ ସମ୍ମତ ହେଲେ ନାହିଁ ଏବଂ ସେହି ପ୍ରସ୍ତାବଟି ପାସ୍‌ ହୋଇଗଲା । ଘଟଣାଟି ଘଟିଥିଲା ବମ୍ବେ ସହରରେ । ସେଠାରୁ ରାଜେନ୍ଦ୍ର ପ୍ରସାଦ ମହାତ୍ମାଗାନ୍ଧୀଙ୍କ ସହିତ ଦେଖା କରିବାକୁ ସାବରମତୀ ଆଶ୍ରମକୁ ଯାତ୍ରା କଲେ । ଗାନ୍ଧିଜୀଙ୍କ ସହିତ ଦେଖାକରି ସେ ପାଟନା ଫେରି ଆସିଲେ ।

 

୧୯୧୯ ଖ୍ରୀ: ଅ: ରେ ମାଇକେଲ୍‌ ଡାୟାର ଯୁଦ୍ଧଖର୍ଚ୍ଚ ଲାଗି ଭାରତରୁ ଅର୍ଥ ସଂଗ୍ରହ ଓ ସୈନ୍ୟ ସଂଗ୍ରହ କରିବାରୁ ଜନ ଅସନ୍ତୋଷ ଦେଖାଗଲା । ଏହାର ଦୃଢ଼ ପ୍ରତିବାଦ ଜଣାଇ ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନ ଘୋଷଣା କଲେ । ଏହି ସମୟରେ ରାଜେନ୍ଦ୍ରପ୍ରସାଦ ସଂପୂର୍ଣ୍ଣଭାବେ ଆନ୍ଦୋଳନରେ ଯୋଗ ଦେଲେ ଏବଂ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟ ହୋଇ ବର୍ଦ୍ଦୋଳୀ ଯାଇଥିଲେ । ବର୍ଦ୍ଦୋଳୀ ଯିବା ବାଟରେ ସେ ଏକ ସଂବାଦପତ୍ରରୁ ଜାଣିଲେ ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାର ଚୌରୀଚୌରା ଗ୍ରାମରେ ପୁଲିସଙ୍କ ସହିତ ଜନସାଧାରଣଙ୍କ ସଂଘର୍ଷ ହୋଇ କେତେଜଣ ପୁଲିସ ନିହତ ଓ ଆହତ ହୋଇଛନ୍ତି ।

 

ଆନ୍ଦୋଳନ ଆରମ୍ଭବେଳେ ମହାତ୍ମାଗାନ୍ଧୀ କହିଥିଲେ ଆନ୍ଦୋଳନ ସଂପୂର୍ଣ୍ଣ ଅହିଂସା ପଥରେ ହେବ । ପରିଚାଳିତ ଏହି ଘଟଣା ଶୁଣି ମହାତ୍ମାଗାନ୍ଧୀ ଆନ୍ଦୋଳନ ବନ୍ଦ କରିଦେଲେ ।

 

୧୯୨୦ ଖ୍ରୀ: ଅ: ରେ ରାଜେନ୍ଦ୍ରପ୍ରସାଦ ଗୋଟିଏ ହିନ୍ଦୀ ସାପ୍ତାହିକ ପତ୍ରିକା ପ୍ରକାଶ କଲେ । ତାହାର ନାମ ଥିଲା ‘ଦେଶ’ । ଅସହଯୋଗ ଆନ୍ଦୋଳନର ମୁଖପାତ୍ରରୂପେ ଏହା ପ୍ରକାଶିତ ହେଉଥିଲା । ସେହି ସମୟରେ ରାଜେନ୍ଦ୍ର ପ୍ରସାଦଙ୍କ ପରିଚାଳନାରେ ସର୍ଚ୍ଚ ଲାଇଟ୍‍ ନାମକ ଏକ ଦୈନିକ ପତ୍ରିକା ପ୍ରକାଶିତ ହେଉଥିଲା ।

 

କେବଳ ରାଜନୈତିକ କାର୍ଯ୍ୟରେ ରାଜେନ୍ଦ୍ରପ୍ରସାଦ ଲିପ୍ତ ହୋଇ ରହି ନ ଥିଲେ । ଶ୍ରମିକମାନଙ୍କ କଲ୍ୟାଣପାଇଁ ସେ ତାଙ୍କର ସମସ୍ତ ଶକ୍ତି ନିୟୋଗ କରିଥିଲେ । ସେ ଟାଟା ଲୁହା କମ୍ପାନୀରେ ଶ୍ରମିକ ୟୁନିୟନ ଗଢ଼ିଥିଲେ ।

 

୧୯୨୭ ଖ୍ରୀ: ଅ: ରେ ସାଇମନ୍‌ କମିଶନଙ୍କ ବିରୁଦ୍ଧରେ ଯେଉଁ ଆନ୍ଦୋଳନ ହୋଇଥିଲେ ତାର ନେତୃତ୍ୱ ନେଇଥିଲେ ରାଜେନ୍ଦ୍ରପ୍ରସାଦ ।

 

ରାଜେନ୍ଦ୍ରପ୍ରସାଦ କଂଗ୍ରେସର ଆଭ୍ୟନ୍ତରୀଣ ବାଦବିବାଦରୁ ସର୍ବଦା ଦୂରରେ ରହି ଗଠନମୂଳକ କାର୍ଯ୍ୟରେ ଲାଗି ରହୁଥିଲେ । ସେ ବୁଝିଥିଲେ ଭାରତରୁ ଦାରିଦ୍ର୍ୟ ବିଲୋପର ଏକମାତ୍ର ବାଟ ହେଉଛି ଗଠନମୂଳକ କାର୍ଯ୍ୟ । ଖଦୀର ପ୍ରଚାର ଓ ଜାତୀୟ ଶିକ୍ଷାର ପ୍ରସାର ପାଇଁ ସେ ଆପ୍ରାଣ ଉଦ୍ୟମ କରିଥିଲେ । ସାନ୍ତାଳପ୍ରଗନା ଅଞ୍ଚଳରେ ଅସ୍ପୁଶ୍ୟତା ନିବାରଣ ଓ ଖଦୀ ପ୍ରଚାର ପାଇଁ ଏକ ସ୍ୱତନ୍ତ୍ର ଯୋଜନା ସେ କରିଥିଲେ । ରାଜେନ୍ଦ୍ରପ୍ରସାଦ ପାଟନା ମ୍ୟୁନି୍‌ସିପାଲ୍‌ଟିର ଚେୟାରମ୍ୟାନରୂପେ କିଛିକାଳ ରହିଥିଲେ । ସେତେବେଳେ ସେ ପାଟନା ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ବହୁ କାର୍ଯ୍ୟ କରିଥିଲେ ।

 

ରାଜେନ୍ଦ୍ରପ୍ରସାଦ ବଡ଼ ମେଳାପୀ ଥିଲେ । ବନ୍ଧୁମାନଙ୍କ ଅନୁରୋଧ ସେ ଏଡ଼ି ଦେଇପାରୁ ନ ଥିଲେ । ଥରେ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ହରପ୍ରସାଦ ସିହ୍ନାଙ୍କ ବିରୁଦ୍ଧରେ ଲଣ୍ଡନର ପ୍ରିଭିକାଉନ୍‌ସିଲ୍‌ରେ ଏକ ବଡ଼ ଧରରର ମକଦ୍ଦମା ଲାଗିଲା । ସେହି ମକଦ୍ଦମାରେ ହରପ୍ରସାଦଙ୍କ ପକ୍ଷରୁ ଲଢ଼ିବା ପାଇଁ ସେ ୧୯୨୮ ମସିହା ମାର୍ଚ୍ଚ ମାସରେ ବିଲାତ ଯାତ୍ରା କରିଥିଲେ । ସେଠାରେ ସେ ଏହି ମକଦ୍ଦମା ସମ୍ବନ୍ଧରେ ଯେପରି ଭାବରେ ବିଜ୍ଞତାର କାର୍ଯ୍ୟ କଲେ ସେଥିରେ ସେଠାକାର ଆଇନଜ୍ଞମାନେ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ତତ୍ପରେ ମକଦ୍ଦମା ଦୁଇପକ୍ଷ ମଧ୍ୟରେ ରଫା ହୋଇଯାଇଥିଲା । ଏହି ସୁଯୋଗରେ ସେ ବିଲାତରେ ପ୍ରାୟ ମାସେ ପର୍ଯ୍ୟନ୍ତ ରହି ୟୁରୋପର ବିଭିନ୍ନ ଦେଶ ପରିଭ୍ରମଣ କରିଥିଲେ ।

 

ବିଲାତରୁ ଫେରି ଦେଶରେ ପହଞ୍ଚିବା ମାତ୍ରେ ବର୍ମାବାସୀଙ୍କ ଅନୁରୋଧରେ ରାଜେନ୍ଦ୍ରପ୍ରସାଦ ବର୍ମା ଯାତ୍ରାକଲେ । ସେତେବେଳେ ବର୍ମାର କ୍ୟାଣ୍ଟାଙ୍ଗାର ଚାଷୀ ଓ ଜମିମାଲିକଙ୍କ ମଧ୍ୟରେ ଘୋର ବିବାଦ ଲାଗିଥିଲା । ରାଜେନ୍ଦ୍ରପ୍ରସାଦ ବର୍ମାରେ ପହଞ୍ଚି ଏହି ଚାଷୀ ଓ ଜମି ମାଲିକଙ୍କ ବିବାଦର ଏକ ଫଳପ୍ରଦ ସମାଧାନ କରି ସେଠାରେ ଏକ ସୁସ୍ଥ ବାତାବରଣ ଫେରାଇ ଆଣିଥିଲେ । ବର୍ମାରୁ ବିଦାୟ ନେଇ ଆସିଲା ବେଳେ ବର୍ମାବାସୀ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ ।

 

ବର୍ମାରୁ ଫେରି ସେ ଶ୍ୱାସରୋଗରେ ଆକ୍ରାନ୍ତ ହେଲେ । ତେଣୁ ଲାହୋର କଂଗ୍ରେସରେ ଯୋଗଦେଇ ପାରି ନ ଥିଲେ ।

 

୧୯୩୦ ମସିହାରେ ଯେଉଁ ଲବଣ ସତ୍ୟାଗ୍ରହ ଆରମ୍ଭ ହେଲା ସେଥରେ ରାଜେନ୍ଦ୍ରପ୍ରସାଦ ସକ୍ରିୟ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କରି ନେତୃତ୍ୱରେ ବିହାରରେ ଏହି ଆନ୍ଦୋଳନ ବ୍ୟାପକ ହୋଇଥିଲା । ସେତେବେଳେ ରାଜେନ୍ଦ୍ରପ୍ରସାଦଙ୍କୁ ଗିରଫ କରିବାପାଇଁ ପୁଲିସବାହିନୀ ସାହସ କରି ନ ଥିଲେ; କିନ୍ତୁ ପରେ ସେ ଏକ ସଭାରେ ବକ୍ତୃତା ଦେଉଥିଲାବେଳେ ଗିରଫ କରାଯାଇ ତାଙ୍କୁ ଛାପ୍ରା ଜେଲରେ ରଖାଗଲା । ଜେଲ ଭିତରେ ତାଙ୍କୁ ଖାଦ୍ୟ ଓ ରହିବାର ଯେଉଁ ଦିଆଯାଉଥିଲା ସେ ତାହା ପ୍ରତ୍ୟାଖ୍ୟାନ କରି ସାଥୀ ବନ୍ଦୀଙ୍କ ପରି ବଗଡ଼ା ଚାଉଳର ଭାତ ଓ ନିରାଡ଼ମ୍ବର ଜୀବନ ଯାପନ କରୁଥିଲେ । ରାଜବନ୍ଦୀମାନଙ୍କର ଶ୍ରେଣୀ ବିଭାଗରୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ତାଙ୍କୁ ବିଚାରରେ ୬ ମାସ ଜେଲଦଣ୍ଡ ଆଦେଶ ହେଲା ଏବଂ ହଜାରିବାଗ ଜେଲକୁ ତାଙ୍କୁ ସ୍ତାନାନ୍ତରିତ କରାଯାଇଥିଲା ।

 

ଜେଲରେ ସୂତା କାଟିବା ଓ ଲୁଗାବୁଣିବାରେ ସେ ସମୟ କଟାଉଥିଲେ ।

 

୧୯୩୪ ମସିହାରେ ବିହାରରେ ଏକ ଭୟାବହ ଭୂମିକମ୍ପ ହୋଇ ବହୁ ଧନ ଜୀବନ ନଷ୍ଟ ହୋଇଗଲା । ସେତେବେଳେ ରାଜେନ୍ଦ୍ରପ୍ରସାଦ ଥିଲେ ଜେଲରେ । ଭୂମିକମ୍ପର ଦୁଇଦିନ ପରେ ତାଙ୍କୁ ଜେଲରୁ ମୁକ୍ତ କରିଦିଆଗଲା । ଜେଲରୁ ମୁକ୍ତି ପାଇ ରାଜେନ୍ଦ୍ରପ୍ରସାଦ ଭୂମିକମ୍ପ-ବିପନ୍ନଙ୍କ ସେବାରେ ଲାଗିପଡ଼ିଲେ । ଏକ ସ୍ୱେଚ୍ଛାସେବକ ଦଳ ଗଠନ କରି ଅହରହ ଭୂମିକମ୍ପ ବିଧ୍ୱସ୍ତ ଅଞ୍ଚଳରେ ସେବା କାର୍ଯ୍ୟରେ ବ୍ୟସ୍ତ ରହିଲେ । ତାଙ୍କର ଆବେଦନ ଫଳରେ ସାରା ଭାରତରୁ ସାହାଯ୍ୟମାନ ଆସିଲା । ବିହାର ଭୂମିକମ୍ପ ବିପନ୍ନଙ୍କ ଲାଗି ଭାଇସ୍‌ରାୟଙ୍କ ନାମରେ ଏକ ପାଣ୍ଠି ଖୋଲା ଯାଇଥିଲେ ମଧ୍ୟ ରାଜେନ୍ଦ୍ରପ୍ରସାଦଙ୍କ ପାଣ୍ଠିକୁ ଅଧିକ ସାହାଯ୍ୟ ମିଳୁଥିଲା । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ରାଜେନ୍ଦ୍ରପ୍ରସାଦ ଥିଲେ ଜନସମାଜର ଜଣେ ଅତି ବିଶ୍ୱସ୍ତ ବ୍ୟକ୍ତି । ବିହାର ଭୂମିକମ୍ପ ବିପନ୍ନ ବ୍ୟକ୍ତିଙ୍କୁ ରାଜେନ୍ଦ୍ରପ୍ରସାଦ ଯେଉଁଭଳି ସାହାଯ୍ୟ କରିଥିଲେ ତାହା ତାଙ୍କର ଏକ ଅକ୍ଷୟ କୀର୍ତ୍ତି ।

 

ବିହାରରେ ରାଜେନ୍ଦ୍ରପ୍ରସାଦଙ୍କ କାର୍ଯ୍ୟ ଏବଂ ଭୂମିକମ୍ପ ବିପନ୍ନଙ୍କ ସେବା ଦେଖି ଦେଶବାସୀ ତାଙ୍କ ପ୍ରତି କୃତଜ୍ଞ ହୋଇ ଉଠିଲେ । କୃତଜ୍ଞତା ପ୍ରକାଶର ଏକମାତ୍ର ଉପାୟ ହେଲା କଂଗ୍ରେସର ସଭାପତିରୂପେ ତାଙ୍କୁ ମନୋନୀତ କରିବା । ଏହି ଖବର ସେ ଯେତେବେଳେ ଶୁଣିଲେ ବଡ଼ ଅଡ଼ୁଆରେ ପଡ଼ିଗଲେ । କାରଣ ସେତେବେଳକୁ ତାଙ୍କର ବଡ଼ ଭାଇ ଯେ କି ପରିବାରର ସବୁ ବିଷୟ ବୁଝୁଥିଲେ ସେ ମରିଗଲେ । ରାଜେନ୍ଦ୍ରପ୍ରସାଦଙ୍କ ଉପରେ ପରିବାରର ସବୁ ବିଷୟ ବୁଝୁଥିଲେ ସେ ମରିଗଲେ । ରାଜେନ୍ଦ୍ରପ୍ରସାଦଙ୍କ ଉପରେ ପରିବାରର ସବୁ ବୋଝ ପଡ଼ିଲା । ଆଉମଧ୍ୟ ସେତେବେଳକୁ ତାଙ୍କ ପରିବାର ଋଣଗ୍ରସ୍ତ ହୋଇପଡ଼ିଥଲେ । ଏଣେ ପରିବାର ଚଳାଇବେ କି କଂଗ୍ରେସର ସଭାପତି ହୋଇ କଂଗ୍ରେସ ଅନୁଷ୍ଠାନକୁ ଚଳାଇବେ ସ୍ଥିର କରି ନ ପାରି କଂଗ୍ରେସ ସଭାପତି ହେବାର ଅନିଚ୍ଛା ପ୍ରକାଶ କରି ମହାତ୍ମାଗାନ୍ଧିଙ୍କୁ ଲେଖିଲେ । ମହାତ୍ମାଗାନ୍ଧିଙ୍କ ଚେଷ୍ଟାରେ ସେ ଋଣମୁକ୍ତ ହେଲେ ଏବଂ ବମ୍ବେ କଂଗ୍ରେସର ସଭାପତିରୂପେ କାର୍ଯ୍ୟ କରି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଲାଭ କରିଥିଲେ ।

 

କଂଗ୍ରେସ ସଭାପତିରୂପେ ସେ ଭାରତ ତମାମ୍‌ ବୁଲି କଂଗ୍ରେସକୁ ଶକ୍ତିଶାଳୀ କରିବାରେ ଚେଷ୍ଟା କଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ହିନ୍ଦୁ-ମୁସଲମାନ ଐକ୍ୟ ପ୍ରତିଷ୍ଠା କରିବା ପାଇଁ ବ୍ୟକ୍ତିଗତ ଭାବେ ସେ ଜିନ୍ନାଙ୍କ ସହିତ ବହୁବାର ଆଲୋଚନା କରିଥିଲେ । କିନ୍ତୁ ସଫଳତା ହାସଲ କରିପାରି ନ ଥିଲେ ।

 

୧୯୩୫ ମସିହାରେ ରାଜେନ୍ଦ୍ରପ୍ରସାଦ ହିନ୍ଦୀ ସାହିତ୍ୟ ସମ୍ମିଳନୀର ନାଗପୁର ଅଧିବେଶନର ସଭାପତିରୂପେ କାର୍ଯକରି ହିନ୍ଦୀ ଓ ଉର୍ଦ୍ଦୁଭାଷାର ମିଶ୍ରଣରେ ହିନ୍ଦୁସ୍ଥାନୀ ଭାଷା ପ୍ରବର୍ତ୍ତନ କରିବାକୁ ସୁପାରିସ କରିଥିଲେ । ସର୍ବଭାରତୀୟ ସ୍ତରରେ ଏକ ସରଳ ହିନ୍ଦୀଭାଷା ପ୍ରବର୍ତ୍ତନ କରାଯିବା ତାଙ୍କର ଅଭିମତ ଥିଲା । ହିନ୍ଦୀର ପ୍ରଚାର ଓ ପ୍ରସାର ନିମନ୍ତେ ରାଷ୍ଟ୍ରଭାଷା ପ୍ରଚାର ସମିତି ଗଢ଼ା ଯାଇଥିଲା । ରାଜେନ୍ଦ୍ରପ୍ରସାଦ ଏହି ସମିତିର ସଭାପତି ନିର୍ବାଚତ ହୋଇଥିଲେ-। ଏହା ବ୍ୟତୀତ ରାଜେନ୍ଦ୍ରପ୍ରସାଦ ବିହାର ଶ୍ରମ ତଦନ୍ତ କମିଟିର ଅଧକ୍ଷ ଓ କେ.ଟି. ସାହାଙ୍କ ଅଧ୍ୟକ୍ଷତାରେ ଗଠିତ ଶିକ୍ଷା ତଦନ୍ତ କମିଟିର ଜନୈକ ସଦସ୍ୟରୂପେ ନିଯୁକ୍ତ ହୋଇଥିଲେ ।

 

୧୯୪୨ ମସିହାରେ ସ୍ୱାଧୀନତା ଆନ୍ଦୋଳନରେ ରାଜେନ୍ଦ୍ରପ୍ରସାଦ ଜେଲ ଯାଇଥିଲେ । ତାର ତିନିବର୍ଷ ପରେ ୧୯୪୫ ମସିହାରେ ଭାରତର ତଦାନୀନ୍ତନ ବଡ଼ଲାଟ ଓ୍ୱାଭେଲ ସାହେବଙ୍କ ଆଦେଶରେ ସମସ୍ତ କଂଗ୍ରେସ ନେତୃବର୍ଗ ଜେଲରୁ ଛାଡ଼ ପାଇଲେ । ରାଜେନ୍ଦ୍ରପ୍ରସାଦ ସେତେବେଳେ ଜେଲରୁ ମୁକ୍ତ ହୋଇ ବମ୍ବେର ୱାର୍କିଂ କମିଟିରେ ଯୋଗଦେବା ଲାଗି ବମ୍ବେ ଯାତ୍ରା କଲେ । ବମ୍ବେରେ ପହଞ୍ଚିବାର ଦୁଇଦିନ ପରେ ଟେଲିଗ୍ରାମ ପାଇ ସିମଳା ଗଲେ ।

 

ରାଜେନ୍ଦ୍ରପ୍ରସାଦ ଯେତେବେଳେ ସିମଳା ଗଲେ ସେତେବେଳକୁ ସେଠାରେ ଭାରତ ଶାସନର ନୂତନ ଯୁଗାନ୍ତର ପର୍ବ ଆରମ୍ଭ ହୋଇଥିଲା । ବଡ଼ଲାଟ ଲର୍ଡ଼ ଓ୍ୱାଭେଲ, କଂଗ୍ରେସ ଓ ମୁସଲିମ୍‌ ଲିଗ୍‌ ନେତାମରନଙ୍କ ମିଳିତ ବୈଠକରେ ଭାରତ ଶାସନ ବ୍ୟବସ୍ଥା ଭାରତୀୟଙ୍କ ହସ୍ତେ ଅର୍ପଣ କରିବା ଲାଗି ସିଦ୍ଧାନ୍ତ ଗ୍ରହଣ କରାଗଲା । ଫଳରେ ୧୯୪୭ ମସିହା ଅଗଷ୍ଟ ୧୫ ତାରଖରେ ଭାରତ ସ୍ୱାଧୀନତା ପାଇଲା । ସ୍ୱାଧୀନତାର ବର୍ଷକ ପୂର୍ବରୁ ୧୯୪୭ ମସିହାରେ ଯେଉଁ ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲା । ସେଥିରେ ରାଜେନ୍ଦ୍ରପ୍ରସାଦଙ୍କୁ ଖାଦ୍ୟ ଓ କୃଷିବିଭାଗର ଦାୟିତ୍ୱରେ ରହିବାକୁ ପଡ଼ିଥିଲା । କିନ୍ତୁ ଖୁବ୍‌ ଅଳ୍ପଦିନ ପାଇଁ ସେ ଏହି ଦାୟିତ୍ୱରେ ସେ ସଫଳ ଯୋଜନାମାନ କାର୍ଯ୍ୟକାରୀ କରାଇ ପାରିଥିଲେ ।

 

ତୃତୀୟ ତର ପାଇଁ ରାଜେନ୍ଦ୍ରପ୍ରସାଦଙ୍କୁ କଂଗ୍ରେସର ସଭାପତିରୂପେ ନିଯୁକ୍ତ କରାଗଲା । ତେଣୁ ସେ ମନ୍ତ୍ରିତ୍ୱ ଛାଡ଼ିଥିଲେ । ତାପରେ ତାଙ୍କୁ ବିଧାନ ପରିଷଦର ନେତାରୂପେ ନିର୍ବାଚନ କରାଗଲା । ସ୍ୱାଧୀନତା ପରେ ପରିଷଦର କାର୍ଯ୍ୟ ସୁରୁଖୁରୁରେ ଚାଲିଲା ।

 

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଡକ୍ଟର ରାଜେନ୍ଦ୍ରପ୍ରସାଦ ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତିରୂପେ ମନୋନୀତ ହେଲେ । ୧୯୫୭ ମସିହାରେ ଦ୍ୱିତୀୟଥର ପାଇଁ ମଧ୍ୟ ସେ ବହୁଭୋଟରେ ତାଙ୍କର ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରି ରାଷ୍ଟ୍ରପତି ହୋଇପାରିଥିଲେ । ଦୁଇଥର ରାଷ୍ଟ୍ରପତି ହେବାଦ୍ୱାରା ତାଙ୍କର ଲୋକପ୍ରିୟତା କେତେ ଅଧିକ ତାହା ଜଣାପଡ଼େ ।

 

ରାଜେନ୍ଦ୍ରପ୍ରସାଦ ପୂର୍ବରୁ ଯେପରି ସରଳ ଜୀବନ ଯାପନ କରୁଥିଲେ ରାଷ୍ଟ୍ରପତି ହେଲାପରେ ମଧ୍ୟ ସେହିପରି ନିରାଡ଼ମ୍ବର ଜୀବନ ଯାପନ କରୁଥିଲେ । ଖାଦ୍ୟପେୟ, ପୋଷାକ ପରିଚ୍ଛେଦରେ କୌଣସି ବୈଶିଷ୍ଟ୍ୟ ନ ଥିଲା । ମାଛମାଂସ ସେ ଆଦୌ ଖାଉନଥିଲେ । ଖଦଡ଼ ଲୁଗା ବ୍ୟତିତ ଅନ୍ୟ ପୋଷାକ ପିନ୍ଧୁନଥିଲେ । ରାଷ୍ଟ୍ରପତିରୂପେ ତାଙ୍କୁ ଯେଉଁ ଦଶହଜାର ଟଙ୍କା ମିଳୁଥିଲା ସେ ସେଥିରୁ ବହୁ ଅଂଶ ଦେଶବାସୀଙ୍କୁ ଛାଡ଼ି ଦେଉଥିଲେ । ମାତ୍ର ଅଢ଼େଇହଜାର ଟଙ୍କା ନେଇ ସେଥିରେ ଚଳୁଥିଲେ । ରାଷ୍ଟ୍ରପତି ଥିଲେ ମଧ୍ୟ ତାଙ୍କ ମନରେ ଗର୍ବଭାବ ନ ଥିଲେ । ଭାରତ ଶ୍ରେଷ୍ଠ ଶୀର୍ଷସ୍ଥାନରେ ବସିଛନ୍ତି ବୋଲି କାହାରିକୁ ହେୟ ଜ୍ଞାନ କରୁ ନ ଥିଲେ । ଜଣେ ବୈଦେଶିକ ଦୂତଙ୍କୁ ସେ ଯେପରି ସମ୍ମାନ ଦେଖାଉଥିଲେ ଜଣେ ସାଧାରଣ ନାଗରିକକୁ ସେହିପରି ସମ୍ମାନ ଦେଖାଉ ଥିଲେ ।

 

ସେ ରାଷ୍ଟ୍ରପତି ହିସାବରେ ପୃଥିବୀର ବିଭିନ୍ନ ଦେଶ ଗସ୍ତ କଲାବେଳେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଖା ଯାଉଥିଲା । ସେ ମଧ୍ୟ ସବୁ ରାଷ୍ଟ୍ର ସହିତ ବନ୍ଧୁଭାବାପନ୍ନ ଥିଲେ ।

 

ରାଷ୍ଟ୍ରପତି ହେଲାପରେ ରାଜେନ୍ଦ୍ରପ୍ରସାଦ ରାଷ୍ଟ୍ରପତି ଭବନର ବହୁ ଆଡ଼ମ୍ବରକୁ ସଙ୍କୁଚିତ କରି ଦେଇଥିଲେ । ରାଷ୍ଟ୍ରପତି ଭବନରେ ଦୁଇଟି ମାତ୍ର ବଖରାରେ ସେ ଚଳୁଥିଲେ । ସାଜସଜ୍ଜା ଭାରତୀୟ ପରିପାଟୀରେ କରାଇଥିଲେ ।

 

ପ୍ରତିଦିନ ରାତି ୪ଟାରୁ ଉଠିବା ତାଙ୍କର ଅଭ୍ୟାସ । ସେହି ଅଭ୍ୟାସର କୌଣସି ବ୍ୟତିକ୍ରମ ଘଟି ନ ଥିଲା ତାଙ୍କର ରାଷ୍ଟ୍ରପତି ହେଲାପରେ ମଧ୍ୟ ।

 

ଭାରତୀୟ ଯେଉଁ କେତେଜଣ ନେତା ଲୋକଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖି ପାରିଥିଲେ ସେମାନଙ୍କ ମଧ୍ୟରୁ ରାଜେନ୍ଦ୍ରପ୍ରସାଦ ଥିଲେ ଏକତମ । ଅହଂକାର କ’ଣ ସେ ଜାଣିନଥିଲେ ସେ ଯେପରି ସରଳ ଥିଲେ ସେହିପରି ନିର୍ଭୀକ ଓ ସ୍ପଷ୍ଟବାଦୀ ଥିଲେ । ମୌଳିକ ଶିକ୍ଷାପ୍ରତି ତାଙ୍କର ଗଭୀର ବିଶ୍ୱାସ ଥିଲା । ତେଣୁ ସେ ସବୁବେଳେ ସବୁଠାରେ ଆଧୁନିକ ଶିକ୍ଷା ପଦ୍ଧତିର ସମାଲୋଚନା କରୁଥିଲେ । ହରିଜନ, ଆଦିବାସୀମାନଙ୍କର ଉନ୍ନତି କରିବା ନିମନ୍ତେ ସେ ସର୍ବଦା ଚେଷ୍ଟିତ ଥିଲେ । ଭାରତର ଆଦିମ ଜାତି ସେବକ ସଂଘର ସେ ଜଣେ ସକ୍ରୀୟ ସଭ୍ୟ ଥିଲେ । ରାଜେନ୍ଦ୍ରପ୍ରସାଦ ପ୍ରାଚୀନ ଓ ଆଧୁନିକ ସଂସ୍କୃତିକୁ ସମାନ ଭାବରେ ଦେଖୁଥିଲେ । ବୌଦ୍ଧଧର୍ମ ପ୍ରତି ତାଙ୍କର ବହୁତ ଅନୁରକ୍ତି ଥିଲା ସେ ବଡ଼ ଧର୍ମ ବିଶ୍ୱାସୀ ଥିଲେ ।

 

ଯଦିଓ ରାଜେନ୍ଦ୍ର ପ୍ରସାଦ ମନୁଷ୍ୟ ହିସାବରେ ଖୁବ୍‌ ସାଦାସିଧା ତଥାପି ତାଙ୍କର ଆତ୍ମୀୟ ସ୍ୱଜନମାନେ ତାଙ୍କ ସହିତ ନିର୍ଭୟରେ କଥାବାର୍ତ୍ତା କରିପାରୁ ନ ଥିଲେ । ଏପରିକି ନିଜର ନାତି ନାତୁଣୀମାନେ ମଧ୍ୟ ତାଙ୍କୁ ଭରସି କରି କିଛି କହି ପାରୁ ନ ଥିଲେ । ଏହାର କାରଣ ଜାଣିବା ଅତି ସହଜ । ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବା ଫଳରେ ତାଙ୍କର ଏପରି ଏକ ମହତ ବ୍ୟକ୍ତିତ୍ୱ ଜାଗ୍ରତ ହୋଇଥିଲା ଯାହାଫଳରେ ତାଙ୍କୁ ଦେବତା ପରି ସମସ୍ତେ ଭକ୍ତି ନ କରି ରହିପାରୁ ନ ଥିଲେ-। ତାଙ୍କ ପରିବାରରେ ରାଜେନ୍ଦ୍ରପ୍ରସାଦ ଥିଲେ ଏକାକୀ ନିଃସଙ୍ଗ ବ୍ୟକ୍ତି ।

 

ରାଜେନ୍ଦ୍ରପ୍ରସାଦଙ୍କ ଜୀବନ ଉପରେ ଗାନ୍ଧିଜୀଙ୍କ ପ୍ରଭାବ ସବୁଠାରୁ ବେଶୀ ପଡ଼ିଥିଲା । ଗାନ୍ଧିଜୀଙ୍କ ପରି ସରଳ ଓ ନୀରଳସ ଜୀବନ କଟାଇବା ରାଜେନ୍ଦ୍ରପ୍ରସାଦ ଶିଖିଥିଲେ ।

 

୧୯୬୩ ମସିହା ଫେବୃୟାରୀ ୨୮ ତାରିଖରେ ନିମୋନିଆ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା । ଭାରତର ସ୍ୱାଧୀନତା ଯୁଦ୍ଧର ଏକ ଉଜ୍ଜ୍ୱଳ ନକ୍ଷତ୍ର ଭାରତ ଆକାଶରୁ ଖସି ପଡ଼ିଲା ଚିରଦିନ ପାଇଁ । ମୃତ୍ୟୁବେଳକୁ ତାଙ୍କର ବୟସ ୭୮ ବର୍ଷ ହୋଇଥିଲା ।

 

ଆଜି ରାଜେନ୍ଦ୍ରପ୍ରସାଦ ନାହାନ୍ତି । କିନ୍ତୁ ସେ ଯେଉଁ ତ୍ୟାଗ କରିଯାଇଛନ୍ତି ଏ ଦେଶବାସୀ ଚିରଦିନ ତାହା କୃତଜ୍ଞ ହୃଦୟରେ ସ୍ମରଣ ରଖିବେ ।

Image